ରାଜ୍ୟ

ମାନସିକ ପୂରଣ ପାଇଁ ଯାଉଥିଲା ପରିବାର, ପାଲଟିଗଲା ଶେଷ ଯାତ୍ରା

ଭୁବନେଶ୍ବର: ରାସ୍ତାରେ ଭୟଙ୍କର ଦୃଶ୍ୟ। ଅଟୋ ଭିତରେ ଝୁଲି ରହିଛି ପୂରା ପରିବାରର ମୃତ ଦେହ। ଆହୁରି ୪ ମୃତଦେହ ରାସ୍ତା ଉପରେ ପଡ଼ିଛି। ଆକାରଣରେ ଚାଲିଗଲା ଗୋଟିଏ ପରିବାରର ୬ ଜୀବନ। ଖୁସିରେ ମାନସିକ ପୂରଣ ଲାଗି ମୁଣ୍ଡନ କରିବାକୁ ଯିବାବେଳେ ଘଟିଛି ଏମିତି ଏକ ଦୁଃଖଦ ଖବର । ଯେଉଁଥିରେ ଛାରଖାର୍ ହୋଇଯାଇଛି ପୂରା ପରିବାର । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କାରେ ହୋଇ ଗୋଟିଏ ପରିବାରର ୨ ନାବାଳିକାଙ୍କ ସମେତ ୬ ଜଣଙ୍କର ଚାଲିଯାଇଛି ଜୀବନ।

ସୂଚନା ଅନୁସାରେ, ଗଞ୍ଜାମ ସୋରଳ ରୋଡ୍ ଏରେଣ୍ଡା ଗାଁରୁ ଗୋଟିଏ ପରିବାର ଅଟୋରେ ବାହାରିଥିଲେ ପୋଲସରାସ୍ଥିତ ମା’ ସିଂହାସନୀ ପୀଠକୁ। ସିଂହାସିନୀ ମାଆଙ୍କ ନିକଟରେ ଛୁଆର ଚୁଟି ପଡ଼ିଥାନ୍ତା। ହେଲେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ‘ଡାଇମଣ୍ଡ’ ବସ୍ ଅଟୋକୁ ସାମ୍ନାପଟୁ ଦେଇଥିଲା ଶକ୍ତ ଧକ୍କା। କେବଳ ଧକ୍କା ନୁହେଁ ଘୋଷାଡ଼ି ନେଇଥିଲା। ଏଥିରେ ଅଟୋଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ୬ ଜଣଙ୍କର ଉଡ଼ିଯାଇଥିଲା ପ୍ରାଣବାୟୁ । ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ୨ ନାବାଳିକା ରହିଛନ୍ତି ।

ତେବେ ପୁରୁଷୋତ୍ତମପୁର ଏସଡିଓ ସୁଜିତ୍ କୁମାର ନାୟକଙ୍କ ସମେତ କୋଦଳା ପୋଲିସ କରୁଥିବା ବେଳେ ଦୁର୍ଘଟଣା ଘଟାଇଥିବା ବସ୍ ଜବତ କରାଯାଇଛି। ଅବଶ୍ୟ ଚାଳକ ଫେରାର ମାରିଛି ତଥାପି ହେଲ୍ପରକୁ ଅଟକ ରଖିଛି ପୁଲିସ । ସେପଟେ ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ମୃତକଙ୍କ ପରିବାରଙ୍କୁ ରେଡ଼କ୍ରସ ପକ୍ଷରୁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କଗିବାକୁ ଘୋଷଣା କରା ଯାଇଛି। ଅଧିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

 

 

ସୌଜନ୍ୟ Prameya News7

Show More
Back to top button