Water crisis: ରାଜଧାନୀର ଜଳକଷ୍ଟ, ବନ୍ଧ ନ ବାନ୍ଧିଲେ ଅଣ୍ଟୁନି ପାଣି

ଭୂତଳ ଜଳସ୍ତର ଦ୍ରୁତଗତିରେ ହ୍ରାସ ପାଇ ଚାଲିଛି। ନଦୀନାଳର ସ୍ଥିତି ବି ଜଟିଳ। ନଦୀରେ ଜଳାଭାବ ଜଳଜଳ ଦିଶିଲାଣି। କୁଆଖାଇ ନଦୀ ମଝିରେ ବନ୍ଧ ନ ବାନ୍ଧିଲେ ରାଜଧାନୀବାସୀଙ୍କୁ ପିଇବା....

ଭୁବନେଶ୍ୱର: ଭୂତଳ ଜଳସ୍ତର ଦ୍ରୁତଗତିରେ ହ୍ରାସ ପାଇ ଚାଲିଛି। ନଦୀନାଳର ସ୍ଥିତି ବି ଜଟିଳ। ନଦୀରେ ଜଳାଭାବ ଜଳଜଳ ଦିଶିଲାଣି। କୁଆଖାଇ ନଦୀ ମଝିରେ ବନ୍ଧ ନ ବାନ୍ଧିଲେ ରାଜଧାନୀବାସୀଙ୍କୁ ପିଇବା ପାଣି ଅଣ୍ଟୁନି। ଆଜି ନୁହେଁ, ଗତ ୧୫ ବର୍ଷରୁ ଅଧିକ ହେବ, ଏଭଳି ସ୍ଥିତି ଲାଗି ରହିଛି। ସବୁଠୁ ଦୁର୍ଭାଗ୍ୟର କଥା, ଖରାଦିନରେ ତ ଜଳସଂକଟ ସ୍ବାଭାବିକ କଥା। କିନ୍ତୁ ବର୍ଷାଦିନ ଆସିଲେ ଏଠାରେ ଜଳସଂକଟ ଅଧିକ ଦେଖାଦେଉଛି। ବନ୍ୟାଜଳ ବାଲିବନ୍ଧକୁ ଧୋଇ ନେଉଛି। ଜଳ ଉତ୍ତୋଳନ ସ୍ଥଳ ଢିପ ଥିବାରୁ, ପାଣି ତଳମୁଣ୍ଡକୁ ବୋହିଯାଉଛି।

ୱାଟ୍‌କୋ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଭୁବନେଶ୍ବର ପାଇଁ ୩୦୪ ଏମ୍‌ଏଲ୍‌ଡି ପାନୀୟ ଜଳ ଆବଶ୍ୟକ। ବର୍ତ୍ତମାନ ୨୩୮.୫୦ ଏମ୍‌ଏଲ୍‌ଡି ପାନୀୟ ଜଳଯୋଗାଣ ହେଉଛି। ଭୂତଳ ଜଳରୁ ନିଅଣ୍ଟ ୬୫.୫୦ ଏମ୍‌ଏଲ୍‌ଡି ପାନୀୟ ଜଳ ଭରଣା କରାଯାଉଛି। ମୁଣ୍ଡୁଳୀ, ପଳାଶୁଣୀ, ଚନ୍ଦ୍ରଶେଖରପୁର, ନହରକଣ୍ଟା, ଭୁଆସୁଣିଠାରେ ଥିବା ୬ଟି ଜଳ ବିଶୋଧନ ପ୍ଲାଣ୍ଟ୍‌ ମାଧ୍ୟମରେ ପାନୀୟ ଜଳଯୋଗାଣ କରାଯାଉଛି। ମହାନଦୀ, କୁଆଖାଇ ଓ ଦୟାନଦୀ ଏହି ପାଣି ଯୋଗାଉଛି। ନଦୀରୁ ପାଣି ଉଠାଯାଇ ବିଭିନ୍ନ ବିଶୋଧନ ପ୍ରକଳ୍ପକୁ ପଠାଇ ବିଶୋଧନ ପରେ ରାଜଧାନୀବାସୀଙ୍କୁ ଯୋଗାଣ ହେଉଛି। କୁଆଖାଇ ନଦୀରୁ ସର୍ବାଧିକ ପାଣି ବିଶୋଧନ ପ୍ରକଳ୍ପକୁ ଯାଉଛି। ଏଠାରୁ ଚନ୍ଦ୍ରଶେଖରପୁର, ପଳାଶୁଣୀ ସମେତ ୩ ବିଶୋଧନ ପ୍ରକଳ୍ପକୁ ଯୋଗାଣ ହେଉଛି। କେବଳ ପଳାଶୁଣୀ ବିଶୋଧନ ପ୍ରକଳ୍ପ ଜରିଆରେ ରାଜଧାନୀବାସୀଙ୍କୁ ପ୍ରାୟ ୮୨ ଏମ୍‌ଏଲ୍‌ଡି ପାନୀୟ ଜଳଯୋଗାଣ ହେଉଛି। କୁଆଖାଇରୁ ପାଣି ଯୋଗାଣ ସ୍ଥଳରୁ ପର୍ଯ୍ୟାପ୍ତ ପାଣି ଯୋଗାଣ ପାଇଁ ୪୨ ଫୁଟ ଉଚ୍ଚ ପାଣି ମହଜୁଦ ରହିବା ଜରୁରୀ। ସର୍ବନିମ୍ନ ସ୍ତର ୩୮ ଫୁଟ ରହିବା ଆବଶ୍ୟକ। ୩୮ ଫୁଟରୁ ଇଞ୍ଚେ ବି ଖସିଲେ, ପାଣି ଯୋଗାଣ ସମ୍ଭବପର ନୁହେଁ। ବର୍ତ୍ତମାନ ଖୁଆଖାଇରୁ ପ୍ରତି ଘଣ୍ଟାକୁ ୫ହଜାର କ୍ୟୁବିକ୍ ମିଟର ପାଣି ଉଠୁଛି। ପାଣି ନିଅଣ୍ଟ ହେଲେ, ଜଳସେଚନ ବିଭାଗକୁ କାନପୁରଠାରେ ଥିବା ଗେଟ୍ ଖୋଲିବାକୁ କୁହାଯାଉଛି। ସେଠୁ ପାଣି ଛାଡ଼ିଲେ ଓ ଆବଶ୍ୟକ ଜଳସ୍ତର ଛୁଇଁଲେ ଯାଇ ପୁଣି ପାଣି ଉଠାଯାଉଛି।

ସେପଟେ କୁଆଖାଇର ପାଣି ଅଟକାଇ ଜଳଯୋଗାଣ ପାଇଁ ନଦୀ ଭିତରେ ପ୍ରତିବର୍ଷ ପ୍ରାୟ ୩୫୦ ମିଟରର ବାଲିବନ୍ଧ କରାଯାଉଛି। ବାଲିବନ୍ଧ ତିଆରିରେ ପ୍ରତିବର୍ଷ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ପୂର୍ବରୁ ଜନସ୍ବାସ୍ଥ୍ୟ ବିଭାଗ ଏହି ଖର୍ଚ୍ଚ କରୁଥିଲା, ଏବେ ୱାଟ୍‌କୋ ଏହି ଖର୍ଚ୍ଚ ବହନ କରୁଛି। ବର୍ଷାଦିନ ଆସିଲେ ଏହି ବାଲିବନ୍ଧ ଧୋଇଯାଉଛି। ପୁଣି ବର୍ଷା ଛାଡ଼ିଲେ ଓ ନଦୀରୁ ପାଣି କମିଲେ ବାଲିବନ୍ଧ ବାନ୍ଧି ପାଣିକୁ ଅଟକାଇ ପାନୀୟ ଜଳଯୋଗାଣ ହେଉଛି। ତଥାପି ଜଳସେଚନ ବିଭାଗର ନିଦ ଭାଙ୍ଗୁନି। ନଦୀ ଖନନ କରି ଜଳଧାରଣ କ୍ଷମତା ବୃଦ୍ଧି କରାଯାଉନି। ପ୍ରକୃତିର ଏହି ବିଚିତ୍ର ଦୃଶ୍ୟପଟ ଭବିଷ୍ୟତ ପିଢ଼ିଙ୍କ ପାଇଁ ସତର୍କ ଘଣ୍ଟି ସାଜିଛି।
ୱାଟ୍‌କୋ ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି କହିଛନ୍ତି, କୁଆଖାଇରେ ବାଲିବନ୍ଧ କରି ପାଣି ଅଟକାଇ ଜଳଯୋଗାଣ ୧୫ ବର୍ଷ ତଳୁ ଆରମ୍ଭ ହେଲାଣି। ଏହା ଏକ ନିୟମିତ ପ୍ରକ୍ରିୟା। ଜଳସେଚନ ବିଭାଗ ହାଇଟେକ୍ ମେଡିକାଲ୍ କଲେଜ ନିକଟରେ କୁଆଖାଇ ନଦୀରେ ଏକ ପ୍ରକଳ୍ପ କରୁଛି, ଯାହା ପାଣିକୁ ଅଟକାଇବ। କେବଳ ଅତିରିକ୍ତ ଜଳ ତଳକୁ ବହିଯିବ। ଏହି ପ୍ରକଳ୍ପ ଶେଷ ହେଲେ, ଆଗକୁ ବାଲିବନ୍ଧର ଆବଶ୍ୟକତା ପଡ଼ିବନି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version