ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ପାଇଁ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି (ମଙ୍ଗଳବାର) ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଗଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଅଛି।
ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ନିଜ ନିଜ ମତାମତ ଓ ପରାମର୍ଶ ରଖିଥିଲେ।
ବୈଠକରେ ଆଗାମୀ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ଏହି ସର୍ଭେ ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ, ଅଦ୍ୟତନ ଓ ତ୍ରୁଟିଶୂନ୍ୟ କରିବା ସହ ଯୋଗ୍ୟ ଭୋଟରମାନଙ୍କ ନାମ ତାଲିକାରେ ସଠିକ ଭାବେ ସ୍ଥାନ ପାଇବା ଏବଂ ଅଯୋଗ୍ୟ, ସ୍ଥାନାନ୍ତରିତ କିମ୍ବା ମୃତ ଭୋଟରଙ୍କ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯିବ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜନୈତିକ ଦଳକୁ ଏହି ଘରକୁ ଘର ସର୍ଭେ ପ୍ରକ୍ରିୟାରେ ସକ୍ରିୟ ଭାବେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ବିଶେଷକରି, ପ୍ରତ୍ୟେକ ରାଜନୈତିକ ଦଳ ନିଜର ବୁଥ୍ସ୍ତରୀୟ ଏଜେଣ୍ଟ (BLA) ମାନଙ୍କୁ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ର ଗୁଡିକରେ ନିୟୋଜିତ କରିବା ସହ ସର୍ଭେ ସମୟରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଆୟୋଗ ପକ୍ଷରୁ ଅନୁରୋଧ କରାଯାଇଛି।
ସମସ୍ତ ରାଜନୈତିକ ଦଳମାନଙ୍କୁ ଅକ୍ଟୋବର ୧୫ ତାରିଖ ସୁଦ୍ଧା BLA ଙ୍କ ତଥ୍ୟ ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ( AERO ) ତଥା ଗ୍ରାମାଞ୍ଚଳ ପାଇଁ ବିଡିଓ ଙ୍କ ପାଖରେ ସହରାଞ୍ଚଳ(NAC ଓ MUNICIPALITY ) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ମହାନଗର ନିଗମ ପାଇଁ ଡେପୁଟି କମିଶନର /ଆସିଷ୍ଟାଣ୍ଟ କମିଶନର ଙ୍କ ପାଖରେ ଦାଖଲ କରିବା ପାଇଁ ଅନୁରୋଧ କରାଯାଇଛି ।
ସୌଜନ୍ୟ ସମ୍ବାଦ