ଦେଶ ବିଦେଶ

Operation ‘Epic Fury’: ଅପରସେନ ‘ଏପିକ୍ ଫ୍ୟୁରି’ ଶେଷ: ରୁବିଓ

ତେହେରାନ: ଇରାନ ବିରୋଧରେ ଆମେରିକା ଏହାର ଆକ୍ରମଣାତ୍ମକ ଅଭିଯାନ ଶେଷ କରିଛି। ଆମେରିକା ଫେବ୍ରୁଆରି ୨୮ରେ ଇରାନ ବିରୋଧରେ ଆରମ୍ଭ କରିଥିବା ‘ଅପରେସନ ଫ୍ୟୁରି’କୁ ଶେଷ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଂଗ୍ରେସ (ଆମେରିକା ସଂସଦ)କୁ ଏହି ଅପରେସନ ଓ ଯୁଦ୍ଧର ସମ୍ପୃକ୍ତ ପର୍ଯ୍ୟାୟ ଶେଷ ହୋଇଥିବା କହିଛନ୍ତି ବୋଲି ମଙ୍ଗଳବାର ୱାସିଂଟନର ବିଦେଶ ସଚିବ ମାର୍କ ରୁବିଓ ହ୍ବାଇଟ ହାଉସ୍‌ଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ହର୍ମୁଜରେ ଜାହାଜ ଚଳାଚଳ ପାଇଁ ‘ଅପରେସନ ଫ୍ରିଡମ୍‌’ ଉପରେ ଗୁରୁତ୍ବ

ଅନ୍ୟପକ୍ଷରେ ଆମେରିକା ବର୍ତ୍ତମାନ ‘ଅପରେସନ ଫ୍ରିଡମ୍‌’ ଆରମ୍ଭ କରିଛି। ରାଷ୍ଟ୍ରପତି ଟ୍ରମ୍ପ ଅପରେସନ ଫ୍ରିଡମ୍‌ ମାଧ୍ୟମରେ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଟ୍ରମ୍ପ ‘ଟ୍ରୁଥ୍‌ ସୋସିଆଲ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ପ୍ରୋଜେକ୍ଟ ଫ୍ରିଡମ୍‌ ସ୍ବଳ୍ପ ସମୟ ପାଇଁ ସ୍ଥଗିତ ରଖାଯାଇଛି। ଇରାନ ସହିତ ଚୁକ୍ତି ସ୍ବାକ୍ଷର ହୋଇପାରୁଛି କି ନାହିଁ ସେଥିପାଇଁ ଏହାକୁ ବନ୍ଦ ରଖାଯାଇଛି। ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି କାୟମ୍‌ ଥିଲେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ହର୍ମୁଜ ପ୍ରଣାଳୀରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବର୍ଷଣ ହୋଇଛି। ଅନ୍ୟ ପକ୍ଷରେ ଇରାନ ସଂସଦର ବାଚସ୍ପତି ମହମ୍ମଦ ବଘେର୍‌ ଗାଲିବାଫ୍‌ ମଙ୍ଗଳବାର କହିଛନ୍ତି ଯେ, ଆମେରିକାର ଉଭୟ ଅପରେସନ ଫ୍ରିଡମ୍‌ ଓ ହର୍ମୁଜ ପ୍ରଣାଳୀରେ ଅବରୋଧ କରିବା ଯୁଦ୍ଧବିରତି ଉଲ୍ଲଂଘନର ଉଦାହରଣ।

ଇରାନ ଉପରେ ଲାଗିପାରେ ଜାତିସଂଘ ପ୍ରତିବନ୍ଧକ

ଆମେରିକା ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ଇରାନ ଉପରେ କଟକଣା ଲଗାଇବାକୁ ପ୍ରସ୍ତୁତି ଚାଲିଛି। ବାହାରିନ୍‌, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କୁଏତ ଓ କତର ସହିତ ଆମେରିକା ଆଣିଥିବା ପ୍ରସ୍ତାବ ଉପରେ ମଙ୍ଗଳବାର ଜାତିସଂଘ ସୁରକ୍ଷା ପରିଷଦରେ ରୁଦ୍ଧ ଦ୍ବାର ଆଲୋଚନା ହୋଇଛି। ଯଦି ଏହି ପ୍ରସ୍ତାବ ପାରିତ ହୋଇଯାଏ ‌ତେବେ ଇରାନ ଉପରେ କଟକଣା ଲାଗିବାର ସମ୍ଭାବନା ରହିଛି। ଏହାଦ୍ବାରା ହର୍ମୁଜ ପ୍ରଣାଳୀରେ ବ୍ୟବସାୟିକ ଜାହାଜ ଉପରେ ଯଦି ଇରାନ ଆକ୍ରମଣ ବନ୍ଦ ନ କରେ ତେବେ ଜାତିସଂଘ ସୁରକ୍ଷା ବାହିନୀ ମୁତୟନ କରିପାରେ ବୋଲି ଖବର ସରବରାହ ସଂସ୍ଥା ରଏଟର୍ସ ପ୍ରକାଶ କରିଛି। ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ ଇରାନର ଆକ୍ରମଣ ବନ୍ଦ ଓ ହର୍ମୁଜ ପ୍ରଣାଳୀରେ ମାଇନ୍‌ ବିଛେଇବା ବନ୍ଦ କରିବା ଦାବି କରି ଆମେରିକା ସମର୍ଥିତ ଜାତିସଂଘ ପ୍ରସ୍ତାବ ଆଣିବାକୁ ଆହ୍ବାନ ଦେଇଥିଲେ। ଏହାକୁ ଜାତିସଂଘର ପ୍ରଭାବ ଉପରେ ପରୀକ୍ଷା ବୋଲି ରୁବିଓ କହି ଚୀନ୍‌ ଓ ରୁ‌ଷ୍‌କୁ ଏହା ଉପରେ ଭିଟୋ ପ୍ରୟୋଗ ନ କରିବାକୁ କହିଥିଲେ। ପୂର୍ବରୁ ଆମେରିକା ସମର୍ଥିତ ବାହାରିନ୍‌ ପକ୍ଷରୁ ଦିଆଯାଇଥିବା ଏପରି ଏକ ଉପରେ ଚୀନ୍‌ ଓ ରୁଷ୍‌ ଭିଟୋ ପ୍ରୟୋଗ କରିଥିଲେ। ରଏଟର୍ସ ଦ୍ବାରା ହସ୍ତଗତ ହୋଇଥିବା ଚିଠା ପ୍ରସ୍ତାବରେ ଇରାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ଏବଂ ଏହାଦ୍ବାରା ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବା କୁହାଯାଇଛି। ଏଥିରେ ଇରାନ ତୁରନ୍ତ ଆକ୍ରମଣ ବନ୍ଦ କରିବା ଓ ହର୍ମୁଜ ପ୍ରଣାଳୀରେ ଥିବା ମାଇନ୍ସର ସ୍ଥିତି ଜଣାଇବା ଓ ଏହାକୁ ସଫେଇ କରିବାରେ ବାଧା ସୃଷ୍ଟି ନକରିବାକୁ ଆମେରିକା ଦାବି କରିଛି।

ଚୀନ୍‌ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ଆରାଘଚି

ଅନ୍ୟପକ୍ଷରେ ଇରାନ କହିଛି ଯେ, ରୁବିଓ ନିର୍ଲଜ୍ଜ ଭାବେ ସତ୍ୟକୁ ବିକୃତ କରିଛନ୍ତି। ୱାସିଂଟନ ଓ ତେହେରାନ ମଧ୍ୟରେ ବିବାଦ ଭିତରେ ଇରାନର ବିଦେଶ ମନ୍ତ୍ରୀ ଆବାସ୍‌ ଆରାଘଚି ବେଜିଂରେ ତାଙ୍କ ଚୀନ୍‌ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଦୁଇ ନେତା ଦ୍ବିପାକ୍ଷିକ ଆଲୋଚନା ସହିତ ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତି ଉପରେ ଆଲୋଚନା କରିପାରନ୍ତି।

 

 

ସୌଜନ୍ୟ ସମ୍ବାଦ

 

 

Show More
Back to top button