ରାଜ୍ୟ

The Wastewater Treatment Farce: ବର୍ଜ୍ୟଜଳ ପ୍ରକ୍ରିୟାକରଣ ପ୍ରହସନ: ସୁନ୍ଦରଗଡ଼ର ୪ ପୌରସଂସ୍ଥାରେ ଚିନ୍ତାଜନକ ସ୍ଥିତି

ସୁନ୍ଦରଗଡ଼ ଜିଲ୍ଲାରେ ବର୍ଜ୍ୟଜଳ ପରିଚାଳନା ପ୍ରହସନ ପାଲଟିଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସମେତ ସୁନ୍ଦରଗଡ଼, ବୀରମିତ୍ରପୁର ଓ ରାଜଗାଙ୍ଗପୁର ପୌରପାଳିକାରେ ପ୍ରାୟ ସମାନ ସ୍ଥିତି।

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବର୍ଜ୍ୟଜଳ ପରିଚାଳନା ପ୍ରହସନ ପାଲଟିଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସମେତ ସୁନ୍ଦରଗଡ଼, ବୀରମିତ୍ରପୁର ଓ ରାଜଗାଙ୍ଗପୁର ପୌରପାଳିକାରେ ପ୍ରାୟ ସମାନ ସ୍ଥିତି। ଏହି ୪ଟି ସହରାଞ୍ଚଳରୁ ଦୈନିକ ୭୦.୧୫ ମିଲିୟନ ଲିଟର (ଏମ୍‌ଏଲ୍‌ଡି) ବର୍ଜ୍ୟ ପାଣି ନିର୍ଗତ ହେଉଛି। ଠିକଣା ଢଙ୍ଗରେ ଦୂଷିତ ଆବର୍ଜନା ଜଳର ପରିଚାଳନା ହୋଇପାରୁନି। ଯାହାଫଳରେ ଅଳିଆଆବର୍ଜନା ମିଶ୍ରିତ ପାଣି ସିଧାସଳଖ ବ୍ରାହ୍ମଣୀ, ଇବ ନଦୀ ସମେତ ଅନ୍ୟାନ୍ୟ ଜଳଉତ୍ସ ଓ ଡ୍ରେନ୍‌ରେ ନିଷ୍କାସିତ ହେଉଛି।

ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ଦୈନିକ ପ୍ରାୟ ୪୪.୯୫ ମିଲିୟନ ଲିଟର (ଏମ୍‌ଏଲ୍‌ଡି) ବର୍ଜ୍ୟଜଳ ନିର୍ଗତ ହେଉଥିଲେ ସୁଦ୍ଧା ସମସ୍ତ ବର୍ଜ୍ୟ ଜଳର ଶତପ୍ରତିଶତ ସୁପରିଚାଳନା ହୋଇପାରୁନି। ବାଲୁଘାଟ ରୁପୁଟୋଲାରେ ୪୦ ଏମ୍‌ଏଲ୍‌ଡି କ୍ଷମତା ବିଶିଷ୍ଟ ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ (ଏସ୍‌ଟିପି) ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଯଦିଓ କାର୍ଯ୍ୟକ୍ଷମ, କିନ୍ତୁ ଏଯାଏଁ ସହରର ସମସ୍ତ ଘରର ସଂଯୋଗୀକରଣ ସଂପନ୍ନ ହୋଇନି। ଯାହାଦ୍ବାରା ସୃଷ୍ଟି ହେଉଥିବା ବର୍ଜ୍ୟଜଳର ସଫଳ ପରିଚାଳନା ହୋଇପାରୁନି। ଏତଦ୍‌ବ୍ୟତୀତ ବୀରମିତ୍ରପୁର ପୌରପାଳିକାରୁ ଦୈନିକ ୫.୬୦ ଏମ୍‌ଏଲ୍‌ଡି, ରାଜଗାଙ୍ଗପୁରରୁ ୧୦ ଏମ୍‌ଏଲ୍‌ଡି ଓ ସୁନ୍ଦରଗଡ଼ ସହରରୁ ୯.୬୦ ଏମ୍‌ଏଲ୍‌ଡି ବର୍ଜ୍ୟଜଳ ସୃଷ୍ଟି ହେଉଛି। ଏହି ତିନୋଟି ପୌରପାଳିକାରେ କୌଣସି ବୃହତ୍‌ ଭୂତଳ ସ୍ୱେରେଜ୍ ପାଇପଲାଇନ ବ୍ୟବସ୍ଥା କାର୍ଯ୍ୟକ୍ଷମ ନାହିଁ। ଏହି ସହରଗୁଡ଼ିକରେ ବର୍ତ୍ତମାନ ବିକଳ୍ପ ଭାବେ ସେପ୍ଟିକ୍ ଟାଙ୍କି ଓ ଡ୍ରେନେଜ୍ ବ୍ୟବସ୍ଥା ଉପରେ ନିର୍ଭର କରାଯାଉଛି। ଏହି ତିନି ପୌରାଞ୍ଚଳରେ ବିକେନ୍ଦ୍ରୀକୃତ ପରିମଳ ବ୍ୟବସ୍ଥା ଉପରେ ନିର୍ଭର କରାଯାଉଛି, ଯାହା ବ୍ୟାପକ ବର୍ଜ୍ୟଜଳ ପରିଚାଳନା ପାଇଁ ପର୍ଯ୍ୟାପ୍ତ ନୁହେଁ। ବିନା ପ୍ରକ୍ରିୟାକରଣରେ ବର୍ଜ୍ୟଜଳ ଛଡ଼ା ଯାଉଥିବାରୁ ନଦୀଜଳ ଦୂଷିତ ହେବାରେ ଲାଗିଛି। ଏମିତିକି ମଇଳା ପାଣି ଠିକ୍ ଭାବେ ନିଷ୍କାସନ ନ ହୋଇ ବିଭିନ୍ନ ସ୍ଥାନରେ ଜମି ରହୁଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିଛି। ଖୋଲା ମଇଳା ପାଣିରୁ ମଶାମାଛି ବଂଶବୃଦ୍ଧି ସହ ଡେଙ୍ଗୁ, ମ୍ୟାଲେରିଆ ଆଦି ପ୍ରାଣଘାତୀ ଜ୍ବର ଆଶଙ୍କା ଦ୍ୱିଗୁଣିତ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button