Raghav: ଉପନେତା ପଦବିରୁ ହଟା ଯିବାକୁ ନେଇ ରାଘବ-ଆପ୍‌ ମୁହାଁମୁହିଁ

ରାଜ୍ୟସଭାରେ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ପଞ୍ଜାବ ସାଂସଦ ରାଘବ ଚଢ଼ାଙ୍କୁ ଉପନେତା ପଦରୁ ହଟେଇବା ପରେ ଏହାକୁ ନେଇ ବିବାଦ ଦେଖାଯାଇଛି।

ନୂଆଦିଲ୍ଲୀ: ରାଜ୍ୟସଭାରେ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ପଞ୍ଜାବ ସାଂସଦ ରାଘବ ଚଢ଼ାଙ୍କୁ ଉପନେତା ପଦରୁ ହଟେଇବା ପରେ ଏହାକୁ ନେଇ ବିବାଦ ଦେଖାଯାଇଛି। ରାଘବ ଚଢ଼ା ଏହି ପ୍ରସଙ୍ଗରେ ଆଜି ମୁହଁ ଖୋଲିଥିବାବେଳେ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପଞ୍ଜାବ ସାଂସଦଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି। ଗତକାଲି ରାଘବଙ୍କୁ ଉପନେତା ପଦବିରୁ ହଟାଯିବା ପରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ତାଙ୍କ ଭଲ ସମ୍ପର୍କ ନଥିବା ଚର୍ଚ୍ଚା ହୋଇଥିଲା। ତେବେ ରାଘବ ଗତକାଲି ଏହି ପ୍ରସଙ୍ଗରେ ଚୁପ୍‌ ଥିବାବେଳେ ଶୁକ୍ରବାର ଏକ ଭିଡିଓ ବାର୍ତ୍ତା ଜାରି କରି ଜବାବ ରଖିଛନ୍ତି।

ସେ କହିଛନ୍ତି, ତାଙ୍କୁ ଚୁପ୍‌ କରିଦିଆଯାଇଛି, କିନ୍ତୁ ସେ ହାରି ନାହାନ୍ତି। ରାଜ୍ୟସଭାରେ ତାଙ୍କୁ କହିବାକୁ ନଦେବାକୁ ଦଳ ପକ୍ଷରୁ ଚିଠି ଲେଖାଯାଇଛି ବୋଲି ଅଭିଯୋଗ କରିଥିଲେ। ଜବାବରେ ଆପ୍‌ର ଜାତୀୟ ଗଣମାଧ୍ୟମ ମୁଖ୍ୟ ଅନୁରାଗ ଧଣ୍ଡା ରାଘବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କହିବାକୁ କ୍ରମଶଃ ଅନିଚ୍ଛା କରୁଥିବା ଅଭିଯୋଗ କରିଛନ୍ତି। ଯିଏ ମୋଦୀଙ୍କୁ ଡରିବ, ସେ ଦେଶ ପାଇଁ କିପରି ଲଢ଼ିବ ବୋଲି ଧଣ୍ଡା ପ୍ରଶ୍ନ କରିଛନ୍ତି।

ସେହିପରି ଆପ୍‌ ନେତା ସୌରଭ ଭରଦ୍ବାଜ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ରାଘବଙ୍କୁ ନିର୍ଭୀକ ହେବାକୁ ପରାମର୍ଶ ଦେଇଛନ୍ତି। ଭାରଦ୍ବାଜ କହିଛନ୍ତି, ଯୋ ଡର୍‌ ଗୟା ସମ୍‌ଝୋ ମର୍‌ ଗୟା’। ରାଘବଙ୍କୁ ନିର୍ଭୀକ ଭାବେ ସଂସଦରେ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ କେନ୍ଦ୍ର ସରକାର ଉପ‌ରେ ତୀବ୍ର ଆକ୍ରମଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ‘ସିଙ୍ଗଡ଼ା’ ପରି ‘ସଫ୍ଟ ପିଆର୍‌’ ଦ୍ବାରା ସଂସଦର ସମୟରେ ନଷ୍ଟ ନକରି ବଡ଼ ପ୍ରସଙ୍ଗ ଉଠାଇବାକୁ କହିଛନ୍ତି।

ଭରଦ୍ବାଜ ଆହୁରି କହିଛନ୍ତି, ଛୋଟ ଛୋଟ ଦଳକୁ ସଂସଦରେ କହିବାକୁ ବହୁତ କମ୍‌ ସମୟ ମିଳୁଛି। ଏହି ସମୟକୁ ବଡ଼ ବଡ଼ ପ୍ରସଙ୍ଗ ଉଠାଇବାରେ ଉପଯୋଗ କରିବା କଥା। ସରକାରଙ୍କ ବିରୋଧରେ ବିରୋଧୀ ବ୍ଲକରେ ରାଘବ ସାମିଲ ନହେବାକୁ ମଧ୍ୟ ଭାରଦ୍ବାଜ ସମାଲୋଚନା କରିଛନ୍ତି। ଭାରଦ୍ବାଜ କହିଛନ୍ତି, ନିର୍ବାଚନ ଆୟୋଗ ବଡ଼ ଅନିୟମିତତାରେ ସାମିଲ ଥିବାବେଳେ ସିଇସିଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଥିବା ପ୍ରସ୍ତାବରେ ତୁମେ ସ୍ବାକ୍ଷର କରିନଥିଲ। ବିରୋଧୀ ସଂସଦରେ କକ୍ଷତ୍ୟାଗ କରିବା ସମୟରେ ତୁମେ ସେମାନଙ୍କ ସହିତ ଯୋଗ ଦେଉନାହଁ। ସଂସଦରେ ତୁମେ ପ୍ରଧାନମନ୍ତ୍ରୀ କିମ୍ବା ବିଜେପିକୁ ସିଧାସଳଖ ପ୍ରଶ୍ନ କରିପାରୁନ। ଗୁଜରାଟରେ ୧୬୦ କର୍ମୀଙ୍କ ବରୋଧରେ ମିଛ ମାମଲା ରୁଜୁ ହୋଇଛି। ଅନେକ ଗିରଫ ହୋଇଛନ୍ତି। ତଥାପି ତୁମେ ନିରବ ରହୁଛ ବୋଲି ଭାରଦ୍ବାଜ ରାଘବ ପ୍ରତିକ୍ରିୟା ଉପରେ କହିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Exit mobile version