Tata Power Investment ଓଡ଼ିଶାରେ ଟାଟା ପାୱାର ୫ ବର୍ଷରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବ
ଓଡ଼ିଶାରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ପାଇଁ ୨୦୨୬-୨୭ରୁ ୨୦୩୦-୩୧ ମଧ୍ୟରେ ୯,୧୯୩ କୋଟି ଟଙ୍କା ନିବେଶ ପ୍ରସ୍ତାବ ଦେଇଛି ଟାଟା ପାୱାର। ଓଇଆରସିରେ ପ୍ରସ୍ତାବର ସମୀକ୍ଷା ଚାଲିଥିବା ବେଳେ ନିବେଶ ତଥ୍ୟ, ମିଟରିଂ ଓ ଉପଭୋକ୍ତାଙ୍କ ବିଦ୍ୟୁତ୍ ଦର ଉପରେ ପ୍ରଭାବ ନେଇ ପ୍ରଶ୍ନ ଉଠିଛି।

ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ୍ ସେବାକୁ ନିର୍ଭରଯୋଗ୍ୟ କରିବା ପାଇଁ ଟାଟା ପାୱାର ବିତରଣ କମ୍ପାନିଗୁଡିକ ୨୦୨୬-୨୭ରୁ ୨୦୩୦-୩୧ ମଧ୍ୟରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଓଇଆରସିରେ ଦରଖାସ୍ତ କରିଛନ୍ତି। ୨୦୨୬-୨୭ ପାଇଁ ୧୫୦୨ କୋଟି ଟଙ୍କା ଗତ ମଇ ୧୫ରେ ଓଇଆରସି ଅନୁମୋଦନ କରିଥିବାବେଳେ ଅବଶିଷ୍ଟ ପୁଞ୍ଜିନିବେଶ ଯୋଜନାକୁ ଅନୁମୋଦନ କରିବା ପାଇଁ ଆୟୋଗ ଏକ ସାର୍ବଜନୀନ ସୂଚନା ଜାରିକରି ଗତକାଲି(ଗୁରୁବାର) ସୁଦ୍ଧା ଜନସାଧାରଣଙ୍କ ମତାମତ ଆହ୍ଵାନ କରିଥିଲେ।
ପ୍ରକାଶ ଥାଉକି, ଆସନ୍ତା ୨୨ତାରିଖରେ ଓଇଆରସି କାର୍ଯ୍ୟାଳୟରେ ଜନଶୁଣାଣି ଅନୁଷ୍ଟିତ ହେବ। ଟାଟା ଦରଖାସ୍ତରୁ ସ୍ପଷ୍ଟ ହୋଇଛି ଯେ, ଓଡ଼ିଶା ବିଦ୍ୟୁତ୍ ସେବା ଦାୟିତ୍ଵ ଗ୍ରହଣ କରିବା ପରେ ୨୦୨୦-୨୧ ରୁ ୨୦୨୬-୨୭ ମଧ୍ୟରେ ଓଇଆରସି ୮୯୬୭କୋଟି ଟଙ୍କା ଅନୁମୋଦନ କରିଥିବା ବେଳେ ସେଥିରୁ ଟାଟା ପାୱାର ୬୫୪୮ କୋଟି ଟଙ୍କା ପୁଞ୍ଜିନିବେଶ କରିଛି। ସେଥିରେ ୫୬୯୮ କୋଟି ଟଙ୍କାର କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାକି ୮୫୦ କୋଟିଟଙ୍କା କାମ ନିର୍ମାଣଧୀନ ରହିଛି। ଓଡ଼ିଶା ବିଦ୍ୟୁତ୍ ସେବା ଭାର ଟାଟା ଗ୍ରହଣ କଲାପରେ ପୁଞ୍ଜିନିବେଶ ବାବଦକୁ କେତେ ପରିମାଣର ସରକାରୀ ଅନୁଦାନ ପାଇଛନ୍ତି ଓ ସେଥିରୁ କେତେ ନିବେଶ କରିଛନ୍ତି? ତାହାର ତଥ୍ୟ ଦରଖାସ୍ତରେ ନାହିଁ।
ଚଳିତ ବର୍ଷ ପାଇଁ ଗତ ମାର୍ଚ୍ଚ ୨୪ତାରିଖରେ ଓଇଆରସି ଜାରି କରିଥିବା ଟାରିଫ୍ ଆଦେଶରୁ ଜଣାପଡିଛି ଯେ, ସରକାରୀ ପୁଞ୍ଜିନିବେଶ ପରିମାଣକୁ ୧୫,୨୮୯ କୋଟି ଟଙ୍କାରେ ଅନୁମୋଦନ କରିବା ପାଇଁ ଟାଟା ପ୍ରସ୍ତାବ ଦେଇଥିଲା। ସେଥିରୁ ଆୟୋଗ ୧୧,୭୮୩ କୋଟି ଟଙ୍କା ଅନୁମୋଦନ କରି ଚଳିତ ବର୍ଷର ଟାରିଫ୍ ନିର୍ଣ୍ଣୟ କରିଥିଲେ। ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ୨୦୨୦-୨୧ ରୁ ୨୦୨୫-୨୬ ମଧ୍ୟରେ ଟାଟାର ପୁଞ୍ଜିନିବେଶ ପରିମାଣକୁ ଓଇଆରସି ୧୨,୭୮୬ କୋଟି ଟଙ୍କା ଅନୁମୋଦନ କରି ଟାରିଫ୍ ନିର୍ଣ୍ଣୟ କରିଥିବାବେଳେ ଟାଟା ଦରଖାସ୍ତରେ ମାତ୍ର ୫୬୯୮ କୋଟି ଟଙ୍କା ଦର୍ଶାଯାଇଛି। ଟାଟାର ପୁଞ୍ଜିନିବେଶ ଯୋଜନା ଦରଖାସ୍ତ ଉପରେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ୩୧ ପୃଷ୍ଠାର ଏକ ସର୍ବସାଧାରଣ ମତାମତ ସତ୍ୟପାଠ ଜରିଆରେ ଓଇଆରସିରେ ଦାଖଲ କରି କହିଛନ୍ତିଯେ ଚାରୋଟି ଟାଟା ବିତରଣ କମ୍ପାନି ଦାଖଲ କରିଥିବା ପୁଞ୍ଜିନିବେଶ ଯୋଜନାରେ ତାଳମେଳ ନାହିଁ।
ସୌଜନ୍ୟ ସମ୍ବାଦ




