ରାଉରକେଲା: ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଯଦିଓ ପ୍ରକ୍ରିୟା ଆରମ୍ଭ ହୋଇଛି, କିନ୍ତୁ ଏହା ବେଗ ଧରିପାରୁନି। ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମି ହସ୍ତାନ୍ତର ଓ ବ୍ୟାପକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି। ପୂର୍ଣ୍ଣ କାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ପାଇଁ ଆହୁରି ଅନେକ ବର୍ଷ ଲାଗିବାକୁ ଥିବାବେଳେ ଯାତ୍ରୀ ଅସୁବିଧା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା-ଭୁବନେଶ୍ୱର ଓ ରାଉରକେଲା-କୋଲକାତା ରୁଟ୍ରେ ଏଟିଆର୍-୭୨ ବିମାନ ସେବା ପୁନର୍ବାର ଆରମ୍ଭ କରିବାକୁ ଦାବି ଜୋର୍ ଧରିଛି।
ଭରସାଯୋଗ୍ୟ ବିମାନ ସେବା ନିତାନ୍ତ ଆବଶ୍ୟକ
ବର୍ତ୍ତମାନ ରାଉରକେଲା-ଭୁବନେଶ୍ବର ରୁଟ୍ରେ ୯-ସିଟ୍ ବିଶିଷ୍ଟ ବିମାନ (ସେସ୍ନା ୨୦୮ କାରାଭାନ) ଚାଲୁଛି, ଯାହାକି ଯାତ୍ରୀମାନଙ୍କ ଆବଶ୍ୟକତା ପାଇଁ ଯଥେଷ୍ଟ ନୁହେଁ। ଆଗାମୀ ଦିନରେ ରାଉରକେଲା ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତାକୁ ୩୦,୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଦୁଇଗୁଣରୁ ଅଧିକ କରିବା ପାଇଁ କାମ ଆରମ୍ଭ ହେବ। ଫଳରେ ଏକ ଭରସାଯୋଗ୍ୟ ବିମାନ ସେବା, ନିତାନ୍ତ ଆବଶ୍ୟକ। ଗତ ଜାନୁଆରୀ ୧୦ ତାରିଖରେ ରାଉରକେଲା ଉପକଣ୍ଠ ଗାଡ଼ିଆଟୋଲା ନିକଟରେ ଏହି ବିମାନର ଜରୁରୀକାଳୀନ ଅବତରଣ ଯୋଗୁ ଯାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏହାପରଠାରୁ ଅନେକ ଯାତ୍ରୀ ଏହି ଛୋଟ ବିମାନରେ ଯାତ୍ରା କରିବାକୁ ଅନିଚ୍ଛାପ୍ରକାଶ କରୁଛନ୍ତି। ଏଣୁ, ଏହି ରୁଟ୍ରେ ପୂର୍ବଭଳି ଏଟିଆର୍-୭୨ ବିମାନ ପୁନଃ ଆରମ୍ଭ କରିବା, ଏକମାତ୍ର ବିକଳ୍ପ ପାଲଟିଛି। ଏକ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ସ୍ୱରୂପ ଏକ ୭୨-ସିଟ୍ ବିଶିଷ୍ଟ ବିମାନ ଚଳାଚଳ ସୁନିଶ୍ଚିତ କରିବାକୁ ସବୁ ମହଲରୁ ଦାବି ହେଉଛି। ଏନେଇ ସହରର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଦାବି ଦୋହରାଇଛନ୍ତି। କିଛି ଦିନ ପୂର୍ବେ ରାଉରକେଲା ବଣିକ ସଂଘ ପକ୍ଷରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆଲିଏନ୍ସ ଏୟାର୍ ଆର୍ସିଏସ୍-ଉଡାନ୍ ଯୋଜନାରେ ରାଉରକେଲା-ଭୁବନେଶ୍ବର ରୁଟ୍ରେ ସେବା ପ୍ରଦାନ କରୁଥିବାବେଳେ ୨୦୨୫ ଜୁଲାଇ ୧୬ ତାରିଖରୁ ବନ୍ଦ ହୋଇଯାଇଥିଲା। ଉକ୍ତ ବର୍ଷ ଜୁନ ମଧ୍ୟ ଭାଗରେ ରାଉରକେଲା-କୋଲକାତା ମଧ୍ୟରୁ ଉଡ଼ିଥିବା ବିମାନକୁ ମଧ୍ୟ କରିଦେଇଥିଲା। ଯାତ୍ରୀ ସଂଖ୍ୟା ପ୍ରାୟ ୯୦% ସଂରକ୍ଷିତ ରହୁଥିବା ସତ୍ତ୍ବେ ଏଟିଆର୍-୭୨ ବିମାନର ଅଭାବ ଦର୍ଶାଇ ସେବା ବନ୍ଦ କରିଥିଲା। ପରେ, ୨୦୨୫ ଡିସେମ୍ବର ୫ ତାରିଖରୁ ଅସ୍ଥାୟୀ ବ୍ୟବସ୍ଥାଭାବେ ଇଣ୍ଡିଆୱାନ୍ ଏୟାର୍ର ୯-ସିଟ୍ ବିଶିଷ୍ଟ ଛୋଟ ବିମାନ ଚଳାଚଳ କରୁଛି।
ସୌଜନ୍ୟ ସମ୍ବାଦ

