Rourkela Circuit house Case ରାଉରକେଲା ସର୍କିଟ୍ ହାଉସ୍ରେ ଅପରାଧିଙ୍କ ମେଳି: ରିମାଣ୍ଡ୍ ଅବଧି ଶେଷ, ପୁଣି ଜେଲ୍ଗଲେ ପ୍ରକାଶ
ରାଉରକେଲା ସର୍କିଟ୍ ହାଉସ୍ ବନ୍ଧୁକ ଓ ଗୁଳି ଜବତ ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରକାଶ ପାଶ୍ୱାନଙ୍କ ଦୁଇଦିନିଆ ରିମାଣ୍ଡ୍ ଶେଷ ହୋଇଛି। ତାଙ୍କୁ ପୁଣି ଜେଲ୍ ପଠାଯାଇଥିବା ବେଳେ ୨ ସହଯୋଗୀଙ୍କୁ ଦିନିକିଆ ରିମାଣ୍ଡ୍ରେ ନେଇଛି ପୁଲିସ।

ରାଉରକେଲା: ରଉରକେଲା ସର୍କିଟ ହାଉସ ବନ୍ଧୁକ ଓ ଗୁଳି ଜବତ ମାମଲାର ମୁଖ୍ୟ ଅଭିଯୁକ୍ତ କହାଯାଉଥିବା ପ୍ରକାଶ ପାଶ୍ୱାନଙ୍କ ଦୁଇଦିନିଆ ପୁଲିସ ରିମାଣ୍ଡ୍ ଅବଧି ଆଜି ଶେଷ ହୋଇଛି। ପୁଲିସ ତାଙ୍କୁ ପୁଣି ଥରେ ଜେଲ୍ ହାଜତକୁ ପଠାଇଦେଇଛି। ତେବେ ଏହି ସମ୍ବେଦନଶୀଳ ମାମଲାରେ ଅଧିକ ତଥ୍ୟ ଆଦାୟ କରିବା ପାଇଁ ଓ ଅଧିକ ପଚରାଉଚରା କରିବା ଲାଗି ପୁଲିସ ତାଙ୍କୁ ଆଗାମୀ ଦିନରେ ପୁଣିଥରେ ରିମାଣ୍ଡ୍ରେ ଆଣିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନି।
ଏହି ବହୁର୍ଚ୍ଚିତ ସର୍କିଟ୍ ହାଉସ୍ ଘଟଣାରେ ଗତ ଦୁଇଦିନ ଧରି ରଘୁନାଥପାଲି ପୁଲିସ ପ୍ରକାଶଙ୍କୁ ଘନଘନ ଜେରା କରିଥିଲା। ଗ୍ୟାଙ୍ଗ୍କୁ କିଏ ବନ୍ଧୁକ ଯୋଗାଉଥିଲା? କ’ଣ ପାଇଁ କୁଖ୍ୟାତ ଅପରାଧୀମାନେ ସର୍କିଟ୍ ହାଉସ୍ରେ ଏକାଠି ହୋଇଥିଲେ? ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ ମଧ୍ୟ ପୁଲିସକୁ ସନ୍ତୋଷଜନକ ଉତ୍ତର ମିଳିନଥିଲା। ଏମିତିକି ବେଆଇନ ଟେଣ୍ଡର ପ୍ରକ୍ରିୟା, ଦାଦା ବଟି ଆଦାୟ ଆଦି ସମ୍ପର୍କରେ ମଧ୍ୟ ବିଭ୍ରାନ୍ତିକର ମତ ଦେଇଥିଲେ। ଅସ୍ତ୍ରଶସ୍ତ୍ର କାରବାର ସହ ଜଡ଼ିତ ଗ୍ୟାଙ୍ଗ୍ ବାବଦରେ କୌଣସି ଗୁପ୍ତ ତଥ୍ୟ ପ୍ରକାଶ କରିନଥିଲେ।
ସୌଜନ୍ୟ ସମ୍ବାଦ




