Ten ways: ଦେବାଳୟ ସ୍ୱଚ୍ଛ ରଖିବାର ଦଶଟି ବାଟ
ଦେବାଳୟ କେବଳ ଧାର୍ମିକ ଆସ୍ଥାର କେନ୍ଦ୍ର ନୁହେଁ, ଏହା ସମାଜ ଓ ପରିବେଶ ସହ ଗଭୀର ଭାବେ ଜଡ଼ିତ ଏକ ପବିତ୍ର ସ୍ଥାନ। ଆଜିର ଯୁଗରେ ପରିବେଶ ପ୍ରଦୂଷଣ ଏକ ବଡ଼ ସମସ୍ୟା ହୋଇଯାଇଥିବାରୁ....

ଦେବାଳୟ କେବଳ ଧାର୍ମିକ ଆସ୍ଥାର କେନ୍ଦ୍ର ନୁହେଁ, ଏହା ସମାଜ ଓ ପରିବେଶ ସହ ଗଭୀର ଭାବେ ଜଡ଼ିତ ଏକ ପବିତ୍ର ସ୍ଥାନ। ଆଜିର ଯୁଗରେ ପରିବେଶ ପ୍ରଦୂଷଣ ଏକ ବଡ଼ ସମସ୍ୟା ହୋଇଯାଇଥିବାରୁ ମନ୍ଦିର ପରିସରକୁ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ରଖିବା ଅତ୍ୟନ୍ତ ଆବଶ୍ୟକ। ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ଶବ୍ଦ ନିୟନ୍ତ୍ରଣ ଭଳି ଛୋଟ ଛୋଟ ପ୍ରୟାସ ଦ୍ୱାରା ଆମେ ଦେବାଳୟକୁ ଏକ ପରିବେଶ-ମିତ୍ର ସ୍ଥାନରେ ପରିଣତ କରିପାରିବା। ଏହି ଦିଗରେ ସଚେତନତା ଓ ସମୂହ ଅଂଶଗ୍ରହଣ ଅତ୍ୟନ୍ତ ଜରୁରି। ଏଥିପାଇଁ କ’ଣ କରିବାକୁ ହେବ…
l ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରିଲେ ପରିବେଶ ସବୁଜ ଓ ଶୁଦ୍ଧ ରହେ। ଏହା ଛାୟା ପ୍ରଦାନ କରେ ଏବଂ ଅମ୍ଳଜାନର ପରିମାଣ ବଢ଼ାଏ।
l ଲଗାଇଥିବା ଗଛଗୁଡ଼ିକୁ ନିୟମିତ ଭାବେ ପାଣି ଦେବା, ଘାସ ବାଛିବା ଏବଂ ପଶୁପକ୍ଷୀଙ୍କ ଦ୍ୱାରା କ୍ଷତି ହେବାରୁ ରକ୍ଷା କରିବା ଆବଶ୍ୟକ।
l ପ୍ଲାଷ୍ଟିକ୍ ପରିବେଶକୁ ଦୂଷିତ କରେ, ତେଣୁ କପଡ଼ା ବ୍ୟାଗ୍ କିମ୍ବା ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବା ଉଚିତ।
l ପୂଜାରେ ପ୍ରାକୃତିକ ଫୁଲ ଓ ପତ୍ର ବ୍ୟବହାର କଲେ ପରିବେଶ ପ୍ରଦୂଷଣ କମିଥାଏ ଏବଂ ସେଗୁଡ଼ିକ ସହଜରେ ମାଟିରେ ମିଶିଯାଏ।
l ମନ୍ଦିରରେ ସୃଷ୍ଟ ଆବର୍ଜନାକୁ ଓଦା ଓ ଶୁଖିଲା ଭାବେ ଦୁଇଟି ଡଷ୍ଟବିନ୍ରେ ପୃଥକ୍ କରି ଫୋପାଡ଼ିବା ଏବଂ ପୁନଃଚକ୍ରଣ କରିବା ଆବଶ୍ୟକ।
l ଫୁଲ, ପତ୍ର ଓ ଜୈବ ଅବଶିଷ୍ଟକୁ କମ୍ପୋଷ୍ଟ କରିଲେ ପ୍ରାକୃତିକ ସାର ତିଆରି ହୁଏ, ଯାହା ଗଛ ପାଇଁ ଉପକାରୀ।
l ମନ୍ଦିରରେ ଅନାବଶ୍ୟକ ପାଣି ବ୍ୟୟ ରୋକିବା ଏବଂ ଆବଶ୍ୟକତା ଅନୁଯାୟୀ ପାଣି ବ୍ୟବହାର କରିବା ଦରକାର।
l ଲାଉଡ୍ସ୍ପିକରର ଅତ୍ୟଧିକ ଶବ୍ଦ ଓ ଧୂଆଁ ସୃଷ୍ଟି କରୁଥିବା କାର୍ଯ୍ୟକଳାପ କମାଇଲେ ପରିବେଶ ଶାନ୍ତ ଓ ସ୍ୱଚ୍ଛ ରହେ।
l ନିୟମିତ ଭାବେ ମନ୍ଦିର ଓ ତାହାର ପରିସର ସଫା କରିଲେ ସ୍ୱଚ୍ଛତା ବଜାୟ ରହେ ଏବଂ ରୋଗ ନିବାରଣ ହୁଏ।
l ପରିବେଶ ସୁରକ୍ଷା ବିଷୟରେ ଭକ୍ତମାନଙ୍କୁ ସଚେତନ କରିଲେ ସମସ୍ତେ ମିଶି ମନ୍ଦିରକୁ ସବୁଜ ଓ ସ୍ୱଚ୍ଛ ରଖିପାରିବେ।
ସୌଜନ୍ୟ ସମ୍ବାଦ




