ଅତ୍ୟଧିକ ଗରମ ବିପଦ ରହୁଥିବା ସହର ମଧ୍ୟରେ ଭାରତର ୧୪ ସହର ସାମିଲ; ଅହମଦାବାଦ ବିଶ୍ୱରେ ଦ୍ୱିତୀୟ
ବିଶ୍ୱରେ ବଢ଼ୁଥିବା ତାପମାତ୍ରା ମଧ୍ୟରେ ଭାରତ, ପାକିସ୍ତାନ, ନାଇଜେରିଆ ଓ ଘାନାର ସର୍ବାଧିକ ସହର ଅତ୍ୟଧିକ ଗରମ ଜୋନ୍ରେ ରହିଛନ୍ତି। ଏକ ନୂଆ ଅଧ୍ୟୟନରେ ଏହା ଜଣାପଡ଼ିଛି। ସସ୍ଟେନବଲ ସିଟି ଆଣ୍ଡ ସୋସାଇଟି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ବିଶ୍ୱର ୨୦୫ଟି ବଡ଼ ସହରର ବିଶ୍ଳେଷଣ କରାଯାଇଛି।

ନୂଆଦିଲ୍ଲୀ: ବିଶ୍ୱରେ ବଢ଼ୁଥିବା ତାପମାତ୍ରା ମଧ୍ୟରେ ଭାରତ, ପାକିସ୍ତାନ, ନାଇଜେରିଆ ଓ ଘାନାର ସର୍ବାଧିକ ସହର ଅତ୍ୟଧିକ ଗରମ ଜୋନ୍ରେ ରହିଛନ୍ତି। ଏକ ନୂଆ ଅଧ୍ୟୟନରେ ଏହା ଜଣାପଡ଼ିଛି। ସସ୍ଟେନବଲ ସିଟି ଆଣ୍ଡ ସୋସାଇଟି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ବିଶ୍ୱର ୨୦୫ଟି ବଡ଼ ସହରର ବିଶ୍ଳେଷଣ କରାଯାଇଛି।
ଅଧ୍ୟୟନ ଅନୁଯାୟୀ, ଅତ୍ୟଧିକ ଗରମ ବିପଦରେ ଥିବା ଶ୍ରେଷ୍ଠ ସହରଗୁଡ଼ିକ ମଧ୍ୟରୁ ୯୫ ପ୍ରତିଶତରୁ ଅଧିକ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ ଏବଂ ଉପ-ସାହାରା ଆଫ୍ରିକାରେ ଅବସ୍ଥିତ। ଇରାକର ଅଲ୍ ବସ୍ରା (Al Basrah) ସହର ବିଶ୍ୱର ସବୁଠାରୁ ଅଧିକ ତାତୁଥିବା ସହର ଭାବେ ଚିହ୍ନଟ ହୋଇଥିବାବେଳେ, ଗୁଜରାଟର ଅହମଦାବାଦ ଦ୍ୱିତୀୟ ସ୍ଥାନରେ ରହିଛି।
ଭାରତର ମୋଟ ୧୪ଟି ସହର ବିଶ୍ୱର ଶୀର୍ଷ ୫୦ ଅତ୍ୟଧିକ ଗରମ ବିପଦପୂର୍ଣ୍ଣ ସହର ତାଲିକାରେ ସ୍ଥାନ ପାଇଛନ୍ତି। ଏଥିରେ ମହାରାଷ୍ଟ୍ରର ନାଗପୁର ଓ ପୁଣେ, ତାମିଲନାଡୁର ମଦୁରାଇ ଓ ଚେନ୍ନାଇ, କର୍ଣ୍ଣାଟକର ବେଙ୍ଗାଲୁରୁ, ଉତ୍ତର ପ୍ରଦେଶର କାନପୁର ଓ ଲକ୍ଷ୍ନୌ ସମେତ ପର୍ଯ୍ୟଟନ ସହର ଜୟପୁର ମଧ୍ୟ ରହିଛି।
ଅଧ୍ୟୟନର ମୁଖ୍ୟ ଲେଖିକା ଏବଂ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ନେଥ୍ମି ଜୟରତ୍ନେ କରିୟାୱାସମ କହିଛନ୍ତି ଯେ କେବଳ ଅଧିକ ତାପମାତ୍ରା ହିଁ ବିପଦର କାରଣ ନୁହେଁ। ସହରର ସାମାଜିକ ଓ ଆର୍ଥିକ ପରିସ୍ଥିତି, ଲୋକଙ୍କର ସ୍ୱାସ୍ଥ୍ୟ, ବୟସ, ଆର୍ଥିକ ସାମର୍ଥ୍ୟ ଏବଂ ଗରମରୁ ରକ୍ଷା ପାଇବାର କ୍ଷମତା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ।
ସେ କହିଛନ୍ତି, ଏସିଆ ଓ ଆଫ୍ରିକାର ଅନେକ ସହରରେ ଅତ୍ୟଧିକ ଗରମ ସହ ଉଚ୍ଚ ସାମାଜିକ ଦୁର୍ବଳତା ଏବଂ ସୀମିତ ସୁରକ୍ଷା ବ୍ୟବସ୍ଥା ରହିଛି। ଏହି ପରିସ୍ଥିତି ଗରମର ବିପଦକୁ ବଢ଼ାଇଥାଏ ଏବଂ କେତେକ କ୍ଷେତ୍ରରେ ଏହା ଜୀବନ ପ୍ରତି ମଧ୍ୟ ବଡ଼ ବିପଦ ସୃଷ୍ଟି କରିପାରେ।
ଏହି ଗବେଷଣାରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରଗୁଡ଼ିକୁ ବିଶ୍ଳେଷଣ କରାଯାଇଥିଲା। ଗରମ ଯୋଗୁ ହେଉଥିବା ରୋଗ ଓ ମୃତ୍ୟୁର ଆଶଙ୍କା, ଲୋକଙ୍କ ବୟସ, ଆର୍ଥିକ ସ୍ଥିତି, ଏୟାର କଣ୍ଡିସନର ଭଳି ଶୀତଳୀକରଣ ସୁବିଧା, ଗଛପତ୍ର ଉପସ୍ଥିତି ଓ ପରିବେଶଗତ ସୁରକ୍ଷାକୁ ମଧ୍ୟ ମୂଲ୍ୟାଙ୍କନରେ ସାମିଲ କରାଯାଇଥିଲା।
ଗବେଷକମାନେ କହିଛନ୍ତି ଯେ କେବଳ ଅଧିକ ତାପମାତ୍ରା ଥିଲେ ବିପଦ ଅଧିକ ହେବ ବୋଲି କୁହାଯାଇପାରିବ ନାହିଁ। ଥାଇଲ୍ୟାଣ୍ଡର ବ୍ୟାଙ୍କକ ଓ ସାଉଦି ଆରବର ଜେଦ୍ଦା ପରି ସହରରେ ଅଧିକ ତାପମାତ୍ରା ଥିଲେ ମଧ୍ୟ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଥିବାରୁ ସେମାନଙ୍କର ତାତି କମ ଅନୁଭୂତ ହେଉଛି।
ଅନ୍ୟପଟେ, ପାକିସ୍ତାନର କରାଚି ଓ ଫୈସଲାବାଦ, ଏବଂ ନାଇଜେରିଆର କାଡୁନା ପରି ସହରରେ ମଧ୍ୟମ ତାପମାତ୍ରା ଥିଲେ ମଧ୍ୟ ସାମାଜିକ ଓ ଭିତ୍ତିଭୂମିଗତ ସୀମାବଦ୍ଧତା କାରଣରୁ ବିପଦ ଅଧିକ ରହିଛି।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସହ-ଗବେଷକ ରାଧିକା ଖୋସଲା କହିଛନ୍ତି ଯେ ସାରା ବିଶ୍ୱରେ ଏୟାର କଣ୍ଡିସନର ବ୍ୟବହାର ବଢ଼ୁଛି, କିନ୍ତୁ ସମସ୍ତଙ୍କ ପାଇଁ ଏହା ସୁଲଭ ନୁହେଁ। ଏହାଛଡ଼ା ଏୟାର କଣ୍ଡିସନର ଉପରେ ଅତ୍ୟଧିକ ନିର୍ଭରଶୀଳତା ବୈଶ୍ୱିକ ଉଷ୍ମତାକୁ ଆହୁରି ବଢ଼ାଇପାରେ।
ସେ ଆହୁରି କହିଛନ୍ତି, ଲୋକଙ୍କୁ ଗରମରୁ ସୁରକ୍ଷିତ ରଖିବା ପାଇଁ କମ୍ ଶକ୍ତି ବ୍ୟବହାର କରୁଥିବା ପଙ୍ଖା, କୁଲର ଏବଂ ପ୍ରାକୃତିକ ଶୀତଳୀକରଣ ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ଗବେଷକମାନଙ୍କ ମତରେ, ଏହି ନୂଆ ବିଶ୍ଳେଷଣ ପ୍ରଣାଳୀ ବିଶ୍ୱର ବିଭିନ୍ନ ସହରରେ ଅତ୍ୟଧିକ ଗରମ ଜନିତ ବିପଦର ତୁଳନାମୂଳକ ଆକଳନ କରିବା ପାଇଁ ଏକ ପ୍ରଭାବଶାଳୀ ଆଧାର ପ୍ରଦାନ କରିଛି।
ସୌଜନ୍ୟ Prameya News7




