Dara Singh Release Case ; ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ, ଦାରାଙ୍କୁ ଛାଡ଼ିବ କି ନାହିଁ ଜଣାଅ

ନୂଆଦିଲ୍ଲୀ, ୯/୯ : ଖ୍ରୀଷ୍ଟଧର୍ମ ପ୍ରଚାରକ ଗ୍ରାହମ୍ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ମୁକ୍ତି ମାମଲା ନେଇ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି । ଓଡ଼ିଶା ସରକାର ବାରମ୍ବାର ତାଙ୍କ ଆଭିମୁଖ୍ୟ ବଦଳାଉଥିବାରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ, ଦାରାଙ୍କୁ ଛାଡିବ କି ନାହିଁ-ଜବାବ ଦିଅ ? ନଚେତ୍ ଆସନ୍ତା ଶୁଣାଣି ସମୟରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତଲବ କରାଯିବ । ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ମଙ୍ଗଳବାର ଦାରା ସିଂହ ମୁକ୍ତି ମାମଲାର ଶୁଣାଣି ହୋଇଥିଲା । ଓଡିଶା ସରକାରଙ୍କ ପକ୍ଷରୁ ଜଣେ ଜୁନିୟର ଓକିଲ ଉପସ୍ଥିତ ହୋଇ କହିଥିଲେ ଯେ, ରାଜ୍ୟ ସରକାରଙ୍କ ନିୟମିତ ଓକିଲ ଅସୁସ୍ଥ ଥିବାରୁ ଜବାବ ଦାଖଲ ହୋଇପାରିନାହିଁ ।
ଏଥିରେ ଦାରା ସିଂହଙ୍କ ଓକିଲ ଏପି ସିଂହ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ କହିଥିଲେ ଯେ, ଓଡିଶା ସରକାର ଜାଣିଶୁଣି ପ୍ରତି ଶୁଣାଣିରେ ଏଭଳି ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି । ଖଣ୍ଡପୀଠ ମଧ୍ୟ ଓଡିଶା ସରକାରଙ୍କ ଏଭଳି ପଦକ୍ଷେପରେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଥିଲେ । ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଥିଲେ ଯେ, ଦାରା ସିଂହଙ୍କୁ ଛାଡିବ କି ନାହିଁ ଏହାର ଜବାବ ଦିଅ । ନହେଲେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତଲବ କରାଯିବ । ଏହାଫଳରେ ସୁପ୍ରିମକୋର୍ଟରେ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୭କୁ ଧାର୍ଯ୍ୟ ହୋଇଛି । ଉଲ୍ଲେଖନୀୟ ଯେ, ଦାରା ସିଂହ ଗତ ୨୬ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଜେଲରେ ରହିଆସିଛନ୍ତି । ପୂର୍ବ ଶୁଣାଣି ସମୟରେ ଓଡିଶା ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟ ସରକାରଙ୍କ ଜେଲଦଣ୍ଡ ରିଭ୍ୟୁ ବୋର୍ଡ ଅଗଷ୍ଟ ୧୫ ସୁଦ୍ଧା ଦାରାଙ୍କ ମୁକ୍ତି ନେଇ ନିଷ୍ପତ୍ତି ନେବ । ଏହାର ପରବର୍ତ୍ତୀ ଶୁଣାଣିରେ ରାଜ୍ୟ ସରକାରଙ୍କ ଓକିଲ ପୁଣି କହିଥିଲେ ଯେ, ଦାରା ଉତ୍ତରପ୍ରଦେଶର ନିବାସୀ ହୋଇଥିବାରୁ ତାଙ୍କ ବାସସ୍ଥାନ ଓ ଅନ୍ୟ ପ୍ରମାଣପତ୍ର ଯାଞ୍ଚଚାଲିଛି । ଏହି କାମ ସରିଲେ ରାଜ୍ୟ ସରକାର ତାଙ୍କ ଜବାବ ଦେବେ । ସେତେବେଳେ ମଧ୍ୟ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାଫଳରେ ଶୁଣାଣି ଆଜିକୁ ରହିଥିଲା ।
ସୌଜନ୍ୟ ପ୍ରମେୟ




