Rain Alert: ଜଳବନ୍ଦୀ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ; ସ୍ଥିତି ଅନୁଧ୍ୟାନ କରି ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ ବିଇଓ
ଲଗାଣ ବର୍ଷା ପରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ରାସ୍ତା ବିଚ୍ଛିନ୍ନ ସ୍ଥିତି ଉପୁଜିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

ବୈଶିଙ୍ଗା: ଲଗାଣ ବର୍ଷା ପରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ରାସ୍ତା ବିଚ୍ଛିନ୍ନ ସ୍ଥିତି ଉପୁଜିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆଜି, ମଙ୍ଗଳବାର, ବଡ଼ସାହି, ବେତନଟୀ ଓ ରାସଗୋବିନ୍ଦପୁର ବ୍ଲକରେ ସ୍ଥାନୀୟ ପରିସ୍ଥିତିକୁ ଅନୁଧ୍ୟାନ କରି ସ୍କୁଲ ବନ୍ଦ ସମ୍ପର୍କରେ ସମ୍ପୃକ୍ତ ବିଇଓମାନେ ନିଷ୍ପତ୍ତି ନେଇପାରିବେ।
କିଛି ସ୍କୁଲକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି
ଜିଲ୍ଲା ଶିକ୍ଷାଧିକାରୀଙ୍କ ସୂଚନା ଅନୁସାରେ, ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ଯଦି କୌଣସି ସ୍କୁଲ ଅଞ୍ଚଳ ଜଳବନ୍ଦୀ ହୋଇଥାଏ କିମ୍ବା ରାସ୍ତା ବିଚ୍ଛିନ୍ନ ହେବା ଯୋଗୁଁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଯାତାୟତରେ ସମସ୍ୟା ରହିଥାଏ, ତେବେ ସେହି ସ୍କୁଲଗୁଡ଼ିକୁ ବନ୍ଦ କରିବା ନେଇ ସମ୍ପୃକ୍ତ ବିଇଓମାନେ ନିଷ୍ପତ୍ତି ନେଇପାରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ବେତନଟୀ ବିଇଓଙ୍କ ନିଷ୍ପତ୍ତି ଅନୁଯାୟୀ ବେତନଟୀ ବ୍ଲକର ପାଟୁଳିପୁରା ପଞ୍ଚାୟତରେ ରାସ୍ତା କଟଅପ୍ ଓ ଯାତାୟତ ସମସ୍ୟା ଥିବା କିଛି ସ୍କୁଲକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି।
ସେହିପରି ବଡ଼ସାହି ବ୍ଲକର ଶାଳଗାଁ, ମାନଗୋବିନ୍ଦପୁର ଓ ଦୁର୍ଗାପୁର ପଞ୍ଚାୟତରେ ରାସ୍ତା ବିଚ୍ଛିନ୍ନ ଥିବା ଅଞ୍ଚଳର କିଛି ସ୍କୁଲକୁ ମଧ୍ୟ ବନ୍ଦ କରିବା ନେଇ ବଡ଼ସାହି ବିଇଓଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଶାସନର ଏହି ନିଷ୍ପତ୍ତି ଫଳରେ ଜଳବନ୍ଦୀ ଓ ରାସ୍ତା ବିଚ୍ଛିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବିପଦପୂର୍ଣ୍ଣ ଭାବେ ସ୍କୁଲ ଯିବାକୁ ପଡ଼ିବ ନାହିଁ। ସ୍ଥାନୀୟ ପରିସ୍ଥିତି ଉପରେ ନଜର ରଖି ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ଅନ୍ୟ ଅଞ୍ଚଳରେ ମଧ୍ୟ ସ୍କୁଲ ବନ୍ଦ ସମ୍ପର୍କରେ ବିଇଓମାନେ ନିଷ୍ପତ୍ତି ନେଇପାରିବେ।
ସୌଜନ୍ୟ ସମ୍ବାଦ




