ଡେଙ୍ଗୁ ନେଲା ଯୁବ ସଫ୍ଟୱେର ଇଞ୍ଜିନିୟରଙ୍କ ଜୀବନ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ରାୟଗଡ଼ା ୧୮/୦୮: ବେଙ୍ଗାଲୁରୁରେ କାର୍ଯ୍ୟରତ ଜଣେ ଯୁବ ସଫ୍ଟୱେର ଇଞ୍ଜିନିୟରଙ୍କ ଡେଙ୍ଗୁରେ ଅକାଳ ମୃତ୍ୟୁ ହୋଇଛି । ସେ ହେଲେ ରାୟଗଡ଼ା ସହର କସ୍ତୁରୀ ନଗରର ଗୌରୀ ପଟ୍ଟନାୟକଙ୍କ ପୁଅ ସନ୍ଦୀପ ପଟ୍ଟନାୟକ(୩୧) ।
ସନ୍ଦୀପ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ । କିଛିଦିନ ପୂର୍ବେ ସେ ଅସୁସ୍ଥ ହୋଇଥିଲେ । ଔଷଧ ଖାଇବା ପରେ ବି କୌଣସି ପରିବର୍ତ୍ତନ ହୋଇ ନ ଥିଲା । ଗତ ତିନିଦିନ ପୂର୍ବେ ଜଣ୍ଡିସ୍ ହୋଇଥିବା ସନ୍ଦେହରେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ହସ୍ପପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶନିବାର ରାତିରେ ସନ୍ଦୀପଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମରଶରୀରକୁ ରବିବାର ବିଳମ୍ବିତ ରାତିରେ ବାଙ୍ଗାଲୁରୁରୁ ରାୟଗଡ଼ା ଅଣାଯାଇଥିଲା । ସୋମବାର ସକାଳେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସନ୍ଦୀପଙ୍କ ଏଭଳି ଅକାଳ ବିୟୋଗକୁ ପରିବାର, ବନ୍ଧୁବର୍ଗ ଓ ପରିଚିତ ସହଜରେ ଗ୍ରହଣ କରିପାରିନାହାନ୍ତି । ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୌଜନ୍ୟ ପ୍ରମେୟ




