Pressure On Modi: ମୋଦୀଙ୍କ ଉପରେ ଚାପ ପକାଇବା ଅନ୍ତର୍ଜାତୀୟ ସମ୍ପର୍କ ପାଇଁ ଖରାପ: ପୁଟିନ୍

ସେଣ୍ଟ ପିଟର୍ସବର୍ଗ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ମସ୍କୋର ନୂଆଦିଲ୍ଲୀ ସହିତ କୂଟନୈତିକ ସହଭାଗିତାକୁ ପ୍ରଶଂସାକରିଛନ୍ତି। ଭାରତକୁ ରୁଷ ସହିତ ସହଯୋଗ ହ୍ରାସ କରିବାକୁ ବାଧ୍ୟ କରିବାର ପାଶ୍ଚାତ୍ୟ ପ୍ରୟାସ ନିରର୍ଥକ ଓ ବିଶ୍ୱ ସ୍ଥିରତା ପାଇଁ କ୍ଷତିକାରକ ବୋଲି ପୁଟିନ୍ ଦାବି କରିଛନ୍ତି। ପିଟିଆଇ ସମେତ ପ୍ରମୁଖ ବିଶ୍ୱସ୍ତରୀୟ ସମ୍ବାଦ ସରବରାହ ସଂସ୍ଥାଗୁଡ଼ିକର ମୁଖ୍ୟଙ୍କ ସହ ଆଲୋଚନାରେ ପୁଟିନ ଭାରତର ଆର୍ଥିକ ଅଭିବୃଦ୍ଧି ଓ ଏହାର ସ୍ୱାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ରୁଷ ଭାରତ ସହିତ ଏହାର ଆର୍ଥିକ ସମ୍ପର୍କକୁ ବିସ୍ତାର କରିବାକୁ ସଂକଳ୍ପବଦ୍ଧ। ଭାରତ ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ଗୋଟିଏ ହୋଇଥିବାବେଳେ ବର୍ତ୍ତମାନ ଏକ ପ୍ରଭାବଶାଳୀ ହାରରେ ଆର୍ଥିକ ଅଭିବୃଦ୍ଧି ପ୍ରଦର୍ଶନ କରୁଛି। ପୁଟିନ କହିଥିଲେ ଯେ, ଆଗାମୀ ବର୍ଷଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୦୦ ବିଲିୟନ ଆମେରିକୀୟ ଡଲାରର ଛୁଇଁବ।
ନୂଆଦିଲ୍ଲୀ ନିଜର ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଉଛି
ପିଟିଆଇର ସିଇଓ ଓ ସମ୍ପାଦକ ବିଜୟ ଯୋଶୀଙ୍କ ପ୍ରଶ୍ନର ଉତ୍ତରରେ ପୁଟିନ କହିଛନ୍ତି, ସର୍ବାଧିକ ଆର୍ଥିକ ଅଭିବୃଦ୍ଧି ହାର ସହିତ ଭାରତ ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି ମଧ୍ୟରୁ ଗୋଟିଏ। ଏହା ହଠାତ୍ ହୋଇ ନଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର କରୁଥିବା କଠିନ ପରିଶ୍ରମର ଫଳାଫଳ ବୋଲି ରୁଷ୍ ରାଷ୍ଟ୍ରପତି କହିଛନ୍ତି। ପୁଟିନ କହିଛନ୍ତି ଯେ, ନୂଆଦିଲ୍ଲୀ ନିଜର ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ସହିତ ଭାରତର କୂଟନୈତିକ ସମ୍ପର୍କ ରୁଷ ସହିତ ଏହାର ସମୟ-ପରୀକ୍ଷିତ ସମ୍ପର୍କକୁ ବାଧା ସୃଷ୍ଟି କରୁନାହିଁ କିମ୍ବା ଦୁର୍ବଳ କରୁନାହିଁ। ରୁଷ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ରୁଷ ସହିତ ସହଯୋଗର କଥା ଆସିଲେ ପାଶ୍ଚାତ୍ୟ ଦେଶମାନେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ସମସ୍ତେ ବୁଝିସାରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତ ଉପରେ ଚାପ ଅନ୍ତର୍ଜାତୀୟ ସମ୍ପର୍କ ପାଇଁ କ୍ଷତିକାରକ।
ରୁଷ ରାଷ୍ଟ୍ରପତି କହିଛନ୍ତି ଯେ, ରୁଷ ଭାରତକୁ ଏକ ନିର୍ଭରଯୋଗ୍ୟ ସହଯୋଗୀ ଭାବରେ ବିବେଚନା କରେ ଓ ଅନ୍ୟ କୌଣସି ଦେଶ ସହିତ ନୂଆଦିଲ୍ଲୀର ଦ୍ୱିପାକ୍ଷିକ ସମ୍ପର୍କର କୌଣସି ନକାରାତ୍ମକ ପରିଣାମ ଦେଖୁନାହିଁ। ଭାରତ ଏକ ମହାନ ରାଷ୍ଟ୍ର ଓ ଗଣତନ୍ତ୍ର। ଭାରତ ସହିତ ରୁଷ୍ ତା’ର ସମ୍ପର୍କ ବିସ୍ତାର କରିବ ବୋଲି ପୁଟିନ୍ କହିଛନ୍ତି।
ସୌଜନ୍ୟ ସମ୍ବାଦ




