The importance: ନବରାତ୍ରି ବ୍ରତର ମାହାତ୍ମ୍ୟ

ଆଶ୍ବିନ ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ଶାରଦୀୟ ନବରାତ୍ରି ପାଳିତ ହେଉଥିବା ବେଳେ, ଚୈତ୍ର ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ବାସନ୍ତିକ ନବରାତ୍ରି ପାଳିତ ହୋଇଥାଏ। ଶ୍ରୀରାମ ଶାରଦୀୟ....

ଆଶ୍ବିନ ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ଶାରଦୀୟ ନବରାତ୍ରି ପାଳିତ ହେଉଥିବା ବେଳେ, ଚୈତ୍ର ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ବାସନ୍ତିକ ନବରାତ୍ରି ପାଳିତ ହୋଇଥାଏ। ରଘୁକୁଳତିଳକ ଶ୍ରୀରାମ ଶାରଦୀୟ ନବରାତ୍ରି ବ୍ରତର ପ୍ରବର୍ତ୍ତକ ହୋଇଥିବା ବେଳେ, ଲଙ୍କପତି ରାବଣ ବାସନ୍ତିକ ନବରାତ୍ରି ବ୍ରତର ପ୍ରବର୍ତ୍ତକ ବୋଲି କଥିତ ହୁଏ। ମାତ୍ର ଅନ୍ୟ ମତରେ ବାସନ୍ତିକ ନବରାତ୍ରିର ପ୍ରବର୍ତ୍ତକ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ।
ଏ ସଂପର୍କିତ ପୌରାଣିକ ‌ପ୍ରସଙ୍ଗ ଅନୁସାରେ, ଗୋଲୋକଧାମରେ ଭଗବାନ ଶ୍ରୀକୃଷ୍ଣ ପ୍ରଥମେ ମା’ ଆଦି ପରାଶକ୍ତିଙ୍କର ପଦବନ୍ଦନା କରିଥ‌ିଲେ। ପରବର୍ତ୍ତୀ କାଳରେ, ମେଧାଋଷିଙ୍କ ମାଧ୍ୟମରେ ସୁରଥ ରାଜା ଓ ସମାଧି ବୈଶ୍ୟଙ୍କ ଦ୍ବାରା ଏହାର ଆରମ୍ଭ ହେଲା।

ନବରାତ୍ରି ବ୍ରତର ବିଶେଷତ୍ବ ସଂପର୍କରେ ‘ଦେବୀ ଭାଗବତ’ରେ ଉଲ୍ଲେଖ ଅଛି, ଯେ ଶାରଦୀୟ ନବରାତ୍ରି ବ୍ରତ ବିଧିପୂର୍ବକ ଏବଂ ବାସନ୍ତିକ ନବରାତ୍ରି ବ୍ରତ ପ୍ରୀତିପୂର୍ବକ ପାଳନ କରିବା ଉଚିତ।
ଶରତ ଓ ବସନ୍ତ- ଜୀବଜଗତ ପାଇଁ ଦୁଇ ଋତୁସନ୍ଧିକାଳ। ଏହି ଦୁଇ ଋତୁସନ୍ଧିକାଳରେ ରୋଗର ପ୍ରାଦୁର୍ଭାବ ଘଟିଥାଏ। ଏଣୁ ଏହା ମନୁଷ୍ୟ ଓ ଅନ୍ୟ ପ୍ରାଣୀମାନଙ୍କ ନିମନ୍ତେ ଅତ୍ୟନ୍ତ ଦୁର୍ଗମ। ସେଥିପାଇଁ ଆତ୍ମିକ ଓ ସାମୂହିକ କଲ୍ୟାଣ ନିମନ୍ତେ ଆଗ୍ରହୀ ବ୍ୟକ୍ତି ପ୍ରଯତ୍ନ ପୂର୍ବକ ଏହି ବ୍ରତ ପାଳନ କରିବା ଉଚିତ। ବୁଦ୍ଧିମାନ ବ୍ୟକ୍ତି ଶୁଭମାସ ଆଶ୍ବିନ ଓ ଚୈତ୍ରର ଏହି ସମୟରେ ଭକ୍ତିପୂର୍ବକ ଆଦିପରାଶକ୍ତି ଚଣ୍ଡିକାଦେବୀଙ୍କର ପୂଜା କରିବା ଉଚିତ।

ନବରାତ୍ରି ବ୍ରତର ମାହାତ୍ମ୍ୟ ସଂପର୍କରେ ବେଦବ୍ୟାସ କହିଛନ୍ତି- ପୃଥିବୀରେ ଯେତେ ବ୍ରତ ଓ ଯେତେ ଦାନ ରହିଛି, ସେ ସବୁ ନବରାତ୍ରି ବ୍ରତ ସହ ତୁଳନୀୟ ନୁହନ୍ତି। କାରଣ, ମା’ ଜଗଦମ୍ବାଙ୍କର ଏହି ବ୍ରତ କଲେ ଧନଧାନ୍ୟ ଓ ସୁଖଶାନ୍ତି ପ୍ରାପ୍ତ ହୁଏ ଏବଂ ବଂଶ ଓ ଆୟୁ ବୃଦ୍ଧି ଘଟେ। ଏହି ବ୍ରତ ଜୀବଦ୍ଦଶାରେ ଆରୋଗ୍ୟ ପ୍ରଦାନ କରେ ଏବଂ ପରଲୋକରେ ସ୍ବର୍ଗ ଓ ମୋକ୍ଷ ପ୍ରଦାନ କରିଥାଏ।
ଶାରଦୀୟ ନବରାତ୍ରି ଦେବୀ ଓ ଦେବତାଙ୍କର ରାତ୍ରି ବା ନିଦ୍ରାକାଳ ‌େହାଇଥିବା ବେଳେ, ବାସନ୍ତିକ ନବରାତ୍ରି ଦେବୀ ଓ ଦେବତାଙ୍କର ଦିବସ ବା ଜାଗ୍ରତ କାଳ। ଏଣୁ ଶାରଦୀୟ ନବରାତ୍ରି ପରି, ବାସନ୍ତିକ ନବରାତ୍ରିରେ ଦେବୀଙ୍କର ଅକାଳବୋଧନ କରିବାକୁ ପଡ଼ି ନ ଥାଏ। ତେବେ ଉଭୟ ନବରାତ୍ରିରେ ଦେବୀଙ୍କର ନବମ ଦିନର ରୂପ- ସିଦ୍ଧିଦାତ୍ରୀ। ଶାସ୍ତ୍ରପୁରାଣ ମାନଙ୍କରେ ଅଷ୍ଟସିଦ୍ଧିର ବର୍ଣ୍ଣନା ଅଛି। ତାହା ହେଉଛି- ଅଣିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ମହିମା, ଈଶିତ୍ବ, ବଶିତ୍ବ ଓ କାମବସାୟିତ୍ବ।
ଏହି ଅଷ୍ଟସିଦ୍ଧି ଯୋଗସାଧନା ବଳରେ ଲବ୍‌ଧ ହୁଏ। ମାତ୍ର ଦେବୀଙ୍କର ନବରାତ୍ରି ବ୍ରତ ପାଳନ କଲେ ଏହା ଅନାୟାସରେ ଉପଲବ୍‌ଧ  ହୋଇଥାଏ।

ସୌଜନ୍ୟ ସମ୍ବାଦ

Exit mobile version