ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଇରାନର ସେତୁ ଓ ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ଇରାନରେ ଯାହା ରହିଯାଇଛି ଆମେରିକା ସେନା ବର୍ତ୍ତମାନ ତାକୁ ଧ୍ବଂସ କରିବା ଆରମ୍ଭ କରିନାହାନ୍ତି। ସେତୁ ଓ ତା’ପରେ ବିଦ୍ୟୁତ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରାଯିବ। ଇରାନ ରାଜଧାନୀ ତେହେରାନ ଓ କରାଜ୍ ସହରକୁ ଯୋଡ଼ୁ ଥିବା ବିୱାନ ସେତୁକୁୁ ଆମେରିକା ଗୁରୁବାର ଉଡ଼େଇ ଦେବାପରେ ଏହି ଚେତାବନୀ ଜାରି କରିଛି। ବିଦ୍ୟୁତ ଶକ୍ତି କେନ୍ଦ୍ର ପରି ବେସାମରିକ ଭିତ୍ତିଭୂମି ନଷ୍ଟ କରିବା ଆନ୍ତର୍ଜାତିକ ନିୟମର ଉଲ୍ଲଂଘନ ହେବ ବୋଲି ଆମେରିକାରେ ଆଇନ ବିଶେଷଜ୍ଞ ଚେତାଇ ଦେଇଛନ୍ତି।
ଆହୁରି ପଢନ୍ତୁ: Britain: ବ୍ରିଟେନର ହର୍ମୁଜ ପ୍ରଣାଳୀ ସମ୍ମିଳନୀ: ଭାରତ କହିଲା ନାବିକ ହରାଇବାରେ ଆମେ ଏକମାତ୍ର ଦେଶ
ତେବେ ଟ୍ରମ୍ପ କହିଛନ୍ତି, ଇରାନ ନେତୃବର୍ଗଙ୍କୁ କ’ଣ କରିବାର ଅଛି ସେମାନେ ଜାଣନ୍ତି, ସେମାନେ ତାହା ତୁରନ୍ତ କରନ୍ତୁ। ଯୁଦ୍ଧ ଶେଷ କରିବାକୁ ତାଙ୍କର ଦାବି ନମାନିଲେ ଅଧିକ ଭୟଙ୍କର ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଛନ୍ତି। ତେବେ ଟ୍ରମ୍ପଙ୍କ ଧମକକୁ ବେଖାତିର କରି ଇରାନ ଆକ୍ରମଣ ଜାରି ରଖିବାକୁ ପଣ କରିଛି। ଇରାନ ଓ ଏହାର ସହଯୋଗୀ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ଓ ଇସ୍ରାଏଲର ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରଖିଛନ୍ତି। ଶୁକ୍ରବାର ଯୁଦ୍ଧ ନେଇ ଉତ୍ତେଜନା ହ୍ରାସ ପାଇବାରୁ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। କେନ୍ଦ୍ରୀୟ ଇରାନ ଉପରେ ଆମେରିକାର ଦ୍ବିତୀୟ ଏଫ୍ -୩୫ ବିମାନକୁ ଖସେଇ ଦେଇଥିବା ଇରାନ ଦାବି କରିଛି। ମେହର୍ ନ୍ୟୁଜ ଏଜେନ୍ସି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଇରାନ ରାତି ସାରା ତେଲ ଅଭିଭ ଉପରେ କ୍ଷେପଣାସ୍ତ୍ରରେ ଆକ୍ରମଣ ଜାରି ରଖିଥିଲା। ଇରାନ ଆକ୍ରମଣରେ ଇସ୍ରାଏଲରେ ୪ ଜଣ ଆହତ ହୋଇଛନ୍ତି। ଜେରୁଜେଲମରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଲେବାନନ୍ରେ ଇସ୍ରାଏଲ ଇରାନ ସମର୍ଥିତ ହେଜବୁଲ୍ଲା ଉପରେ ସ୍ଥଳପଥରେ ଆକ୍ରମଣରେ ଗତ ୨୪ ଘଣ୍ଟାରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ଇରାନ ଡ୍ରୋନ୍ ଆକ୍ରମଣରେ କୁଏତର ମିନା ଅଲ ଅହମ୍ମଦି ତୈଳ ବିଶୋଧନଗାରରେ ନିଆଁ ଲାଗିଯାଇଛି। ଆଗ୍ନିକ ଏହାକୁ ଲିଭାଇବାକୁ ଜୋରଦାର ପ୍ରୟାସ କରୁଥିବା ଏପି ସୂତ୍ରରୁ ଜଣାପଡ଼ିଛି। କୁଏତର ଜାତୀୟ ପେଟ୍ରୋଲିୟମ ନିଗମ ପକ୍ଷରୁ କୁହାଯାଇଛି ଯେ, ନିଆଁ ଲିଭାଇବାକୁ ଜରୁରୀକାଳୀନ ଟିମ୍ ମୁତୟନ ହୋଇଛି। ଏହି ତୈଳ ବିଶୋଧନାଗାର କୁଏତର ଏକ ଗୁରୁତ୍ବପୂର୍ଣ୍ଣ ତୈଳ ଉତ୍ପାଦନ କେନ୍ଦ୍ର।
ସୌଜନ୍ୟ ସମ୍ବାଦ
