ରାଜ୍ୟ

jan-akrosh ମହିଳା ସଂରକ୍ଷଣ ବିଲ୍ ସମର୍ଥନରେ ବିଜେପିର ଜନ ଆକ୍ରୋଶ ସମାବେଶ

କଲ୍ୟାଣସିଂହପୁର: କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ମଣ୍ଡଳ ବିଜେପି ପକ୍ଷରୁ ଏକ ବିଶାଳ ‘ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଅଜିତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳର ପଦାଧିକାରୀ,ବରିଷ୍ଠ କାର୍ଯ୍ୟକର୍ତ୍ତା, ବିଜେପି ଦଳର ଶତାଧିକ ମହିଳା ଯୋଗ ଦେଇଥିଲେ।

ଏହି ସମାବେଶରେ ରାଜ୍ୟ ଜନଜାତି ମୋର୍ଚ୍ଚା ଉପ ସଭାପତି ବସନ୍ତ ଉଲାକା,ରାଜ୍ୟ ଯୁବ ମୋର୍ଚ୍ଚା ଉପ ସଭାପତି ଉମେଶ ଖସଲା ଏବଂ କଲ୍ୟାଣସିଂହପୁର ମହିଳା ମୋର୍ଚ୍ଚା ସଭାପତି ଡି.ନୀଳିମା ଅଚାରୀ ପ୍ରମୁଖ ଉପସ୍ଥିତ ରହି ମହିଳା ସଶକ୍ତୀକରଣ ଓ ନାରୀ ମାନଙ୍କ ଅଧିକାର ସମ୍ପର୍କରେ ମତ ପ୍ରକାଶ କରିଥିଲେ। ବକ୍ତାମାନେ କହିଥିଲେ ଯେ, ନାରୀ ଶକ୍ତିର ସମ୍ମାନ ଓ ସଂବିଧାନିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରର ମୋଦୀ ସରକାର ଆଣିଥିବା ଐତିହାସିକ ‘ମହିଳା ସଂରକ୍ଷଣ ବିଲ୍’କୁ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ବିରୋଧ କରି ମହିଳାଙ୍କ ସ୍ୱାର୍ଥକୁ ଅବହେଳା କରିଛନ୍ତି।

ବିଲ୍ ସପକ୍ଷରେ ଭୋଟ ନଦେବା ମହିଳାଙ୍କ ଅଧିକାର ପ୍ରତି ବିରୋଧୀଙ୍କ ଅନାଗ୍ରହକୁ ପ୍ରମାଣ କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ କଲ୍ୟାଣସିଂହପୁର ମଣ୍ଡଳର ଶତାଧିକ ମା ଓ ଭଉଣୀମାନେ ରାଜରାସ୍ତାକୁ ଓହ୍ଲାଇ ବିଶାଳ ଶୋଭାଯାତ୍ରା କରି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ କୁଶପୁତଳିକୁ ଚପଲରେ ପିଟି ପ୍ରତିବାଦ ସହ ଦାହ କରିଥିଲେ । ସେହିପରି ବିରୋଧୀ ଦଳର ମହିଳା ବିରୋଧି ନୀତି ବିରୁଦ୍ଧରେ ଜୋରଦାର ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ଦିନରେ ମହିଳାଙ୍କ ହକ,ଅଧିକାର ଓ ସମ୍ମାନ ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ସମାବେଶରେ ସଂକଳ୍ପ ଗ୍ରହଣ କରାଯାଇଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button