ରାଜ୍ୟ

Odia music: ଅଫେରା ରାଇଜରେ ଗୀତନଇର ମାଝୀ

ଶେଷ ହୋଇ ନ ଥିଲା ଶ୍ରାବଣ, ଥମି ବି ନଥିଲା ପୂବେଇ ପବନ। ସଙ୍ଗୀତ ନାମକ ସାଗରରେ ନିଜ ଡଙ୍ଗା ସଜିଲ୍‌ କରି, ସରଗମ ଲହରେଇ ଲହରେଇ ଆମକୁ କିମିଆଁ କରିଥିବା ସେହି ମାଝୀ କିନ୍ତୁ ଫେରାର୍। ସେହି କାତ ଅଛି, ହେଲେ ମାଝୀ କେଉଁ ଅକାତ କାତ ଦରିଆକୁ ଆଦରି ନେଇଛନ୍ତି, ଯେଉଁଠାରୁ କେହି ଫେରନ୍ତିନି।

ଶେଷ ହୋଇ ନ ଥିଲା ଶ୍ରାବଣ, ଥମି ବି ନଥିଲା ପୂବେଇ ପବନ। ସଙ୍ଗୀତ ନାମକ ସାଗରରେ ନିଜ ଡଙ୍ଗା ସଜିଲ୍‌ କରି, ସରଗମ ଲହରେଇ ଲହରେଇ ଆମକୁ କିମିଆଁ କରିଥିବା ସେହି ମାଝୀ କିନ୍ତୁ ଫେରାର୍। ସେହି କାତ ଅଛି, ହେଲେ ମାଝୀ କେଉଁ ଅକାତ କାତ ଦରିଆକୁ ଆଦରି ନେଇଛନ୍ତି, ଯେଉଁଠାରୁ କେହି ଫେରନ୍ତିନି। ଏବେ କେବଳ ଅଶ୍ରୁଝରାର ବେଳ। ସେହି ମାଝୀ ପ୍ରଣବ କିଶୋର ପଟ୍ଟନାୟକ। ଓଡ଼ିଆ ସଙ୍ଗୀତର ପ୍ରଣବ ସ୍ବର। ଯେଉଁ ସ୍ବର ଦଶନ୍ଧି ଦଶନ୍ଧି ଧରି ଓଡ଼ିଆଙ୍କୁ ବାନ୍ଧି ରଖିଥିଲା କିମିଆଁରେ, ଯେଉଁ ସ୍ବରରେ ଜୀବନ ଥିଲା, ଗଭୀର ଓ ଗମ୍ଭୀର ଆତ୍ମାର ସ୍ବର ସହ ଯାହା ଅବିକଳ ମିଶି ଯାଉଥିଲା। ସେହି ସ୍ବର କେବଳ ସେହି ସ୍ବର ହିଁ ଥିଲା, ଯାହାର ବିକଳ୍ପ ଅସମ୍ଭବ। ସେମିତି ପ୍ରଣବ କେବଳ ପ୍ରଣବ ହିଁ ଥିଲେ। ନିଜର ଉଦାହରଣ ନିଜେ, ନିଜର ପ୍ରମାଣ ବି ନିଜେ। ତାଙ୍କ ଅବର୍ତ୍ତମାନରେ ‘ସମ୍ବାଦ’ର ଅଶ୍ରୁଭିଜା ଶବ୍ଦାଞ୍ଜଳି। ପିଲାଦିନେ ବଡ଼ ଭଉଣୀ ସଙ୍ଗୀତ ଶିଖୁଥିଲେ। ଶିଖାଇବା ପାଇଁ ତାଙ୍କ ଘରକୁ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞ ଆସୁଥିଲେ। ବଡ଼ ଭଉଣୀଙ୍କର ସଙ୍ଗୀତ ଶିକ୍ଷା ଚାଲିଥିବାବେଳେ ପିଲାଟି ପାଖରେ ବସି ସବୁ ଶୁଣେ। ଶୁଣି ଶୁଣି ତା’ର ବି ଗାଇବାକୁ ଇଚ୍ଛାହୁଏ। କିନ୍ତୁ ସମସ୍ତଙ୍କ ଆଗରେ ଗାଇବାଲାଗି ମନରେ ସଙ୍କୋଚ। କାଳେ କିଏ ହସିଦେବ! କ’ଣ କହିବ!

ତେବେ ଗୀତର ନିଶା ତ ଲାଗି ଯାଇଥାଏ। ପିଲାଟି ସେଥିପାଇଁ ଲୁଚିଲୁଚି ଦର୍ପଣ ଆଗରେ ଠିଆହୋଇ ଗାଇବା ଆରମ୍ଭ କରେ- ଯୋଉଠି ଗାୟକ ଓ ଶ୍ରୋତା ଉଭୟ ସେ ନିଜେ। ଏମିତି ବଡ଼ ଭଉଣୀଙ୍କ ପାଖରେ ବସି ଶୁଣିବା ଓ ପରେ ଦର୍ପଣ ଆଗରେ ଠିଆହୋଇ ଗାଇବାରେ ଅନେକ ଦିନ ବିତିଗଲା। ତେବେ ଦିନେ ତାଙ୍କର ଏ ଗୋପନ ଗାୟନ କଥା ଜଣା ପଡ଼ିଯାଏ। ସେକଥା ଶୁଣି ସଙ୍ଗୀତଜ୍ଞ ଗୁରୁ ତାଙ୍କୁ ଦୁଇ ତିନିଟି ହିନ୍ଦୀ ଭଜନ ଶିଖାଇଦେଲେ। ଏବେ ପିଲାଟିର ମନରୁ ସଙ୍କୋଚଭାବ କଟିବା ଆରମ୍ଭ କଲା। ସେ ଏମିତି ଗାଇଲା ଯେ ମାତ୍ର ପାଞ୍ଚ ବର୍ଷ ବୟସରେ ତା’କୁ ମଞ୍ଚ ଉପରେ ଗାଇବାର ସୁଯୋଗ ମିଳିଲ। ଅନ୍ନପୂର୍ଣ୍ଣା ଥିଏଟରରେ ମଞ୍ଚସ୍ଥ ହେଉଥିବା ଏକ ନାଟକରେ ଗୀତଟିଏ ଗାଇବାକୁ ପ୍ରସ୍ତାବ ଆସିଲା। ନାଟକ ଆରମ୍ଭରେ ବାଳକ ଗାୟକ ଗାଇଥିଲା ଗୋଟିଏ ଭଜନ- ‘‘ଭଗବାନ ତୁମେ ଭକତ ବାନ୍ଧବ ବୋଲାଉଛ ଭବେ କାହିଁ…’’। ଏ ଗୀତଟିକୁ ଗୁରୁ ବିନୋଦବିହାରୀ ଶ୍ରୀଚନ୍ଦନ ତା’କୁ ଶିଖାଇଥିଲେ। ଗୀତଟିକୁ ଶୁଣି ସେଦିନ ଅନେକ ଲୋକ ଖୁସିରେ ତା’କୁ କୋଳକରି ଆଦର କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button