Ration Card: ରାସନକାର୍ଡ୍‌ରୁ ବଞ୍ଚିତ ୭ ହଜାର ହିତାଧିକାରୀ

ସୁନ୍ଦରଗଡ଼ ଜିଲ୍ଲାରେ ଏବେ ମଧ୍ୟ ହଜାର ହଜାର ଯୋଗ୍ୟ ହିତାଧିକାରୀ ରାସନ କାର୍ଡ୍‌ ପାଇବାରୁ ବଞ୍ଚିତ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସାମିଲ ହୋଇପାରିନଥିବାରୁ ଯୋଗ୍ୟ ପରିବାର ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି।

ରାଉରକେଲା (ଦେବବ୍ରତ ଗଡ଼ତିଆ):ସୁନ୍ଦରଗଡ଼ ଜିଲ୍ଲାରେ ଏବେ ମଧ୍ୟ ହଜାର ହଜାର ଯୋଗ୍ୟ ହିତାଧିକାରୀ ରାସନ କାର୍ଡ୍‌ ପାଇବାରୁ ବଞ୍ଚିତ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସାମିଲ ହୋଇପାରିନଥିବାରୁ ଯୋଗ୍ୟ ପରିବାର ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ବାଧ୍ୟତାମୂଳକ ଇ-କେୱାଇସି ଯାଞ୍ଚ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)କୁ ସୁବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପ୍ରୟାସ ସତ୍ତ୍ୱେ, ଏହି ପ୍ରକ୍ରିୟା ନୂତନ ରାସନ କାର୍ଡ ପ୍ରଦାନ କରିବାରେ ଯଥେଷ୍ଟ ବିଳମ୍ବ କରୁଥିବା ପରିଲକ୍ଷିତ ହୁଏ। ବିଶେଷକରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଯାଞ୍ଚ ଆଳରେ ଖାମଖିଆଲି ନୀତି ଅବଲମ୍ବନ କରାଯାଉଥିବାରୁ ଉପଭୋକ୍ତା ହକ୍‌ ପାଇପାରୁନାହାନ୍ତି। ବହୁଦିନ ହେଲା ହିତାଧିକାରୀ ଆବେଦନ କରିଛନ୍ତି, କିନ୍ତୁ ବିଡ଼ମ୍ବନା ଏ ପର୍ଯ୍ୟନ୍ତ ଜିଲ୍ଲାର ୭୨୦୪ ଜଣ ଆବେଦନକାରୀଙ୍କୁ କାର୍ଡ ମିଳିପାରିନାହିଁ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୨୩ ଅନୁସାରେ ଜିଲ୍ଲାରେ ମୋଟ୍‌ ୪ ଲକ୍ଷ ୩୪ ହଜାର ୧୫୭ ପରିବାରର ୧୪ ଲକ୍ଷ ୩୯ ହଜାର ୩୯ ଜଣ ସଦସ୍ୟ ଅନ୍ତର୍ଭୁକ୍ତ। ସେହିଭଳି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୧୦,୦୬୨ ପରିବାରର ୧୭, ୧୮୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି। କିନ୍ତୁ ‌ଯୋଗ୍ୟ ହିତାଧିକାରୀ ଆବେଦନ କରିଥିଲେ ମଧ୍ୟ ଯାଞ୍ଚ କରାଯାଉଥିବା ଦର୍ଶାଇ ରାସନ କାର୍ଡ୍‌ ପ୍ରଦାନରେ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ ହୁଏ। ରାଉର‌କେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧିନରେ ସର୍ବାଧିକ ୪୫୦୫ଟି ଆବେଦନ ପଡ଼ିରହିଛି। ସେହିଭଳି ସୁନ୍ଦରଗଡ଼ ପୌରପାଳିକାରେ ୧୮୫, ବୀରମିତ୍ରପୁର ପୌରପାଳିକାରେ ୪୦ ଓ ରାଜଗାଙ୍ଗପୁର ପୌରପାଳିକାରେ ୨୭୪ଟି ଆବେଦନକୁ ସବୁଜ ସଙ୍କେତ ମିଳିପାରିନି।

ଏତଦ୍‌ବ୍ୟତୀତ, ବାଲିଶଙ୍କରା ବ୍ଲକରେ ୨୪ଟି, ବଡ଼ଗାଁରେ ୧୩, ବିଶ୍ରାରେ ୨୨, ବଣାଇଁରେ ୧୨୨, ଗୁରୁଣ୍ଡିଆରେ ୬୦, ହେମଗିରରେ ୧୦, କୋଇଡ଼ାରେ ୭୮୧, କୁଆରମୁଣ୍ଡାରେ ୩୨, କୁତ୍ରାରେ ୧୨୬, ଲହୁଣିପଡ଼ାରେ ୧୪୫, ଲାଠିକଟାରେ ୬୭୫, ଲେଫ୍ରିପଡ଼ାରେ ୨୪, ନୂଆଗାଁରେ ୫, ରାଜଗାଙ୍ଗପୁରରେ ୧୧୩, ସବଡେଗାରେ ୨, ସୁନ୍ଦରଗଡ଼ ସଦର ବ୍ଲକରେ ୨୫ ଓ ଟାଙ୍ଗରପାଲି ବ୍ଲକରେ ୨୧ଟି ଆବେଦନ ପଡ଼ିରହିଛି। ଉଲ୍ଲେଖଯୋଗ୍ୟ, ହିତାଧିକାରୀ ଆବେଦନ କରିବାପରେ ଜଣେ ବିଭାଗୀୟ ଅଧିକାରୀ ସେମାନଙ୍କ ଘରକୁ ଯାଇ ସଂପୂର୍ଣ୍ଣ ବିବରଣୀ ଯାଞ୍ଚ କରିଥାନ୍ତି। ସଫଳ ଯାଞ୍ଚ ପରେ କାର୍ଡ ସାଧାରଣତଃ ମାସେ ଭିତରେ ଅନୁମୋଦିତ ହୋଇଥାଏ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏଯାଏ ଅଧିକାରୀ ଯାଞ୍ଚ ପାଇଁ ହିତାଧିକାରୀଙ୍କ ପାଖରେ ପହଞ୍ଚିନାହାନ୍ତି। ଏଣୁ ନିର୍ଦ୍ଦିଷ୍ଟ କେବେ ଯାଞ୍ଚ ପ୍ରକ୍ରିୟା ସଂପନ୍ନ ହେବ ଓ ଯୋଗ୍ୟ ଉପଭୋକ୍ତା କାର୍ଡ ପାଇବେ, ତାହା ଅସ୍ପଷ୍ଟ।

ସୌଜନ୍ୟ ସମ୍ବାଦ

Exit mobile version