Strategy: ଆଞ୍ଚଳିକ ସ୍ୱାର୍ଥ ବନାମ ଜାତୀୟ ଭାବମୂର୍ତ୍ତି ନେଇ ଇଣ୍ଡି ମେଣ୍ଟ ଦ୍ବନ୍ଦ୍ବରେ

ନୂଆଦିଲ୍ଲୀ: ବିଜେପିର ଚତୁର ନିର୍ବାଚନୀ ରଣନୀତି ସହ ତାଳ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ଦିନରୁ ଅଟକି ରହିଥିବା ମହିଳା ସଂରକ୍ଷଣ ବ୍ୟବସ୍ଥାକୁ ଏକ ଶକ୍ତିଶାଳୀ ରାଜନୈତିକ ଅସ୍ତ୍ରରେ ପରିଣତ କରିଛନ୍ତି। ୨୦୨୯ ସୁଦ୍ଧା ଲୋକସଭା ଆସନକୁ ୮୫୦କୁ ବୃଦ୍ଧି କରିବା ଏବଂ ୩୩% ମହିଳା କୋଟାକୁ ତ୍ୱରାନ୍ୱିତ କରିବା ପାଇଁ ଆସିଥିବା ସମ୍ବିଧାନ ସଂଶୋଧନ ବିଲ୍‌ ଲୋକସଭାରେ କାଟ୍‌ ଖାଇଥିଲେ ମଧ୍ୟ ଏହା ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର ସର୍ତ୍ତକୁ ବଦଳାଇ ଦେଇଛି। ଏନ୍‌ଡିଏ ପାଖରେ ଏହି ବିଲ୍ ପାସ୍ କରିବା ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ବହୁମତ ନଥିଲେ ମଧ୍ୟ ଏହି ରଣନୀତି ସୂଚାଉଛି ଯେ ସଂସଦରେ ଆଜି ମିଳିଥିବା ପରାଜୟ ମଧ୍ୟ ଦଳ ପାଇଁ ବିଜୟ ପରି ମୂଲ୍ୟବାନ ହୋଇପାରେ।

ବିରୋଧୀଙ୍କ ପାଇଁ ଏକ ବଡ଼ ରାଜନୈତିକ ଜାଲ

ବିଜେପି ଏହି ପ୍ରସଙ୍ଗରେ ଏବେ ଇଣ୍ଡି ମେଣ୍ଟ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ମହିଳା ଆସନକୁ ସୀମା ନିର୍ଦ୍ଧାରଣ ସହ ଯୋଡ଼ି ବିଜେପି ଦକ୍ଷିଣ ଭାରତୀୟ ଦଳଗୁଡ଼ିକୁ କୋଣଠେସା କରିଦେଇଛି। ସେମାନେ ନିଜ ରାଜ୍ୟର ସଂସଦୀୟ ପ୍ରଭାବକୁ ବଞ୍ଚାଇବା ପାଇଁ ଏହି ବିଲ୍‌କୁ ବିରୋଧ କରିଥିବାରୁ ସେମାନଙ୍କୁ ମହିଳା ବିରୋଧୀ ବୋଲି ଚିତ୍ରଣ କରାଯିବ।

ସରକାର ଅତି ଚତୁରତାର ସହ ୨୦୨୩ ମହିଳା ସଂରକ୍ଷଣ ଅଧିନିୟମର ଭାଗ୍ୟକୁ ଏହି ନୂତନ ବିଲ୍ ସହିତ ଯୋଡ଼ି ଦେଇଛନ୍ତି। ବିଜେପି ଯୁକ୍ତି କରିଛି ଯେ ଯିଏ ଏହି ପ୍ୟାକେଜ୍ ବିରୋଧରେ ଭୋଟ୍ ଦେବ, ସେ ପ୍ରକୃତରେ ସେହି ସଂରକ୍ଷଣକୁ ଘୋର ବିରୋଧ କରୁଥିବା ପ୍ରମାଣିତ ହେବ।
ସମାଜବାଦୀ ପାର୍ଟି ଏବଂ ଆରଜେଡି ‘କୋଟା ଭିତରେ କୋଟା’ ଦାବି କରୁଥିବା ବେଳେ ବିଜେପି ଏହାକୁ ଏକ ନୈତିକ ଲଢ଼େଇ ଭାବେ ଉପସ୍ଥାପନ କରି ବିରୋଧୀଙ୍କୁ ଅଡ଼ୁଆରେ ପକାଇ ଦେଇଛି। ୨୦୧୦ ମସିହାରେ ବିଭିନ୍ନ ଦଳ ଦ୍ବାରା ହୋଇଥିବା ହଟ୍ଟଗୋଳକୁ ମନେ ପକାଇ ଦେଇ ମୋଦୀ ଏହି ବିରୋଧକୁ ନୀତିଗତ ନୁହେଁ, ବରଂ ବିରୋଧୀ ଦଳମାନଙ୍କ ‘ଐତିହାସିକ ମହିଳା ବିଦ୍ୱେଷ ଚିନ୍ତାଧାରା’ ଭାବେ ଦର୍ଶାଇଛନ୍ତି।

ସଂଖ୍ୟା ଗରିଷ୍ଠତା ଅଭାବରୁ ବିଲ୍ ବିଫଳ ହୋଇଥିଲେ ମଧ୍ୟ ବିଜେପିର ପ୍ରଚାର ପାଇଁ ଏବେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ବିରୋଧୀଙ୍କୁ ମହିଳା ବିରୋଧୀ ଭାବେ ଚିତ୍ରଣ କରିବା ପାଇଁ ଦଳର ବ୍ୟାପକ ପ୍ରୟାସ ଆରମ୍ଭ ହୋଇଯାଇଛି। ବିଜେପି ମହିଳାଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନାକୁ ନିଜ ସ୍ୱଚ୍ଛ ଭାବମୂର୍ତ୍ତି ଭାବେ ବ୍ୟବହାର କରୁଛି। ଏହା ପ୍ରମାଣ କରିବାକୁ ଚାହୁଁଛି ଯେ ସଂରକ୍ଷଣ ପାଇଁ ସେମାନଙ୍କର ପ୍ରୟାସ କେବଳ ଏକ ରାଜନୈତିକ ଚାଲ୍ ନୁହେଁ, ବରଂ ସେମାନଙ୍କର ମହିଳା ପ୍ରାଧାନ୍ୟ ଶାସନର ଏକ ସମ୍ପ୍ରସାରଣ।

ଆଜି ଲୋକସଭାରେ ବିଲ୍‌ ଖାରଜ ହେବା ସତ୍ତ୍ବେ ବିଜେପି ଏହି ପ୍ରକ୍ରିୟାରେ ବିଶେଷ ଉତ୍ସାହ ଦେଖାଇଛି ଏବଂ ବିରୋଧୀ ଦଳଙ୍କ ଆଭିମୁଖ୍ୟକୁ ଦଳ ମହିଳା ବିରୋଧୀ ବୋଲି ଦର୍ଶାଇ ଏହି ବାର୍ତ୍ତାକୁ ଦେଶର ପ୍ରତିଟି ଗାଁକୁ ନେଇଯିବାକୁ ଯୋଜନା ହୋଇଛି।

 

 

 

ସୌଜନ୍ୟ ସମ୍ବାଦ