Nayagarh Bus Accident: ବ୍ୟାରିକେଡ୍କୁ ଧକ୍କା ଦେଇ ୩୦ ଫୁଟ୍ ତଳକୁ ଖସିଲା ବସ୍,୩ ଗୁରୁତର, ୨୦ରୁ ଅଧିକ ଆହତ

ନୟାଗଡ଼, ୧୮/୦୮: ନୟାଗଡ଼ ସହର ବାଇପାସ୍ର ପଣ୍ଡୁସର ଏବଂ ଇଟାମାଟି ମଝିରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ରାସ୍ତାକଡ଼କୁ ଓଲଟି ପଡ଼ିଛି ଏକ ଯାତ୍ରୀବାହୀ ବସ୍। ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଆସୁଥିବା ‘ଓମ୍ ଚକାଡୋଳା’ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟା ସମୟରେ ବସ୍ଟି ରାସ୍ତାକଡ଼ରେ ଥିବା ସିମେଣ୍ଟ ବ୍ୟାରିକେଡକୁ ଧକ୍କା ଦେଇ ପ୍ରାୟ ୩୦ ଫୁଟ୍ ତଳକୁ ଖସିପଡ଼ିଥିଲା। ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ବସ୍ ଡ୍ରାଇଭର୍ଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
ଡ୍ରାଇଭର୍ଙ୍କ କହିବା ଅନୁଯାୟୀ, ରାସ୍ତାରେ ଦୁଇଟି ବାଇକ୍କୁ ବଞ୍ଚାଇବାକୁ ଯାଇ ବସ୍ଟି ଭାରସାମ୍ୟ ହରାଇଥିଲା। ଏହାପରେ ବସ୍ଟି ବାରିକେଡ୍ରେ ଧକ୍କା ଦେଇ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍ର କାଚ ଭାଙ୍ଗି ବାହାରକୁ ଆସିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଏବଂ ଇଟାମାଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାର୍ଯ୍ୟ ଚଳାଇ ଆହତ ଯାତ୍ରୀମାନଙ୍କୁ ନୟାଗଡ଼ ମେଡିକାଲ୍କୁ ନିଆଯାଇଥିଲା। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରହିଛି।
ସୌଜନ୍ୟ ପ୍ରମେୟ




