ରାଜ୍ୟ

Stop running: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ଅସନ୍ତୋଷ ଝାଡ଼ିଲେ ମୁଖ୍ୟମନ୍ତ୍ରୀ: ଲୋକଙ୍କୁ ଦୌଡ଼ାଇବା ଅଭ୍ୟାସ ଛାଡ଼

କେହି ଅଭିଯୋଗ କଲେ, ବାରମ୍ବାର ଦୌଡ଼ାଯାଉଛି। ତଥାପି ନିରାଶ ହେବାକୁ ପଡ଼ୁଛି। ଜନସେବାରେ ଏଭଳି ବିଳମ୍ବ, ଅଭ୍ୟାସରେ ପରିଣତ ହୋଇଗଲାଣି। ଏ ଅଭ୍ୟାସ ଛାଡ଼। ପ୍ରଥମ ଅଭିଯୋଗରେ ହିଁ ସମାଧାନକୁ ଗୁରୁତ୍ବ ଦିଅ।

ଭୁବନେଶ୍ବର: କେହି ଅଭିଯୋଗ କଲେ, ବାରମ୍ବାର ଦୌଡ଼ାଯାଉଛି। ତଥାପି ନିରାଶ ହେବାକୁ ପଡ଼ୁଛି। ଜନସେବାରେ ଏଭଳି ବିଳମ୍ବ, ଅଭ୍ୟାସରେ ପରିଣତ ହୋଇଗଲାଣି। ଏ ଅଭ୍ୟାସ ଛାଡ଼। ପ୍ରଥମ ଅଭିଯୋଗରେ ହିଁ ସମାଧାନକୁ ଗୁରୁତ୍ବ ଦିଅ। ସେବାକୁ ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥା ସହ ଯୋଡ଼। ଆବଶ୍ୟକ ପଡ଼ିଲେ, ଅନ୍‌ଲାଇନ୍‌ରେ ସମସ୍ୟାର ସମାଧାନ କର। ଆଜି ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଲୋକଙ୍କ ସେବା ସର୍ବୋପରି, ନାଗରିକ ସେବାରେ ଊଣା କରିବାନି ଆଦି ୭ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆଜି ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରୁ ଭିଡିଓ କନ୍‌ଫରେନ୍ସିଂରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ଜନପ୍ରତିନିଧି, ସରକାରୀ ଅଧିକାରୀମାନେ ଯୋଡ଼ି ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ନବଗଠିତ ୨୮ଟି ଏନ୍‌ଏସି ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରୁ ପ୍ରତି ଏନ୍‌ଏସିକୁ ୨୦ କୋଟି ଟଙ୍କା ପ୍ରଦାନ କରାଯିବ। ଅନୁଦାନ ସମ୍ପୃକ୍ତ ଅଞ୍ଚଳରେ ନୂଆ ଏନ୍‌ଏସି ଗୃହ, ରାସ୍ତା, ଡ୍ରେନ୍, ବଜାର ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ମୁଖ୍ୟମନ୍ତ୍ରୀ  ସହରୀ ବିକାଶ ଯୋଜନାରେ ୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟି ଟଙ୍କାରେ ୫୯୩ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି। ଏଥିରୁ ୧୦୨ କୋଟି ଟଙ୍କାର ୪୨୩ଟି ପ୍ରକଳ୍ପର ଶୁଭାରମ୍ଭ ଓ ୨୨୧ କୋଟି ଟଙ୍କାର ୧୭୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଛି। ଭିଡିଓ କନ୍‌‌ଫରେନ୍ସିଂରେ ଯୋଡ଼ିବାକୁ ରାଜ୍ୟର ୧୧୫ଟି ସହରାଞ୍ଚଳକୁ ଓସ୍ବାନ ଭିଡିଓ କନ୍‌ଫରେନ୍ସିଂ ସୁବିଧା ଯୋଗାଇ ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ବନ୍ଧୁ, ଯାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ଯାତ୍ରୀ ଏସ୍‌ଓଏସ୍ ଆପ୍‌ର ଶୁଭାରମ୍ଭ କରିଛନ୍ତି। ପୌର ସଂସ୍ଥାଗୁଡ଼ିକର ଦକ୍ଷତାବୃଦ୍ଧି ପାଇଁ ଓଡ଼ିଶା ଅର୍ବାନ ଏକାଡେମୀ ସହିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ଓ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅର୍ବାନ୍‌ ଆଫେୟାର୍ସର ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଆମ ବସ୍‌ ସେବାରେ ଉନ୍ନତି ପାଇଁ କ୍ରୁଟ୍‌ ସହ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ନବଗଠିତ ୨୮ ଏନ୍‌ଏସିକୁ ୫୬୦ କୋଟିର ପ୍ୟାକେଜ୍‌ 
୬୨ଟି ପୌରାଞ୍ଚଳକୁ ୩୨୩ କୋଟିର ପ୍ରକଳ୍ପ ଭେଟି

ମୁଖ୍ୟମନ୍ତ୍ରୀ କହିଛନ୍ତି,  ରାଜ୍ୟ ସରକାର ଭୁବନେଶ୍ବର-କଟକପୁରୀ-ପାରାଦ୍ବୀପ ଅର୍ଥନୈତିକ କରିଡର କରି ରାଜ୍ୟକୁ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ସହ ନୂଆ ଆଶା ଆଣିଦେବାକୁ ଯାଉଛନ୍ତି। ଶିଳ୍ପକୁ ବି ଗୁରୁତ୍ବ ଦିଆଯାଉଛି। ଯଦ୍ବାରା ସହରାଞ୍ଚଳର ବିକାଶ ହେବ, ଗ୍ରେଟର ଭୁବନେଶ୍ବର ଲକ୍ଷ୍ୟ ପୂରଣ ହେବ। ସହର ବିକାଶ ହେଲେ ଗ୍ରାମାଞ୍ଚଳ ବିକାଶ ବି ଆଗକୁ ବଢ଼ିବ। ଲୋକଙ୍କ ସହିତ ରହି, ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବାକୁ ସହରାଞ୍ଚଳର ଜନପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ(ସହରାଞ୍ଚଳ)-ବନ୍ଧୁ ହିତାଧିକାରୀ କନ୍ଧମାଳର ରୁନୁ ପ୍ରଧାନଙ୍କ ସହ କଥା ହୋଇଥିଲେ। ଶ୍ରେଷ୍ଠ ସହରାଞ୍ଚଳ ଭାବେ ଓଡ଼ଗାଁ, ପଦ୍ମପୁର, ଚୌଦ୍ବାର, ନୂଆପଡ଼ା, ରେମୁଣା, ରଣପୁର, ହିନ୍ଦୋଳ, ଗଞ୍ଜାମ, ଗୁଡ଼ାରି ୨ କୋଟି ଟଙ୍କା ଲେଖାଏଁ, ଆଠମଲ୍ଲିକ, ଆଠଗଡ଼ ଓ ବଲାଙ୍ଗୀରକୁ ୧ କୋଟି ଟଙ୍କା ଲେଖାଏଁ ‌ଏବଂ କୁଚିଣ୍ଡା, ଆନନ୍ଦପୁର ଓ ସୋରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button