ଦେଶ ବିଦେଶ

China Spy: ଚୀନ୍ ଗୁପ୍ତଚର କାଲିଫର୍ଣ୍ଣିଆ ମେୟର: ଦୋଷ ସ୍ବୀକାର କରି ପଦବୀରୁ ଦେଲେ ଇସ୍ତଫା

କାଲିଫର୍ଣ୍ଣିଆ: ଆମେରିକାର ତଦନ୍ତକାରୀ ସଂସ୍ଥାଏଫ୍‌ବିଆଇପକ୍ଷରୁ କାଲିଫର୍ଣ୍ଣିଆର ଆର୍କାଡିଆର ମେୟର ଏଲିନ୍ ୱାଙ୍ଗଙ୍କ ବିରୋଧରେ ଚୀନ୍ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗ କରାଯାଇଛି। ଫେଡେରାଲ୍ କୋର୍ଟରେ ୱାଙ୍ଗଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି। ଏଫବିଆଇ ଅନୁଯାୟୀ, ଏଲିନ୍ ୱାଙ୍ଗ ୨୦୨୦ ରୁ ୨୦୨୨ ମଧ୍ୟରେ ଚୀନ୍ ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ କାମ କରିଥିଲେ ଏବଂ ଆମେରିକାରେ ଚୀନ୍ ସ୍ୱାର୍ଥକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଥିଲେ। ଦୋଷ ସ୍ୱୀକାର କରିବା ପରେ, ୱାଙ୍ଗ ମେୟର ଏବଂ ନଗର ପରିଷଦ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ୱାଙ୍ଗଙ୍କ ବିଷୟରେ ଏହି ଖୁଲାସା ପରେ ଆମେରିକୀୟ ପ୍ରଶାସନ ଆଶ୍ଚର‌୍ୟ୍ୟଚକିତ ହୋଇଛି।

ୟୁଏସ୍ ନ୍ୟୁଜ୍ ସେଣ୍ଟର ନାମକ ୱେବସାଇଟ୍ ବ୍ୟବହାର କରୁଥିଲେ

ଏଫ୍‌ବିଆଇ ଅନୁଯାୟୀ, ଏଲିନ୍ ୱାଙ୍ଗ ଏବଂ ୟାଓନିଂ ମାଇକ୍ ସନ୍, ଆମେରିକାରେ ରହୁଥିବା ବ୍ୟକ୍ତିବିଶେଷଙ୍କ ସହିତ ମିଶିଚୀନ୍ ସରକାରଙ୍କ ନିର୍ଦ୍ଦେଶରେ ପ୍ରଚାର ପ୍ରସାର କରିଥିଲେ। ସେମାନେ ୟୁଏସ୍ ନ୍ୟୁଜ୍ ସେଣ୍ଟର ନାମକ ଏକ ୱେବସାଇଟ୍ ବ୍ୟବହାର କରିଥିଲେ, ଯାହା ସ୍ଥାନୀୟ ଚୀନ୍-ଆମେରିକୀୟ ସମ୍ପ୍ରଦାୟ ପାଇଁ ଏକ ନ୍ୟୁଜ୍ ପ୍ଲାଟଫର୍ମ ବୋଲି କୁହାଯାଉଥିଲା। ତଦନ୍ତକାରୀ ଏଜେନ୍ସିଗୁଡ଼ିକ କହିଛନ୍ତି, ଚୀନ୍ ସରକାରଙ୍କ ନିର୍ଦ୍ଦେଶରେ ଏହି ୱେବସାଇଟ୍‌ରେ ଚୀନ୍ ସମର୍ଥକଙ୍କ ବିଷୟବସ୍ତୁ ପ୍ରକାଶିତ ହେଉଥିଲା।

ସର୍ବାଧିକ ୧୦ ବର୍ଷ ହୋଇପାରେ ଜେଲ୍ ଦଣ୍ଡ

ଏହି ମାମଲାରେ ୫୮ ବର୍ଷୀୟା ଏଲିନ୍ ୱାଙ୍ଗ ଦୋଷ ସ୍ୱୀକାର କରିଛନ୍ତି। ଏହି ଅପରାଧରେ ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇପାରେ। ଆମେରିକାର ନ୍ୟାୟ ବିଭାଗ ଅନୁଯାୟୀ, ୱାଙ୍ଗ ଆଗାମୀ ସପ୍ତାହ ମଧ୍ୟରେ ଆନୁଷ୍ଠାନିକ ଭାବରେ ଦୋଷ ସ୍ୱୀକାର କରିବେ ବୋଲି ଆଶା କରାଯାଉଛି। ଏଲିନ୍ ୱାଙ୍ଗ ନଭେମ୍ବର ୨୦୨୨ରେ ଆର୍କାଡିଆ ସିଟି କାଉନସିଲକୁ ନିର୍ବାଚିତ ହୋଇଥିଲେ। ଏହା ଏକ ପାଞ୍ଚ ସଦସ୍ୟ ବିଶିଷ୍ଟ ପରିଷଦ, ଯେଉଁଥିରେ ମେୟର ପର‌୍ୟ୍ୟାୟକ୍ରମେ ନିର୍ବାଚିତ ହୋଇଥାନ୍ତି। ନ୍ୟାୟ ବିଭାଗ ଏକ ବିବୃତିରେ କହିଛି ଯେ, ଜୁନ୍ ୨୦୨୧ରେ, ଜଣେ ଚୀନ୍ ଅଧିକାରୀ ୱାଙ୍ଗ ଏବଂ ଅନ୍ୟମାନଙ୍କ ପାଖକୁ ୱିଚାଟ୍ ଆପ୍ ମାଧ୍ୟମରେ ପୂର୍ବ-ପ୍ରସ୍ତୁତ ଖବର ଲେଖା ପଠାଇଥିଲେ। ଏହି ଲେଖାଗୁଡ଼ିକୁ ଆମେରିକାରେ ପ୍ରକାଶିତ କରିବାକୁ ଚେଷ୍ଟା କରାଯାଇଥିଲା। ଜାତୀୟ ସୁରକ୍ଷା ବ୍ୟାପାର ପାଇଁ ଆମେରିକାର ସହାୟକ ଆଟର୍ଣ୍ଣି ଜେନେରାଲ ଜନ୍ ଆଇଜେନବର୍ଗ କହିଛନ୍ତି, ଚୀନ୍ ସରକାରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଜଣେ ମହିଳା ସାର୍ବଜନୀନ ପଦବୀରେ କିଭଳି ପହଞ୍ଚିଲେ ତାହା ଅତ୍ୟନ୍ତ ଚିନ୍ତାଜନକ। କାଲିଫର୍ଣ୍ଣିଆର କେନ୍ଦ୍ରୀୟ ଜିଲ୍ଲା ପାଇଁ ପ୍ରଥମ ସହାୟକ ଆମେରିକୀୟ ଓକିଲ ବିଲ୍ ଇସାଇଲି କହିଛନ୍ତି, ଯେଉଁମାନେ ଗୁପ୍ତ ଭାବରେ ବିଦେଶୀ ସରକାର ପାଇଁ କାମ କରନ୍ତି ସେମାନେ ଆମେରିକୀୟ ଗଣତନ୍ତ୍ରକୁ ଦୁର୍ବଳ କରନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଚୀନ୍‌ର ପ୍ରୟାସ ବିରୋଧରେ ଏକ ବଡ଼ ସଫଳତା। ଏଫ୍‌ବିଆଇର କାଉଣ୍ଟରଇଣ୍ଟେଲିଜେନ୍ସ ଏବଂ ଗୁପ୍ତଚର ବିଭାଗର ସହାୟକ ନିର୍ଦ୍ଦେଶକ ରୋମାନ ରୋଗାୱସ୍କି କହିଛନ୍ତି ଯେ, ଏହି ମାମଲା ବିଦେଶୀ ସରକାରଙ୍କ ନିର୍ଦ୍ଦେଶରେ ଆମେରିକାର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ ସ୍ପଷ୍ଟ ଚେତାବନୀ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button