ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଶୀତ ଓ ତୁଷାରପାତ ଲାଗି ରହିଥିବାବେଳେ ଆଗକୁ ମଧ୍ୟ ଏଥିରେ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଗାମୀ ଦିନରେ ଉତ୍ତର ଉତ୍ତର ଭାରତରେ ପ୍ରବଳ ବର୍ଷା ଓ ତୁଷାରପାତ ପାଇଁ ଚେତାବନୀ ଦେଇଛି। ହିମାଳୟ ଅଞ୍ଚଳରେ ପଶ୍ଚିମା ଝଡ଼ ପ୍ରଭାବରେ ଜାନୁଆରି ୩୧ରୁ ଫେବୃଆରି ୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଶନିବାରଠାରୁ ଉତ୍ତରପଶ୍ଚିମ ଭାରତ ତଥା ସଂଲଗ୍ନ କେନ୍ଦ୍ରୀୟ ଭାରତରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି। ଉତ୍ତରପଶ୍ଚିମ ଭାରତ, ସଂଲଗ୍ନ କେନ୍ଦ୍ରୀୟ ଭାରତ ତଥା ପୂର୍ବ ଭାରତର କେତେକ ସ୍ଥାନରେ ସୋମବାର ପର୍ଯ୍ୟନ୍ତ ଘନକୁହୁଡ଼ି ଦେଖାଯାଇପାରେ। ଦିଲ୍ଲୀରେ ଆକାଶ ମେଘାଚ୍ଛନ୍ନ ରହିବ, ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ।
ଦିଲ୍ଲୀରେ ସର୍ବାଧିକ ତାପମାତ୍ରା୧୭ ଡିଗ୍ରିରୁ ୧୯ ଡିଗ୍ରି ମଧ୍ୟରେ ରହିବ। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିରୁ ୮ ଡିଗ୍ରି ମଧ୍ୟରେ ରହିବ। ଶୁକ୍ରବାର ଦିଲ୍ଲୀରେ ଆକାଶ ମେଘୁଆ ରହିବା ସହିତ ହାଲୁକା କୁହୁଡ଼ି ଦେଖାଯିବ। ଶନିବାର ଦିଲ୍ଲୀରେ ଝଡ଼ ଓ ପବନ ସହିତ ହାଲୁକା ବର୍ଷା ହେବ। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ବୁଧବାର ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହୋଇଛି ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶ, ପୂର୍ବ ମଧ୍ୟ ପ୍ରଦେଶ ଓ କେନ୍ଦ୍ର ମହାରାଷ୍ଟ୍ର ଓ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି।
ଜାନୁଆରି ୩୦ରୁ ଉତ୍ତର ପଶ୍ଚିମ ଭାରତରେ ପାଣିପାଗରେ ପରିବର୍ତ୍ତନ ଆସିବ
ପଶ୍ଚିମା ଝଡ଼ ପ୍ରଭାବରେ ଜାନୁଆରି ୩୦ରୁ ଉତ୍ତର ପଶ୍ଚିମ ଭାରତରେ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି କୁହାଯାଇଛି। ବୁଧବାର ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ହାଲୁକା ବର୍ଷା ହୋଇଛି। ଜମ୍ମୁ ଏବଂ କାଶ୍ମୀର ସମେତ ଉତ୍ତର ଭାରତରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି।
ସୌଜନ୍ୟ ସମ୍ବାଦ
