ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ରାଷ୍ଟ୍ର ଗଠନ ଓ ଦୀର୍ଘସ୍ଥାୟୀ ପ୍ରଗତିର ସଂକଳ୍ପ ସହ ୭୭ତମ ସାଧାରଣତନ୍ତ୍ର ଦିବସକୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି। ଏହି ଅବସରରେ ସଂସ୍ଥାର କର୍ପୋରେଟ୍ କାର୍ଯ୍ୟାଳୟ ପରିସରରେ ସିଇଓ ଶ୍ରୀ ଅରଭିନ୍ଦ ସିଂହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କମ୍ପାନିର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ଉତ୍ସବର ଅଂଶସ୍ୱରୂପ, ଟିପିସିଓଡିଏଲ୍ ପକ୍ଷରୁ ୩୦ ଜଣ ‘ଗ୍ରିନ୍ ଚାମ୍ପିୟନ’ (ପରିବେଶ ସଚେତନ ଉପଭୋକ୍ତା) ଯେଉଁମାନେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା (ୟୁଟିଲିଟି ଲେଡ ଏଗ୍ରିଗେସନ ମଡେଲ୍)ଅଧୀନରେ ନିଜ ଘର ଛାତରେ ସୌର ପ୍ରକଳ୍ପ ସ୍ଥାପନ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉପଭୋକ୍ତାମାନେ ୧ କିଲୋୱାଟ୍ର ସୌର ପ୍ୟାନେଲ୍ ଲଗାଇ ସବ୍ସିଡିର ଲାଭ ଉଠାଇବା ସହ ନିଜର ବିଦ୍ୟୁତ୍ ବିଲ୍କୁ ଯଥେଷ୍ଟ କମାଇ ପାରିଛନ୍ତି। ସ୍ୱଚ୍ଛ ଶକ୍ତିକୁ ଆପଣେଇ ଏହି ଉପଭୋକ୍ତାମାନେ ଦୀର୍ଘସ୍ଥାୟୀ ଜୀବନଶୈଳୀର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି, ଯାହା ଅନ୍ୟମାନଙ୍କୁ ପରିବେଶ ସୁରକ୍ଷା ଓ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଯୋଗାଇବ। ସମ୍ମାନିତ ଏହି ଚାମ୍ପିଅନ୍ମାନଙ୍କ ମଧ୍ୟରେ ପ୍ରତିଟି ଅପରେସନାଲ୍ ସର୍କଲରୁ ୫ ଜଣ ଲେଖାଏଁ ଏବଂ କର୍ପୋରେଟ୍ ଅଫିସରୁ ୫ ଜଣ ଉପଭୋକ୍ତା ସାମିଲ ଥିଲେ।
ଏହି ଅବସରରେ ଟିପିସିଓଡିଏଲ୍ ର ସିଇଓ ଶ୍ରୀ ଅରଭିନ୍ଦ ସିଂ କହିଛନ୍ତି ଯେ, ନାଗରିକମାନଙ୍କ ସଚେତନତା ଓ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତିରୁ ହିଁ ସ୍ୱଚ୍ଛ ଶକ୍ତିର ଯାତ୍ରା ଆରମ୍ଭ ହୋଇଥାଏ। ଆମର ଗ୍ରୀନ୍ ଚାମ୍ପିୟନମାନେ ପ୍ରମାଣ କରିଛନ୍ତି ଯେ ‘ପିଏମ୍ ସୂର୍ଯ୍ୟ ଘର ଯୋଜନା’ ମାଧ୍ୟମରେ ରୁଫ୍ଟପ୍ ସୋଲାର୍ ଆପଣାଇବା ଦ୍ୱାରା କିଭଳି ପରିବାରଗୁଡ଼ିକ ଉପକୃତ ହେବା ସହ ଦେଶର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରୁଛନ୍ତି। ସେଣ୍ଟ୍ରାଲ ଓଡ଼ିଶାରେ ଏଭଳି ଦୀର୍ଘସ୍ଥାୟୀ ଉଦ୍ୟମକୁ ପ୍ରୋତ୍ସାହିତ କରିବା ପାଇଁ ଟିପିସିଓଡିଏଲ୍ ସବୁବେଳେ ପ୍ରତିବଦ୍ଧ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ଏବଂ ଭାରତର ସବୁଜ ଶକ୍ତି ମିସନକୁ ସମର୍ଥନ କରିବା ପାଇଁ ଥିବା ଲକ୍ଷ୍ୟକୁ ପୁଣି ଥରେ ସ୍ପଷ୍ଟ କରିଛି। ଏହା ଭବିଷ୍ୟତରେ ଏକ ଶକ୍ତି ସୁରକ୍ଷିତ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି।
ସୌଜନ୍ୟ ସମ୍ବାଦ
