Police: ପୁଲିସ ନଜରରେ ରହିବ ସାଲିଆସାହି

ସାଲିଆସାହି ଉପରେ ସ୍ବତନ୍ତ୍ର ନଜର ରଖିବ ପୁଲିସ। ଦିନରାତି ଏହି ଅଞ୍ଚଳ ଭିତରେ ପୁଲିସ ପହରା ମାରିବ। ଅପରାଧ ଘଟିବା କ୍ଷଣି ପୁଲିସ ପହଞ୍ଚିବ। ଅପରାଧୀକୁ ଧରିବ। ସମସ୍ୟାର....

ଚନ୍ଦ୍ରଶେଖରପୁର: ସାଲିଆସାହି ଉପରେ ସ୍ବତନ୍ତ୍ର ନଜର ରଖିବ ପୁଲିସ। ଦିନରାତି ଏହି ଅଞ୍ଚଳ ଭିତରେ ପୁଲିସ ପହରା ମାରିବ। ଅପରାଧ ଘଟିବା କ୍ଷଣି ପୁଲିସ ପହଞ୍ଚିବ। ଅପରାଧୀକୁ ଧରିବ। ସମସ୍ୟାର ସମାଧାନ କରିବ, ନ ହେଲେ କାର୍ଯ୍ୟାନୁଷ୍ଠାନ ନେବ। ସାଲିଆସାହିରେ ବଢ଼ୁଥିବା ଅପରାଧକୁ ନଜରରେ ରଖି କମିସନରେଟ୍‌ ପୁଲିସ ଏଭଳି ଯୋଜନା ପ୍ରସ୍ତୁତ କରିଛି। ବସ୍ତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ସାଲିଆସାହିରେ ହିଁ ନିର୍ମାଣ ଚାଲିଛି ମୈତ୍ରୀବିହାର ଥାନାର ନୂଆ ବିଲଡିଂ। ଚନ୍ଦ୍ରଶେଖରପୁର, ସହିଦନଗର ଓ ନୂଆପଲ୍ଲୀ ଥାନା ଉପରୁ ଚାପ କମାଇବାକୁ ୨୦୨୩‌ରେ ପ୍ରତିଷ୍ଠା ହୋଇଥିବା ମୈତ୍ରୀବିହାର ଥାନା ଏବେ ନିଜସ୍ବ କୋଠାକୁ ଯିବାକୁ ପ୍ରସ୍ତୁତ ହେଉଛି। ଯେଉଁଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ ରହିବ। ବିଲଡିଂ ନିର୍ମାଣ କାମ ଶେଷ ସହ ରଙ୍ଗ ଲଗାଇବା କାର୍ଯ୍ୟ ସାରି ଉଦ୍‌ଘାଟନ ଅପେକ୍ଷାରେ ରହିଛି।

ମୈତ୍ରୀବିହାର ଫାଣ୍ଡିକୁ ଥାନାର ମାନ୍ୟତା ମିଳିବା ପରେ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ ସହିଦନଗର ଭଳି ୩ଟି ଗୁରୁତ୍ବପୂର୍ଣ୍ଣ ଥାନା ଚାପମୁକ୍ତ ହୋଇଛି। ମୈତ୍ରୀବିହାର ଥାନା ଅଧୀନରେ ସାଲିଆସାହିର ୪୩ଟି ବସ୍ତି ସମେତ ମେ’ ଫେୟାର୍ ହୋଟେଲ୍‌ର ପଛପାର୍ଶ୍ବ, ଦୂରଦର୍ଶନ କେନ୍ଦ୍ର, ସୈନିକ ସ୍କୁଲର ଅପରପାର୍ଶ୍ବ, ପ୍ରେସ୍ ଛକ, କେୟାର୍ ହସ୍ପିଟାଲ୍‌ରୁ ଲୁମ୍ବିନୀବିହାର ଦେଇ ଉତ୍କଳ ହସ୍ପିଟାଲ୍, ସପ୍ତମ ବାଟାଲିୟନ, ରେଳବିହାର, ରେଳସଦନ, ଜାଭିୟର୍ ଛକ ପ୍ରମୁଖ ଅଞ୍ଚଳ ରହିଛି। ମୈତ୍ରୀବିହାର ଥାନାରେ ଦୁଇଟି ପିସିଆର୍‌ ଭ୍ୟାନ୍‌ ରହିଛି, ଯାହାକୁ ଚଢ଼ଉ ବେଳେ ବ୍ୟବହାର କରାଯାଉଛି। ମାତ୍ର ବାଇକ୍‌ ପିସିଆର୍‌ ନ ଥିବାରୁ ବସ୍ତି ଉପରେ ନଜର ରଖିବା ସମ୍ଭବପର ହେଉ ନାହିଁ। ସାଲିଆସାହିରେ ପୁଲିସ ମିତ୍ର ପ୍ରସ୍ତୁତ କରାଯାଇପାରି ନାହିଁ।
କମିସନରେଟ୍‌ ପୁଲିସର ଜଣେ ଅଧିକାରୀଙ୍କ କହିବାନୁଯାୟୀ ସାଲିଆସାହି ନିକଟକୁ ମୈତ୍ରୀବିହାର ଥାନା ଆସିବା ପରେ ପୁଲିସ ପହରା ବଢ଼ିବ। କିଛି ନ ହେଲେ ବି ଥାନା ଉପରୁ ସାଲିଆସାହି ଉପରେ ନଜର ରଖାଯାଇପାରିବ। ପୁଲିସ କର୍ମଚାରୀମାନେଅଳ୍ପ ସମୟ ମଧ୍ୟରେ ବାଇକ୍‌ ସାହଯ୍ୟରେ ଘଟଣାସ୍ଥଳରେ ପହଞ୍ଚିପାରିବେ।

ସୌଜନ୍ୟ ସମ୍ବାଦ

Exit mobile version