ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ବିଭାଗର ନୂତନ ରିପୋର୍ଟ ଆଜିକାଲି ହେଡ୍ଲାଇନ୍ରେ ରହିଛି। ରିପୋର୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧର ଆଶଙ୍କା ଅଛି ବୋଲି ଦାବି କରାଯାଇଛି। ଏଥିରେ ପାକିସ୍ତାନର କଳା କାରନାମା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ବୁଧବାର ଆମେରିକା ସିନେଟରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟ ଉପସ୍ଥାପନ କରି ଆମେରିକାର ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡ ଆଉ ଏକ ବଡ଼ ବିବୃତି ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ଦ୍ୱାରା ଆମେରିକା ମଧ୍ୟ ବିପଦରେ ଅଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ହେତୁ ପରମାଣୁ ଯୁଦ୍ଧର ଆଶଙ୍କା
ଆମେରିକାର ଗୁଇନ୍ଦା ସଂସ୍ଥା ଦ୍ୱାରା ବିପଦ ମୂଲ୍ୟାଙ୍କନ ଉପରେ ବାର୍ଷିକ ରିପୋର୍ଟ ଅନୁଯାୟୀ, ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ହେତୁ ପରମାଣୁ ଯୁଦ୍ଧର ଆଶଙ୍କା ରହିଛି। ୩୪ ପୃଷ୍ଠାର ରିପୋର୍ଟ ଅନୁଯାୟୀ, ଭାରତ ଓ ପାକିସ୍ତାନ ସିଧାସଳଖ ସଂଘର୍ଷ ଆରମ୍ଭ କରିବାକୁ ଚାହୁନାହାନ୍ତି, କିନ୍ତୁ ଆତଙ୍କବାଦୀ ତତ୍ତ୍ୱ ଏପରି ପରିସ୍ଥିତି ସୃଷ୍ଟି କରିପାରନ୍ତି। ଏଥିରେ ପହଲଗାମ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ଆକ୍ରମଣରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ୨୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରି ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀରରେ ଥିବା ଅନେକ ଆତଙ୍କବାଦୀ ଘାଟିକୁ ଭାଙ୍ଗି ଦେଇଥିଲା ଏବଂ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା।
ଗତବର୍ଷ ମେ ମାସରେ ଆରମ୍ଭ ହୋଇଥିବା ଯୁଦ୍ଧ ପରି ପରିସ୍ଥିତି ବିଷୟରେ ଉଲ୍ଲେଖ କରି ଆମେରିକା ଦସ୍ତାବିଜରେ କୁହାଯାଇଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ସାମ୍ପ୍ରତିକ ଆଣବିକ ତିକ୍ତତାକୁ ହ୍ରାସ କରିଛି ଏବଂ ଆମର ଆକଳନ ହେଉଛି ଯେ କୌଣସି ଦେଶ ଖୋଲା ବିବାଦକୁ ଫେରିବାକୁ ଚାହୁନାହାନ୍ତି, କିନ୍ତୁ ଆତଙ୍କବାଦୀ ତତ୍ତ୍ୱମାନଙ୍କ ପାଇଁ ସଙ୍କଟ ସୃଷ୍ଟି ହେବା ସମ୍ଭାବନା ଅଛି।
ଅନ୍ୟପକ୍ଷରେ ଆମେରିକାର ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡ ବୁଧବାର ସାଂସଦମାନଙ୍କୁ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ବିକଶିତ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ଆମେରିକାକୁ ଟାର୍ଗେଟ୍ କରିବାରେ ସକ୍ଷମ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ହୋଇପାରେ। ଗବାର୍ଡ କହିଛନ୍ତି, ଆମେରିକାର ସୁରକ୍ଷିତ ଆଣବିକ ପ୍ରତିରୋଧ ବ୍ୟବସ୍ଥା ଦେଶକୁ ବିପଦରୁ ସୁରକ୍ଷା ଦେଇଥାଏ। ତେବେ ରୁଷ୍, ଚୀନ୍, ଉତ୍ତର କୋରିଆ, ଇରାନ ଓ ପାକିସ୍ତାନ ଆଣବିକ ତଥା ପାରମ୍ପରିକ ପେଲୋଡ୍ ସହିତ ସଜ୍ଜିତ ଅନେକ ନୂତନ, ଉନ୍ନତ କ୍ଷେପଣାସ୍ତ୍ର ପ୍ରଣାଳୀ ଉପରେ ଗବେଷଣା ଓ ବିକାଶ ଜାରି ରଖିଛନ୍ତି ଯାହା ଆମ ଦେଶକୁ ବିପଦର ସମ୍ମୁଖୀନ କରିପାରେ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ
