ନୂଆଦିଲ୍ଲୀ: ଆମେରିକୀୟ ସଫ୍ଟୱେର କମ୍ପାନି ଆଡୋବ୍ର ସିଇଓ ପଦରୁ ପ୍ରବାସୀ ଭାରତୀୟ ଶାନ୍ତନୁ ନାରାୟଣ ଇସ୍ତଫା ଦେଇଛନ୍ତି। ଦୀର୍ଘ ୧୮ ବର୍ଷ ପରେ ସେ ଉକ୍ତ କମ୍ପାନି ଛାଡ଼ିଛନ୍ତି। ବର୍ତ୍ତମାନ ସୂଚନା ପ୍ରଯୁକ୍ତି ଦୁନିଆରେ କୃତ୍ତିମ ବୁଦ୍ଧିମତ୍ତା (ଏଆଇ)ର ବିପ୍ଳବ ଚାଲିଛି। ତାହାର ପ୍ରଭାବରେ ଆଡୋବ୍ରେ ନେତୃତ୍ବ ପରିବର୍ତ୍ତନ ହୋଇଥିବା କୁହାଯାଉଛି।
ଶାନ୍ତନୁ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଉତ୍ତରାଧିକାରୀ ସନ୍ଧାନ ନ ହେବା ପର୍ଯ୍ୟନ୍ତ ସେ କାମ କରିବେ। ତାଙ୍କ ଉତ୍ତରାଧିକାରୀ ଖୋଜିବା ପାଇଁ କମ୍ପାନି ଏକ ସ୍ବତନ୍ତ୍ର କମିଟି ଗଠନ କରିଛି। ଆମେରିକା ପ୍ରଯୁକ୍ତି ଦୁନିଆରେ ଯେଉଁ କେତେ ଜଣ ଭାରତୀୟ ନିଜକୁ ପ୍ରତିଷ୍ଠିତ କରିବା ସହ ଭାରତ ପାଇଁ ସୁନାମ ଆଣିଥିଲେ, ସେମାନଙ୍କ ମଧ୍ୟରୁ ଶାନ୍ତନୁ ହେଉଛନ୍ତି ଅନ୍ୟତମ। ହାଇଦ୍ରାବାଦରେ ବଢ଼ିଥିବା ଶାନ୍ତନୁ ଓସ୍ମାନିଆ ବିଶ୍ବବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ଆମେରିକା ଚାଲିଯାଇଥିଲେ ଓ ସେଠାରେ ବୋଲିଂ ଗ୍ରିନ୍ ଷ୍ଟେଟ୍ ବିଶ୍ବବିଦ୍ୟାଳୟରେ ୧୯୮୬ରେ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର୍ ଡିଗ୍ରି ପାଠ ପଢ଼ିଥିଲେ।
ସିଇଓ ପଦରୁ ପ୍ରବାସୀ ଭାରତୀୟ ଶାନ୍ତନୁ ନାରାୟଣ ଇସ୍ତଫା
ତା’ପରେ ସେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ବର୍କ୍ଲେଜ୍ ହାସ୍ ସ୍କୁଲ୍ ଅଫ୍ ବିଜନେସ୍ରୁ ଏମ୍ବିଏ କରିଥିଲେ। ୧୯୮୮ରେ ଉପସଭାପତି ଭାବେ ସେ ଆଡୋବ୍ରେ ଯୋଗଦେଇଥିଲେ। ୨୦୦୭ରେ ତାଙ୍କୁ ସିଇଓ ଓ ୨୦୧୭ରେ କମ୍ପାନି ବୋର୍ଡର ଅଧ୍ୟକ୍ଷ କରାଯାଇଥିଲା। ଆଡୋବ୍ରେ ଯୋଗଦେବା ପୂର୍ବରୁ ସେ ଫଟୋ-ସେୟାରିଂ ଷ୍ଟାର୍ଟଅପ୍ ପିକ୍ଟ୍ରା ସ୍ଥାପନ କରିଥିଲେ। ଏହା ବ୍ୟତୀତ ଆପଲ୍ ଓ ସିଲିକନ୍ ଗ୍ରାଫିକ୍ସରେ ଉତ୍ପାଦ ବିକାଶ ଦାୟିତ୍ବରେ ଥିଲେ। ଶାନ୍ତନୁଙ୍କ କାର୍ଯ୍ୟକାଳ ମଧ୍ୟରେ ଆଡୋବ୍ର କର୍ମଚାରୀ ସଂଖ୍ୟା ୩୦୦୦ରୁ ବଢ଼ି ୩୦,୦୦୦ ହୋଇଥିଲା ଓ ରାଜସ୍ବ ୧ ବିଲିଅନ୍ ଡଲାରରୁ ବୃଦ୍ଧି ପାଇ ୨୫ ବିଲିଅନ୍ ଡଲାର ହୋଇଥିଲା।
ସୌଜନ୍ୟ ସମ୍ବାଦ
