The Energy: ଦ ଏନର୍ଜି ଆଣ୍ଡ୍ ରିସୋର୍ସେସ୍ ଇନ୍ଷ୍ଟିଚ୍ୟୁଟ୍
ଦଏନର୍ଜି ଆଣ୍ଡ୍ ରିସୋର୍ସେସ୍ ଇନ୍ଷ୍ଟିଚ୍ୟୁଟ୍ (ଟିଇଆର୍ଆଇ) ଭାରତର ଏକ ପ୍ରମୁଖ ଗବେଷଣା ସଂସ୍ଥା, ଯାହା ଶକ୍ତି, ପରିବେଶ ଆଦି କ୍ଷେତ୍ରରେ ଗବେଷଣା ଏବଂ ନୀତିଗତ ପରାମର୍ଶ ପ୍ରଦାନ କରେ। ସଂସ୍ଥାଟି...

ଦଏନର୍ଜି ଆଣ୍ଡ୍ ରିସୋର୍ସେସ୍ ଇନ୍ଷ୍ଟିଚ୍ୟୁଟ୍ (ଟିଇଆର୍ଆଇ) ଭାରତର ଏକ ପ୍ରମୁଖ ଗବେଷଣା ସଂସ୍ଥା, ଯାହା ଶକ୍ତି, ପରିବେଶ ଆଦି କ୍ଷେତ୍ରରେ ଗବେଷଣା ଏବଂ ନୀତିଗତ ପରାମର୍ଶ ପ୍ରଦାନ କରେ। ସଂସ୍ଥାଟି ୧୯୭୪ ମସିହାରେ ‘ଟାଟା ଏନର୍ଜି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍’ ନାମରେ ସ୍ଥାପିତ ହୋଇଥିଲା। ପରେ ଏହାର କାର୍ଯ୍ୟକ୍ଷେତ୍ର ବିସ୍ତୃତ ହେବା ସହିତ ୨୦୦୩ ମସିହାରେ ଏହାର ନାମ ପରିବର୍ତ୍ତନ କରାଯାଇ ‘ଦ ଏନର୍ଜି ଆଣ୍ଡ୍ ରିସୋର୍ସେସ୍ ଇନ୍ଷ୍ଟିଚ୍ୟୁଟ୍’ ରଖାଯାଇଥିଲା।
‘ଟିଇଆର୍ଆଇ’ର ସ୍ଥାପନା ପଛରେ ଥିବା ପ୍ରମୁଖ ପ୍ରେରଣାଦାତା ଥିଲେ ଟାଟା ଗ୍ରୁପ୍ର ଶିଳ୍ପପତି ଓ ଇଞ୍ଜିନିୟର ଦରବାରୀ ସେଠ୍। ଗୁଜରାଟର ମିଥାପୁରରେ ଥିବା ଏକ ଟାଟା କାରଖାନାରେ କାର୍ଯ୍ୟରତ ଥିବାବେଳେ ସେ ଲୁଣିଆ ଜଳକୁ ପାନଯୋଗ୍ୟ ଜଳରେ ପରିଣତ କରିବା ପ୍ରକ୍ରିୟା ପାଇଁ ବ୍ୟାପକ ଶକ୍ତି ବ୍ୟୟ ହେଉଥିବା ଦେଖିଥିଲେ। ଏହି ଅନୁଭବ ତାଙ୍କୁ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ଶକ୍ତି ସଂକଟର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଗବେଷଣା ସଂସ୍ଥା ଗଠନ କରିବାକୁ ପ୍ରେରିତ କରିଥିଲା। ଦରବାରୀ ସେଠ୍ଙ୍କ ଏହି ଭାବନାକୁ ଟାଟା ଗ୍ରୁପ୍ର ତତ୍କାଳୀନ ଅଧ୍ୟକ୍ଷ ଜେ. ଆର୍. ଡି. ଟାଟା ଦୃଢ଼ ସମର୍ଥନ ଦେଇଥିଲେ। ତାଙ୍କ ଅନୁମୋଦନ ଓ ସହଯୋଗରେ ଏକ ପ୍ରାରମ୍ଭିକ ପୁଞ୍ଜି ସହିତ ସଂସ୍ଥାଟି ଗଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରୋତ୍ସାହନ ଓ ସହଯୋଗରେ ୧୯୭୪ ମସିହାରେ ଦିଲ୍ଲୀରେ ‘ଟାଟା ଏନର୍ଜି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍’ ନାମରେ ଏହାକୁ ସରକାରୀ ଭାବେ ପଞ୍ଜୀକୃତ କରାଯାଇଥିଲା। ଏହିପରି ଭାବରେ ‘ଟିଇଆର୍ଆଇ’ର ଯାତ୍ରା ଆରମ୍ଭ ହୋଇଥିଲା।
‘ଟିଇଆର୍ଆଇ’ର ମୂଳ ଉଦ୍ଦେଶ୍ୟ ହେଉଛି ଶକ୍ତି ଓ ପ୍ରାକୃତିକ ସମ୍ପଦର ସୁଚିନ୍ତିତ ବ୍ୟବହାରକୁ ପ୍ରୋତ୍ସାହନ ଦେବା ଏବଂ ପରିବେଶର ସୁରକ୍ଷା ସୁନିଶ୍ଚିତ କରିବା। ସଂସ୍ଥାଟି ନବୀକରଣଯୋଗ୍ୟ ଶକ୍ତି, ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ନିୟନ୍ତ୍ରଣ, କୃଷି ଉନ୍ନୟନ, ଜୈବ ବିବିଧତା ସଂରକ୍ଷଣ ଓ ପ୍ରାକୃତିକ ସମ୍ପଦ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛି। ଏହି ସଂଗଠନ ଦେଶ ଓ ବିଦେଶର ଅନେକ ସରକାରୀ, ବେସରକାରୀ ଏବଂ ଆନ୍ତର୍ଜାତୀୟ ସଂସ୍ଥା ସହ ମିଳିତ ଭାବେ ଗବେଷଣା, ନୀତି ନିର୍ମାଣ, ପ୍ରଯୁକ୍ତି ବିକାଶ ଓ ସଚେତନତା କାର୍ଯ୍ୟକ୍ରମ ଚଳାଇଥାଏ। ସଂସ୍ଥାଟି ପ୍ରତିବର୍ଷ ‘ୱାର୍ଲଡ୍ ସସ୍ଟେନେବଲ୍ ଡେଭେଲପମେଣ୍ଟ ସମିଟ୍’ ଭଳି ଆନ୍ତର୍ଜାତୀୟ ପରିବେଶ ସମ୍ମିଳନୀ ଆୟୋଜନ କରୁଛି।
ବର୍ତ୍ତମାନ ‘ଟିଇଆର୍ଆଇ’ର ଭାରତ ସହିତ ବିଦେଶରେ ମଧ୍ୟ ଅନେକ କେନ୍ଦ୍ର ରହିଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ ଅବସ୍ଥିତ। ଭାରତରେ ବେଙ୍ଗାଲୁରୁ, ଗୋଆ, ଗୌହାଟୀ ଓ ମୁମ୍ବାଇରେ ଏହାର କାର୍ଯ୍ୟାଳୟ ରହିଛି। ଏହାସହିତ ବିଦେଶରେ ଜାପାନ, ଉତ୍ତର ଆମେରିକା, ଲଣ୍ଡନ ଏବଂ ଦକ୍ଷିଣ ପୂର୍ବ ଏସିଆର କୁଆଲାଲୁମ୍ପୁରରେ ମଧ୍ୟ ଏହାର କାର୍ଯ୍ୟାଳୟ ରହିଛି। ବର୍ତ୍ତମାନ ‘ଟିଇଆର୍ଆଇ’ରେ ୧୨୫୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସଂସ୍ଥାର ବର୍ତ୍ତମାନ ନିର୍ଦ୍ଦେଶକ ହେଉଛନ୍ତି ଡକ୍ଟର ବିଭା ଧାୱନ। ଏବେ ଏହି ସଂସ୍ଥା ଏକ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗବେଷଣା ସଂସ୍ଥା ଭାବେ ପରିଚିତ। ଏକ ସୁସ୍ଥ, ସବୁଜ ପୃଥିବୀ ଗଠନ ଦିଗରେ ଏହି ସଂସ୍ଥାର ଭୂମିକା ଗୁରୁତ୍ବପୂର୍ଣ୍ଣ।
ସୌଜନ୍ୟ ସମ୍ବାଦ




