Sensex: ୩ ଦିନରେ ନିବେଶକଙ୍କ ଲାଭ ୨୦ ଲକ୍ଷ କୋଟି
ଭାରତର ଇକ୍ବିଟି ବଜାରରେ ଗତକାଲିଠାରୁ ବଡ଼ଧରଣର ଉତ୍ସାହ ଦେଖାଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନ୍ସେକ୍ସ ୫୪୪.୧୫ ପଏଣ୍ଟ ବା ୦.୭୧ ପ୍ରତିଶତ ବୃଦ୍ଧି ପାଇ ୭୬୮୦୮.୪୮ ପଏଣ୍ଟରେ ବନ୍ଦ ହୋଇଛି।

ମୁମ୍ବାଇ: ଭାରତର ଇକ୍ବିଟି ବଜାରରେ ଗତକାଲିଠାରୁ ବଡ଼ଧରଣର ଉତ୍ସାହ ଦେଖାଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନ୍ସେକ୍ସ ୫୪୪.୧୫ ପଏଣ୍ଟ ବା ୦.୭୧ ପ୍ରତିଶତ ବୃଦ୍ଧି ପାଇ ୭୬୮୦୮.୪୮ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୩୫.୨୫ ପଏଣ୍ଟ ବା ୦.୫୭ ପ୍ରତିଶତ ବୃଦ୍ଧି ପାଇ ୨୩,୯୮୯.୧୫ ପଏଣ୍ଟରେ ବନ୍ଦ ହୋଇଛି। ମଧ୍ୟପ୍ରାଚ୍ୟ ଉତ୍ତେଜନା କମିବା ସହିତ ଅଶୋଧିତ ତେଲ ଦର ନିମ୍ନମୁଖୀ ହେବା ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ଆସିବା ଫଳରେ ପୁଞ୍ଜିବଜାର ଉପରକୁ ଉଠୁଛି। ଗତ ୩ଟି କାରବାର ଦିବସରେ ସେନସେକ୍ସ ପ୍ରାୟ ୨୯୭୫ ପଏଣ୍ଟ ଉପରକୁ ଉଠିଛି। ଗତ ଶୁକ୍ରବାର ସେନସେକ୍ସ ୧୬୯୫ ପଏଣ୍ଟ, ସୋମବାର ୭୩୬ ପଏଣ୍ଟ ବଢ଼ି ଥିବାବେଳେ ମଙ୍ଗଳବାର ୫୪୪ ପଏଣ୍ଟ ବଢ଼ିଛି। ଏଥିପାଇଁ ଉପରୋକ୍ତ ୩ ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାରପୁଞ୍ଜି ୧୯.୯୧ ଲକ୍ଷ କୋଟି ବଢ଼ିଯାଇଛି। ଗତ ୧୧ ତାରିଖରେ ମୋଟ ବଜାରପୁଞ୍ଜି ୪୫୨.୩୩ ଲକ୍ଷ କୋଟି ଟଙ୍କା ସ୍ତରରେ ରହିଥିଲା ବେଳେ ଆଜି ଏହା ୪୭୨.୨୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ସୌଜନ୍ୟ ସମ୍ବାଦ




