Travis Head Wife Jessica Abused Online: ବିରାଟଙ୍କ ସହ ମ୍ୟାଚ୍ ବିବାଦ ପରେ ଟ୍ରାଭିସ୍ ହେଡ୍‌ଙ୍କ ପତ୍ନୀ ଓ ପରିବାରକୁ ଅନଲାଇନ୍ ଗାଳିଗୁଲଜ, ଜେସିକା ପ୍ରକାଶ କଲେ କ୍ଷୋଭ

ଆଇପିଏଲ୍ ୨୦୨୬ ର ଏକ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ତାରକା ଖେଳାଳି ବିରାଟ କୋହଲି ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ର ଅଷ୍ଟ୍ରେଲୀୟ ବ୍ୟାଟର ଟ୍ରାଭିସ୍ ହେଡ୍‌ଙ୍କ ମଧ୍ୟରେ ଘଟିଥିବା ପଡ଼ିଆ ଭିତରର ତିକ୍ତତା ଏବେ ଏକ ଅଲଗା ମୋଡ଼ ନେଇଛି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କିଛି ଭାରତୀୟ କ୍ରିକେଟ୍ ପ୍ରଶଂସକ ସୋସିଆଲ ମିଡିଆରେ ଟ୍ରାଭିସ୍ ହେଡ୍ ଏବଂ ତାଙ୍କ ପତ୍ନୀ ଜେସିକାଙ୍କୁ ପ୍ରବଳ ଟ୍ରୋଲ୍ ଓ ଗାଳିଗୁଲଜ କରିବା ଆରମ୍ଭ କରିଛନ୍ତି।

ଜେସିକା ଅଷ୍ଟ୍ରେଲୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, କେବଳ ସେମାନଙ୍କୁ ନୁହେଁ, ବରଂ ସେମାନଙ୍କର ସାଙ୍ଗସାଥୀ ଏବଂ ପରିବାର ସଦସ୍ୟମାନଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଖରାପ ମେସେଜ୍ ପଠାଯାଉଛି। ସେ ପ୍ରକାଶ କରିଛନ୍ତି ଯେ ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍, ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍  ଫାଇନାଲ୍ ଏବଂ ୨୦୨୪ ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ରେ ଭାରତ ବିରୋଧରେ ଅଷ୍ଟ୍ରେଲିଆର ବିଜୟ ପରେ ମଧ୍ୟ ସେମାନଙ୍କୁ ଏଭଳି ଅପମାନ ସହିବାକୁ ପଡ଼ିଥିଲା। ଏପରିକି ସେମାନଙ୍କର ଛୋଟ ଝିଅକୁ ମଧ୍ୟ ଅନଲାଇନ୍‌ରେ ଧମକ ଦିଆଯାଇଥିଲା। ସେ ସମସ୍ତ ପ୍ରଶଂସକଙ୍କୁ ଖେଳାଳି ଏବଂ ସେମାନଙ୍କ ପରିବାରର ମାନସିକ ସ୍ୱାସ୍ଥ୍ୟ ପ୍ରତି ସମ୍ମାନ ଓ ଦୟାଭାବ ଦେଖାଇବାକୁ ଅନୁରୋଧ କରିଛନ୍ତି।

ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍‌ଙ୍କ ମଧ୍ୟରେ କ’ଣ ହୋଇଥିଲା?

RCB ର ରନ୍ ଚେଜ୍ (୨୫୬ ରନ୍‌ର ଲକ୍ଷ୍ୟ) ସମୟରେ ପଡ଼ିଆ ଭିତରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ଚାଲିଥିବା ବେଳେ ହେଡ୍ କୋହଲିଙ୍କୁ ଆହୁରି ଆକ୍ରମଣାତ୍ମକ ସଟ୍ ଖେଳିବାକୁ କହିଥିଲେ। ଏହାର ଜବାବରେ କୋହଲି ବ୍ୟଙ୍ଗ କରି ହେଡ୍‌ଙ୍କୁ (ଯିଏ କି ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳୁଥିଲେ) ନିଜେ ଆସି ବୋଲିଂ କରିବାକୁ ଆହ୍ୱାନ ଦେଇଥିଲେ।

ମାତ୍ର ଏହାର କିଛି ସମୟ ପରେ କୋହଲି ଆଉଟ୍ ହୋଇଯାଇଥିଲେ। କୋହଲି ଆଉଟ୍ ହେବା ମାତ୍ରେ ହେଡ୍ ତାଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, “ମୋତେ ବୋଲିଂ କରିବାର ସୁଯୋଗ ମିଳିବା ପୂର୍ବରୁ ହିଁ ତୁମେ ଆଉଟ୍ ହୋଇଗଲ।” ଏହି କଥା କୋହଲିଙ୍କୁ ଆଦୌ ପସନ୍ଦ ଆସିନଥିଲା।

ହେଡ୍: “ଆହୁରି ଆକ୍ରମଣାତ୍ମକ ସଟ୍ ଖେଳ…”

କୋହଲି: “ଠିକ୍ ଅଛି, ନିଜେ ଆସି କିଛି ଓଭର ବୋଲିଂ କର!”

(କୋହଲି ଆଉଟ୍ ହେବା ପରେ)

ହେଡ୍: “ମୁଁ ବୋଲିଂ କରିବା ପୂର୍ବରୁ ହିଁ ତୁମେ ଆଉଟ୍ ହୋଇଗଲ ଭାଇ।”

ମ୍ୟାଚ୍ ପରେ ହାତ ମିଳାଇବାକୁ ମନା କଲେ କୋହଲି:

ଏହି ମ୍ୟାଚ୍‌ରେ ହାଇଦ୍ରାବାଦ ୫୫ ରନ୍‌ରେ ବିଜୟୀ ହୋଇଥିଲା। ଖେଳ ଶେଷ ହେବା ପରେ ନିୟମିତ ସୌଜନ୍ୟମୂଳକ ହାତ ମିଳାଇବା ଲାଇନ୍‌ରେ ଯେତେବେଳେ ଟ୍ରାଭିସ୍ ହେଡ୍ କୋହଲିଙ୍କ ସହ ହାତ ମିଳାଇବାକୁ ଆଗେଇ ଆସିଥିଲେ, କୋହଲି ତାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରି ଆଗକୁ ଚାଲିଯାଇଥିଲେ। ତେବେ କୋହଲି ହାଇଦ୍ରାବାଦ ଦଳର ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ସମେତ ଅନ୍ୟ ସମସ୍ତ ଖେଳାଳିଙ୍କ ସହ ସ୍ୱାଭାବିକ ଭାବେ ହାତ ମିଳାଇଥିଲେ। କୋହଲିଙ୍କ ଏହି ଆଚରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

 

 

 

ସୌଜନ୍ୟ Prameya News7