ନୂଆଦିଲ୍ଲୀ: ରବିବାର ସ୍ପେନର ଦକ୍ଷିଣ ପ୍ରଦେଶ କର୍ଡୋବା ନିକଟରେ ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିରେ ଅତି କମରେ ୪୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ। ତେବେ ଜଣେ ୬ ବର୍ଷର ଝିଅ କୌଣସି ବଡ଼ ଆଘାତ ବିନା ରକ୍ଷା ପାଇବାରେ ସଫଳ ହୋଇଥିଲା।
ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଭଙ୍ଗା ଝରକା ଦେଇ ଟ୍ରେନ୍ରୁ ଖସି ବାହାରିବା ପରେ ୬ ବର୍ଷୀୟା ବାଳିକାକୁ ଜଣେ ସିଭିଲ୍ ଗାର୍ଡ ଅଧିକାରୀ ଖାଲି ପାଦରେ ଟ୍ରାକ୍ ଉପରେ ପାଇଥିଲେ। ଡାକ୍ତରଖାନାରେ ମୁଣ୍ଡରେ ତିନୋଟି ସିଲେଇ ହେବା ପରେ ଶିଶୁଟି ଭଲ ଅବସ୍ଥାରେ ଅଛି ବୋଲି ତାଙ୍କର ଜଣେ ସମ୍ପର୍କୀୟଙ୍କ ଉଦ୍ଧୃତି ଦେଇ ରିପୋର୍ଟରେ କୁହାଯାଇଛି। ପୁଣ୍ଟା ଉମ୍ବ୍ରିଆର ମେୟର ମଧ୍ୟ ଝିଅଟି ବିପଦରୁ ବାହାରିଥିବା ଶୁଣି ଆଶ୍ୱସ୍ତ ହୋଇଥିଲେ। ଏହି ଦୁର୍ଘଟଣାରେ ଝିଅର ପିତାମାତା, ଭାଇ ଓ ଜଣେ ସମ୍ପର୍କୀୟ ଭାଇ ମଧ୍ୟ ମୃତ୍ୟୁବରଣ କରିଥିଲେ। ସେମାନେ ଆଗ ବଗିରେ ବସିଥିଲେ ଯେତେବେଳେ ବିପରୀତ ଦିଗରୁ ଏକ ଟ୍ରେନ୍ ହଠାତ୍ ଟ୍ରାକ୍ ଡେଇଁ ସେମାନେ ବସିଥିବା ଟ୍ରେନ୍କୁ ଧକ୍କା ଦେଇଥିଲା। ଝିଅଟି ବର୍ତ୍ତମାନ ଦୁର୍ଘଟଣାସ୍ଥଳର ନିକଟତମ ସହର କର୍ଡୋବାର ଏକ ହୋଟେଲରେ ତାଙ୍କ ଜେଜେବାପାଙ୍କ ସହ ଅଛି।
ସ୍ପେନ୍ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହେବାର କାରଣ ଜଣାପଡ଼ି ନାହିଁ। ପ୍ରାରମ୍ଭିକ ମନ୍ତବ୍ୟରେ ସ୍ପେନ୍ ପରିବହନ ମନ୍ତ୍ରୀ ଓସ୍କାର ପୁଏଣ୍ଟେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଟ୍ରାକ୍ ଓ ଟ୍ରେନ୍ ଉଭୟ ନୂଆ ଥିବାରୁ ଦୁର୍ଘଟଣାର ପ୍ରକୃତି ଅତ୍ୟନ୍ତ ଅଦ୍ଭୁତ। ମଙ୍ଗଳବାର ସ୍ପେନର ରାଜା ଓ ରାଣୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବଞ୍ଚିଥିବା ଲୋକଙ୍କୁ ଭେଟିଥିଲେ ଯେଉଁଥିରେ ୧୨୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ସୌଜନ୍ୟ ସମ୍ବାଦ