Orangutans: ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ମାମଲା, ଦୀଘା ହୋଟେଲ୍ ତଦନ୍ତରେ ବଢ଼ୁଛି ରହସ୍ୟ, ଅନ୍ଧାରରେ ବାଡି଼ ବୁଲାଉଛି STF
ଭୁବନେଶ୍ୱର/ଭୋଗରାଈ/ଚନ୍ଦନେଶ୍ୱର/ ବାରଙ୍ଗ,୧୫/୦୯: ଓଡ଼ିଶାରୁ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣାରେ କିଛି ଥଳକୂଳ ପାଉନି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଚୋରାଚାଲାଣର ମାଷ୍ଟରମାଇଣ୍ଡ କୁହାଯାଉଥିବା କୋଲକାତା ବାସିନ୍ଦା ଜି. ମାଇତି ଓ ପୁଅ ଏସ୍. ମାଇତିଙ୍କ ବାବଦରେ ଅଧିକାରୀମାନେ କିଛି ମୁହଁ ଖୋଲୁନାହାନ୍ତି । ସେମାନେ ଭାରତରେ ଲୁଚିଛନ୍ତି ନା ବିଦେଶକୁ ପଳାଇଛନ୍ତି, ତାହା ବି ଅସ୍ପଷ୍ଟ ।
ଶ୍ରୀ ମାଇତିଙ୍କ ଦୀଘାରେ ଥିବା ହୋଟେଲରେ ଗତ ଗୁରୁବାରଠାରୁ କାହିଁକି ତାଲା ପଡ଼ିଛି? ସୋମବାର ରାତିରେ ସେଠାରେ କ’ଣ ଘଟିଥିଲା? ଗୁରୁବାର ପୂର୍ବରୁ ହୋଟେଲରେ କାହିଁକି ଘନଘନ ଯାଞ୍ଚ କରାଯାଇଥିଲା? ସେନେଇ ମଧ୍ୟ କେହି କିଛି କହୁନାହାନ୍ତି । ସିସିଟିଭି ଫୁଟେଜ୍ରୁ ସେତେଟା ପ୍ରମାଣ ନ ମିଳିଥିବାରୁ ଏସ୍ଟିଏଫ୍ ମଧ୍ୟ ଖାଲି ଅନ୍ଧାରରେ ବାଡି଼ ବୁଲାଉଛି । ହୋଟେଲ ସାମ୍ନାରେ ଧଳାକାରରୁ ଓରାଙ୍ଗଉଟାନ୍ ଭର୍ତ୍ତି ବାକ୍ସକୁ ରହସ୍ୟମୟ ଥର୍ ଗାଡି଼ରେ ରଖାଯାଇଥିଲା କି ? ତାହା ମଧ୍ୟ ସ୍ପଷ୍ଟ କରୁନି ଏସ୍ଟିଏଫ୍ । ସେପଟେ ବାପା ପୁଅ ଦୁହେଁ ଗଳାବାଟ ଦେଇ ବାଂଲାଦେଶ କିମ୍ବା ନେପାଳକୁ ପଳାଇଥିବା ଅନୁମାନ କରାଯାଉଛି ।
କୋଲକାତା ପୁଲିସ ଜାଣିବାକୁ ପାଇଛି ଯେ, ଶ୍ରୀ ମାଇତିଙ୍କ ଜଣେ ସମ୍ପର୍କୀୟ ଭାଇ ଅଭିଜିତ୍ ଉକ୍ତ ହୋଟେଲର ବ୍ୟବସାୟିକ ପାର୍ଟନର ଅଛନ୍ତି । ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି । ହାୱଡ଼ାର ଆନ୍ଦୋଲ ଅଞ୍ଚଳରୁ ଅଭିଜିତ୍ଙ୍କୁ ସୋମବାର ଦୀଘାକୁ ଅଣାଯାଇ ହୋଟେଲରେ ଛାନ୍ଭିନ୍ କରାଯାଇଛି ।ପଶ୍ଚିମବଙ୍ଗ ପୁଲିସ ଓ ଏସଟିଏଫ୍ ଏପର୍ଯ୍ୟନ୍ତ ଦୀଘାରେ ପ୍ରାୟ ୫୦ରୁ ଅଧିକ ହୋଟେଲରେ ଯାଞ୍ଚ କରିସାରିଲାଣି ।
ଆଉ ଦିନେ କି ଦୁଇ ଦିନ ଭିତରେ ଶାବକଗୁଡି଼କର ଡିଏନ୍ଏ ପରୀକ୍ଷା କରାଯିବ । ଉଚ୍ଚସ୍ତରୀୟ ବୈଷୟିକ କମିଟିର ସଦସ୍ୟମାନେ ଭର୍ଚୁଆଲ୍ ମୋଡରେ ଏକ ବୈଠକ କରିଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ସନତ ନାରାୟଣ ସମସ୍ତ ସଦସ୍ୟଙ୍କୁ ଶାବକଗୁଡି଼କର ସ୍ୱାସ୍ଥ୍ୟାବସ୍ଥା ନେଇ ଅବଗତ କରାଇଛନ୍ତି । ଖୁବ୍ଶୀଘ୍ର ଟିମ୍ର ସଦସ୍ୟମାନେ ନନ୍ଦନକାନନରେ ପହଞ୍ଚିବେ । ଡିିଏନ୍ଏ ପରୀକ୍ଷାରୁ ରିପୋର୍ଟ ମିଳିବା ପରେ ଶାବକଗୁଡି଼କୁ ସଂଗରୋଧ ଗୃହରୁ ବାହାରକୁ ଅଣାଯିବ କି ନାହିଁ, ସେନେଇ ବିଶେଷଜ୍ଞମାନେ ବିଚାରବିମର୍ଶ କରିବେ ।
ସୌଜନ୍ୟ ପ୍ରମେୟ




