ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେ ଗୁରୁବାର କଂଗ୍ରେସ ପାର୍ଟିକୁ ସମସ୍ତ ଜାତୀୟ ସମସ୍ୟାର ମୂଳ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି। ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗରେ ଦୁବେ ଏଏନ୍ଆଇକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି, ୧୯ ମାର୍ଚ୍ଚ ୧୯୭୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ବାଂଲାଦେଶ ନେତା ଶେଖ ମୁଜିବର ରହମାନଙ୍କ ମଧ୍ୟରେ ଏକ ଗୁପ୍ତ ବୁଝାମଣା ହୋଇଥିଲା, ଯେଉଁଥିରେ କଂଗ୍ରେସ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ବାଂଲାଦେଶ ନାଗରିକଙ୍କୁ ଏଠାକୁ ଆସିବାକୁ ପୂରା ଅନୁମତି ଦେଇଥିଲେ।
ଏହା ପଛରେ କଂଗ୍ରେସର ଭୋଟବ୍ୟାଙ୍କ ରାଜନୀତି ରହିଥିଲା। ଏହାକୁ ସେ କଂଗ୍ରେସର କଳା ଅଧ୍ୟାୟ ବୋଲି କହିଛନ୍ତି। ବିଜେପି ସାଂସଦ କହିଛନ୍ତି, ଆଜି ଦେଶରେ ଯେତିକି ବି ସମସ୍ୟା ରହିଛି, ସେସବୁର ମୂଳ କଂଗ୍ରେସ କିମ୍ବା ନେହରୁ-ଗାନ୍ଧୀ ପରିବାର। ନିଶିକାନ୍ତ ଦୁବେ କହିଛନ୍ତି, ସେ ଇତିହାସ ଓ ରାଜନୀତି ବିଷୟରେ ଅଧ୍ୟୟନ କରି ଏହା କହୁଛନ୍ତି। ଏହାକୁ ନେଇ ସେ ସାମାଜିକ ଗଣମାଧ୍ୟମରେ କଂଗ୍ରେସର କଳା କାରନାମା ନାମରେ ଏକ ସିରିଜ ଆରମ୍ଭ କରିଛନ୍ତି।
ସୌଜନ୍ୟ ସମ୍ବାଦ
