National Youth Volleyball: ଜାତୀୟ ଯୁବ ଭଲିବଲ୍‌: ଓଡ଼ିଶାକୁ ଐତିହାସିକ କାଂସ୍ୟ

ଓଡ଼ିଶା ଭଲିବଲ୍‌ ଶୁକ୍ରବାର ଅପୂର୍ବ ତଥା ଐତିହାସିକ ସଫଳତା ଅର୍ଜନ କରିଛି। ସ୍ଥାନୀୟ କିଟ୍‌ ବିଶ୍ବବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ଯୁବ (୧୯ ବର୍ଷରୁ କମ୍‌) ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା....

ଭୁବନେଶ୍ବର: ଓଡ଼ିଶା ଭଲିବଲ୍‌ ଶୁକ୍ରବାର ଅପୂର୍ବ ତଥା ଐତିହାସିକ ସଫଳତା ଅର୍ଜନ କରିଛି। ସ୍ଥାନୀୟ କିଟ୍‌ ବିଶ୍ବବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ଯୁବ (୧୯ ବର୍ଷରୁ କମ୍‌) ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ କାଂସ୍ୟ ପଦକ ଜିତିଥିଲା ବେଳେ ମହିଳା ଦଳ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି। ଏହା ହେଉଛି ଜାତୀୟ ଭଲିବଲ୍‌ ଇତିହାସରେ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ। ପୁରୁଷ ଦଳ କେବେ ବି କାଂସ୍ୟ ପଦକ ଜିତିନଥିଲା। ପ୍ରଥମ ଥର ସେମିଫାଇନାଲ୍‌ରେ ପହଞ୍ଚିଥିବା ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ କିନ୍ତୁ ଏହି ପର୍ଯ୍ୟାୟରେ ହାରି କାଂସ୍ୟ ପାଇଁ ଲଢ଼ିଥିଲେ। ଶୁକ୍ରବାର କାଂସ୍ୟ ମୁକାବିଲାରେ ଓଡ଼ିଶା ପୁରୁଷ ଦଳ ଦିଲ୍ଲୀକୁ ୩-୧ ସେଟ୍‌ରେ (୨୫-୧୬, ୨୫-୨୦, ୧୭-୨୫, ୨୬-୨୪) ହରାଇ ତୃତୀୟ ସ୍ଥାନ ଅଧିକାର କରିଥିଲା। ହେଲେ ମହିଳା ଦଳ ହରିୟାଣାଠୁ ୨-୩ (୨୫-୧୪, ୨୨-୨୫, ୨୫-୨୨, ୨୩-୨୫, ୧୫-୧୨)ରେ ହାରି କାଂସ୍ୟ ପଦକରୁ ବଞ୍ଚିତ ହୋଇଥିଲା। ଏହି ସଫଳତା ପାଇଁ ଓଡ଼ିଶା ବାଳକ ଦଳକୁ ୭୫,୦୦୦ ଟଙ୍କା ଏବଂ ବାଳିକା ଦଳକୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି କିଟ୍‌।

ସେହିଭଳି ମହିଳା ଫାଇନାଲ୍‌ରେ କେରଳ ୩-୦ (୨୧-୧୬, ୨୫-୧୯, ୨୫-୧୪) ସେଟ୍‌ରେ ତାମିଲନାଡ଼ୁକୁ ଏବଂ ପୁରୁଷରେ ପଞ୍ଜାବ ୩-୨ (୨୧-୨୫, ୨୧-୨୫, ୨୫-୧୫, ୨୫-୨୨, ୧୫-୧୩) ସେଟ୍‌ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଦଳକୁ ପରାସ୍ତ କରି ବିଜେତା ମୁକୁଟ ହାତେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଏମ୍‌ଜିଏମ୍‌ ମିନେରାଲ୍‌ସ ଲିମିଟେଡ୍‌ ନିର୍ଦେଶକ ପଙ୍କଜ ଲୋଚନ ମହାନ୍ତି, ଭାରତୀୟ ଭଲିବଲ୍‌ ମହାସଂଘ ମୁଖ୍ୟ ଉପଦେଷ୍ଟା ତଥା ଓଡ଼ିଶା ଭଲିବଲ୍‌ ସଂଘ ସଭାପତି ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ବବିଦ୍ୟାଳୟ କୁଳପତି ଶରଣଜିତ ସିଂହ, ପୂର୍ବତନ ଚାନ୍‌ସେଲର ଏନ୍‌ଏଲ୍‌ ମିତ୍ର, କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version