War Updates: ଯୁଦ୍ଧର ପ୍ରଭାବ: ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୨.୩୦ ଟଙ୍କା

ମୁମ୍ବାଇ: ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ସୋମବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ପ୍ରଥମ ଥର ୯୨ ଟଙ୍କା ସ୍ତର ଅତିକ୍ରମ କରିଛି। ଏକ ସମୟରେ ଡଲାର ଦାମ୍‌ ୯୨ ଟଙ୍କା ୩୦ ପଇସା ଥିଲା। ଭୂ-ରାଜନୈତିକ ସଙ୍କଟ, ଅଶୋଧିତ ତୈଳ ଦରରେ ବୃଦ୍ଧି ଓ ବିଦେଶୀ ନିବେଶକମାନେ ଲଗାତାର ଭାବେ ଭାରତୀୟ ଷ୍ଟକ୍‌ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି।

ବିଶେଷଜ୍ଞମାନଙ୍କ ମତରେ ଅଶୋଧିତ ତୈଳ ଦରରେ ହୋଇଥିବା ବୃଦ୍ଧି ପାଇଁ ଟଙ୍କା ଦୁର୍ବଳ ହୋଇଛି। ଭାରତ ଏହାର ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ତେଲ ଆମଦାନୀ କରିଥାଏ। ‌ଆମଦାନୀରେ ଡଲାର ଗ୍ରହଣ କରାଯାଇଥାଏ। ତେଲ ମହଙ୍ଗା ହେଉଥିବାରୁ ଆମଦାନୀକାରୀଙ୍କୁ ଅଧିକ ଡଲାର ଦରକାର ପଡ଼ିବ। ଏଥି ସହିତ ସେହି ବିଦେଶୀ ମୁଦ୍ରାର ଚାହିଦା ବଢ଼ିବ। ଚାହିଦା ବଢ଼ିଲେ ଦର ବଢ଼ିବ। ଡଲାର ମହଙ୍ଗା ହେବା ଭାରତ ଭଳି ଆମଦାନୀ ନିର୍ଭରଶୀଳ ଦେବା ପାଇଁ ବେଶ୍‌ କ୍ଷତିକାରକ। ପ୍ରଥମତଃ ଏହା ଦେଶର ଆମଦାନୀ ଖର୍ଚ୍ଚ ବଢ଼ାଇବ। ଦ୍ବିତୀୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ଚାପ ସୃଷ୍ଟି କରିବ। ତୃତୀୟତଃ ଅଧିକ ଦାମ୍‌ରେ ଜିନିଷ ଦେଶ ଭିତରକୁ ଆସିଲେ ତାହା ଏଠାରେ ସେହିଭଳି ଅଧିକ ଦରରେ ବିକ୍ରି ହେବ। ତେଣୁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଦ୍ବାରା ଦେଶରେ ଦରଦାମ୍‌ ସ୍ଥିତି ବେଲଗାମ ହୋଇପଡ଼ିବା ଆଶଙ୍କା ରହିଛି।

ସାଧାରଣତଃ ଟଙ୍କା ଦୁର୍ବଳ ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ପାଖରେ ଥିବା ଡଲାର ବିକ୍ରି କରି ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଉଦ୍ୟମ କରିଥାନ୍ତି। ଗୋଟିଏ ପଟେ ଦେଶକୁ ଅଧିକ ଡଲାର ଆସୁନାହିଁ। ଅନ୍ୟପଟେ ବୈଦେଶିକ ନିବେଶକମାନେ କୋଟି କୋଟି ଡଲାର ପ୍ରତିଦିନ ବଜାରରୁ ପ୍ରତ୍ୟାହାର କରୁଥିବାରୁ ଭାରତୀୟ ମୁଦ୍ରା ଚାପରେ ରହିଛି। ଶେଷରେ, ଯୁଦ୍ଧ ଲାଗି ରହିଥିବାରୁ ନିବେଶକମାନେ ଡଲାର ଭଳି ସୁରକ୍ଷିତ ମୁଦ୍ରା ଅଧିକରୁ ଅଧିକ ମାତ୍ରାରେ ନିଜ ପାଖରେ ରଖିବାକୁ ଚାହୁଛନ୍ତି। ସେଥିପାଇଁ ମଧ୍ୟ ଡଲାର ଚାହିଦା ବଢ଼ିଥିବା କୁହାଯାଉଛି। ଟଙ୍କା ଦୁର୍ବଳ ହେଲେ ଦେଶରେ ଦରଦାମ୍‌ ବଢ଼ିବ, ଭାରତ ଆମଦାନୀ ପାଇଁ ଅଧିକ ଟଙ୍କା ଗଣିବ, ବିଦେଶ ଭ୍ରମଣ ଓ ବିଦେଶରେ ପିଲାଙ୍କୁ ପାଠପଢ଼ାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ଏହି ସ୍ଥିତିରେ ଦେଶର ସୂଚନା ପ୍ରଯୁକ୍ତି ଓ ଔଷଧ କମ୍ପାନଗୁଡ଼ିକ ଲାଭବାନ ହୋଇଥାନ୍ତି। କାରଣ ସେମାନଙ୍କ ଅଧିକାଂଶ ଆୟ ବିଦେଶରୁ ଆସିଥାଏ।

ସୌଜନ୍ୟ ସମ୍ବାଦ

Exit mobile version