କଟକ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଗୟାବନ୍ଧ ମାଙ୍କଡ଼ା ପଥର ଖଣି ନାଁରେ ଅନ୍ୟ ସ୍ଥାନରୁ ବେଆଇନ ଭାବେ ପଥର ଖନନ ଓ ଚାଲାଣ କରାଯାଇଥିବା ଅଭିଯୋଗ ନେଇ ଦାୟର ମାମଲାକୁ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନଜିଟି) ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।
ଗୟାବନ୍ଧ ଖଣିରୁ କୌଣସି ପଥର ଖନନ କରାଯାଇ ନଥିବା ବେଳେ ରେକର୍ଡରେ କିନ୍ତୁ ଏଠାରୁ ୬୩୫୪ ଘନମିଟର ପଥର ୱାଇ’ ଫର୍ମ/ଟ୍ରାଞ୍ଜିଟ ପାସ ମାଧ୍ୟମରେ ପରିବହନ କରାଯାଇଥିବା ଦର୍ଶାଯିବା ଅଭିଯୋଗର ଯାଞ୍ଚ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳକୁ ଯାଇ ବାସ୍ତବ ସ୍ଥିତି ସଂପର୍କିତ ରିପୋର୍ଟ ଦାଖଲ ପାଇଁ ଖଣି ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ବନ ଅଧିକାରୀଙ୍କ ପ୍ରତିନିଧିଙ୍କୁ ନେଇ ଯୁଗ୍ମ କମିଟି ଗଠନ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏକ ମାସ ଭିତରେ ଅଭିଯୋଗର ଯାଞ୍ଚ କରିବା ସହିତ ଘଟଣାସ୍ଥଳକୁ ଯାଇ ଯୁଗ୍ମ କମିଟି ରିପୋର୍ଟ ଦାଖଲ କରିବ।
ରିପୋର୍ଟରେ ସୁଧାରମୂଳକ ପଦକ୍ଷେପ ସଂକ୍ରାନ୍ତରେ ମଧ୍ୟ ପରାମର୍ଶ ରହିବ। ଏହାପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ଏପରି ରିପୋର୍ଟର କପି ସଂପୃକ୍ତ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଯିବ। ଏହାପରେ ଏକ ମାସ ଭିତରେ ସମସ୍ତ ପକ୍ଷଙ୍କୁ ପକ୍ଷ ରଖିବାର ସୁଯୋଗ ଦେଇ କର୍ତ୍ତୃପକ୍ଷ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହାପରେ ଏକ ମାସ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଏନଜିଟିରେ ଦାଖଲ ହେବ। ଏନଜିଟି ପୂର୍ବଜୋନ୍ ଖଣ୍ଡପୀଠର ବିଚାରବିଭାଗୀୟ ସଦସ୍ୟ ଜଷ୍ଟିସ ଏ.କେ.ତ୍ୟାଗୀ ଓ ବିଶେଷଜ୍ଞ ସଦସ୍ୟ ଈଶ୍ବର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଗୟାବନ୍ଧ ପଥର ଖଣିର ପରିବେଶ ମଞ୍ଜୁରୀ ପ୍ରଥମେ ଟାଙ୍ଗୀ ତହସିଲଦାରଙ୍କ ସପକ୍ଷରେ ୨୦୨୧, ମାର୍ଚ୍ଚ ୧୨ରେ ପ୍ରଦାନ କରାଯାଇଥିଲା। ୧୨.୩୩ ଏକର ଜମିରୁ ବାର୍ଷିକ ୧୮୦୦ ଘନମିଟର ପଥର ଉତ୍ପାଦନ ପାଇଁ ଅନୁମତି ରହିଥିଲା। ପରବର୍ତ୍ତୀ ସମୟରେ ୨୦୨୨, ମାର୍ଚ୍ଚ ୧୫ରେ ଜଣଙ୍କ ନାମକୁ ପରିବେଶ ମଞ୍ଜୁରୀ ଟ୍ରାନ୍ସଫର ହୋଇଥିବା ବେଳେ ୨୦୨୬, ଜୁଲାଇ ୧୩ରେ ଏହା ଅନ୍ୟଏକ ବ୍ୟକ୍ତିଙ୍କ ନାମକୁ ଟ୍ରାନ୍ସଫର ହୋଇଥିଲା। ୨୦୨୧ରୁ ୨୦୨୬, ମେ ୧ ମଧ୍ୟରେ ଗୟାବନ୍ଧ ଖଣିରୁ କୌଣସି ପଥର ଖନନ ହୋଇ ନଥିବା ଗୁଗୁଲ ଆର୍ଥର ହିଷ୍ଟୋରିକାଲ ଇମେଜରୁ ଜଣା ପଡ଼ିଥିଲା। କିନ୍ତୁ ୨୦୨୨ରୁ ଏ ପର୍ଯ୍ୟନ୍ତ ୬୩୫୪ ଘନମିଟର ପଥର ଗୟାବନ୍ଧ ଖଣିରୁ ପରିବହନ ନେଇ ୱାଇ ଫର୍ମ/ଟ୍ରାଞ୍ଜିଟ ପାସ ପ୍ରଦାନ କରାଯାଇଥିବା ଖୋର୍ଦ୍ଧା ଖଣି ଅଧିକାରୀଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରୁ ଜଣା ପଡ଼ୁଛି ଯେ ଅନୁମତିପ୍ରାପ୍ତ ଗୟାବନ୍ଧ ଖଣି ଅଞ୍ଚଳରୁ ପଥର ଖନନ କରାଯାଇ ନାହିଁ। ନିକଟବର୍ତ୍ତୀ କୌଣସି ସ୍ଥାନରୁ ବେଆଇନ ଭାବେ ପଥର ଖନନ କରାଯାଇ ଗୟାବନ୍ଧ ଖଣି ନାମରେ ଚାଲାଣ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।
ସୌଜନ୍ୟ ସମ୍ବାଦ