Odissi dance-music: ଓଡ଼ିଶୀ ନୃତ୍ୟ-ସଙ୍ଗୀତ ହିଁ ଓଡ଼ିଆ ଅସ୍ମିତାର ପ୍ରକୃତ ପ୍ରମାଣ: ପ୍ରିୟମ୍ବଦା ମହାନ୍ତି ହେଜମାଦି
ଓଡ଼ିଶୀ ନୃତ୍ୟସଙ୍ଗୀତ ବିଶ୍ୱର କୋଣ ଅନୁକୋଣରେ ପ୍ରବେଶ କରିଛି। ଆମର ପ୍ରାଚୀନ ଐତିହ୍ୟ ଓ ସ୍ଥାପତ୍ୟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳେ। ସଂପ୍ରତି ବହୁ ବିଦେଶୀ କଳାକାର ନିଷ୍ଠାର ସହିତ ଓଡ଼ିଶୀ ନୃତ୍ୟସଙ୍ଗୀତ....

ଭୁବନେଶ୍ବର: ଓଡ଼ିଶୀ ନୃତ୍ୟସଙ୍ଗୀତ ବିଶ୍ୱର କୋଣ ଅନୁକୋଣରେ ପ୍ରବେଶ କରିଛି। ଆମର ପ୍ରାଚୀନ ଐତିହ୍ୟ ଓ ସ୍ଥାପତ୍ୟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳେ। ସଂପ୍ରତି ବହୁ ବିଦେଶୀ କଳାକାର ନିଷ୍ଠାର ସହିତ ଓଡ଼ିଶୀ ନୃତ୍ୟସଙ୍ଗୀତ ଅଧ୍ୟୟନ କରି ଏହାକୁ ବିଶ୍ବ ଦରବାରରେ ପରିବ୍ୟାପ୍ତ କରୁଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ଓଡ଼ିଶୀ ନୃତ୍ୟସଙ୍ଗୀତ ହିଁ ଓଡ଼ିଆ ଅସ୍ମିତାର ପ୍ରକୃତ ପ୍ରମାଣ। ‘ଆମ ଓଡ଼ିଶା’ର ୩୦ତମ ପ୍ରତିଷ୍ଠା ଦିବସ, ‘ପୌରୁଷ’ ପତ୍ରିକାର ହୀରକ ଜୟନ୍ତୀ ଏବଂ ‘ଆମ ଓଡ଼ିଶା’ ସାପ୍ତାହିକୀର ସ୍ବନକ୍ଷତ୍ର ଅବସରରେ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ତ୍ରିବେଣୀ ମହୋତ୍ସବରେ ମୁଖ୍ୟଅତିଥି ଲବ୍ଧପ୍ରତିଷ୍ଠ ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରିୟମ୍ବଦା ମହାନ୍ତି ହେଜମାଦି ଏହା କହିଛନ୍ତି।
ଏହି ମହୋତ୍ସବରେ ବିଶିଷ୍ଟ ସ୍ବରସାଧିକା ଶ୍ୟାମାମଣି ଦେବୀଙ୍କୁ ‘ଆମ ଓଡ଼ିଶା ଅସ୍ମିତା ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। ଉତ୍ତରୀୟ, ଫଳକ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ୟାମାମଣିଙ୍କ ଆତ୍ମଜୀବନୀ ‘ଶ୍ୟାମା ସଙ୍ଗୀତ’ର ଲୋକାର୍ପଣ କରାଯାଇଥିଲା। କୃତଜ୍ଞତାରେ ଶ୍ୟାମାମଣି ଦେବୀ କହିଲେ, ସଙ୍ଗୀତ ଓ ମାଟିର ସେବା ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ସଙ୍ଗୀତ ସାଧନା ଜାରି ରଖିବି। ଶ୍ରୋତାମାନଙ୍କୁ ଦୁଇପଦ ଗୀତ ଶୁଣାଇବାରେ ଯେଉଁ ଆନନ୍ଦ ତାହା ଜୀବନର ଶ୍ରେଷ୍ଠ ଉପଲବ୍ଧି ବୋଲି କହିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସଭାରେ ପୌରୋହିତ୍ୟ କରି କହିଲେ, ଓଡ଼ିଆ ଭାଷାର ସୁରକ୍ଷା ଲାଗି ଆରମ୍ଭ ହୋଇଥିବା ‘ଆମ ଓଡ଼ିଶା’ ଅନୁଷ୍ଠାନ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ଓଡ଼ିଆ ଭାଷାଜ୍ଞାନ, ରକ୍ତଦାନ, ପୁନଶ୍ଚ ପୃଥିବୀ ଏବଂ ଷାଠିଏ ପୂରିଲା ନୂଆ ଜୀବନ ଆରମ୍ଭ ହେଲା ଆଦି ଅଭିଯାନ ଜନାଦୃତ ହୋଇପାରିଛି। ‘ସବୁଘର ସାହିିତ୍ୟ ଘର ହେଉ ଏବଂ ସବୁଘର ରକ୍ତଭଣ୍ଡାର ହେଉ’ ଏହି ଅଭିଯାନ ହିଁ ‘ଆମ ଓଡ଼ିଶା’କୁ ରାଜ୍ୟର ସବୁଠାରୁ ବଡ଼ ପରିବାର ରୂପରେ ଗଢ଼ି ତୋଳିଛି।
‘ଆମ ଓଡ଼ିଶା’ ତ୍ରିବେଣୀ ମହୋତ୍ସବ
ଶ୍ୟାମାମଣି ଦେବୀଙ୍କୁ ‘ଆମ ଓଡ଼ିଶା ଅସ୍ମିତା ସମ୍ମାନ-୨୦୨୬’
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସଂପାଦକ ତନୟା ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କହିଲେ, ‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟର ହିତ ପାଇଁ ଅନେକ କାମ କରି ଆସୁଛି। ଶ୍ରେଷ୍ଠ ଓଡ଼ିଆ ଭାବେ ଗର୍ବ କରିବା, ସମାଜ ଗଠନର ଦାୟିତ୍ୱ ନେବା ଏବଂ ସତ୍ୟକୁ ସାହସର ସହିତ କହିବା ଆଦି ପ୍ରେରଣାଦାୟୀ କାର୍ଯ୍ୟ ନିମନ୍ତେ ‘ଆମ ଓଡ଼ିଶା’ ପ୍ରତିଶ୍ରୁତିବଦ୍ଧ। ଏକ ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ବ୍ୟବସ୍ଥା ଓ ବ୍ୟକ୍ତି ମଧ୍ୟରେ ‘ଆମ ଓଡ଼ିଶା’ ସେତୁବନ୍ଧ ପାଲଟିଛି ବୋଲି ସେ କହିଥିଲେ। ‘ଆମ ଓଡ଼ିଶା’ର ଉପସଭାପତି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ‘ଆମ ଓଡ଼ିଶା’ର ଅଭିଯାତ୍ରା ସମ୍ପର୍କରେ ମତଦେଇ କହିଲେ, ଓଡ଼ିଆ ଭାଷା, ଓଡ଼ିଶାର ସାହିତ୍ୟ, ସଂସ୍କୃତି, ପରମ୍ପରାର ପ୍ରଚାରପ୍ରସାର ଓ ସମାଜ କଲ୍ୟାଣ ଦିଗରେ ‘ଆମ ଓଡ଼ିଶା’ ନିଜକୁ ପରିବ୍ୟାପ୍ତ କରିପାରିଛି।
ସୌଜନ୍ୟ ସମ୍ବାଦ




