West Bengal: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଓ ତାମିଲନାଡ଼ୁ ନିର୍ବାଚନ: ଆଜି ପ୍ରଚାର ଶେଷ

ନୂଆଦିଲ୍ଲୀ: ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ନେତାମାନେ ସୋମବାର ଜୋରଦାର ପ୍ରଚାର କରିଛନ୍ତି। ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ସମସ୍ତ ୨୩୪ ଆସନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ ହୋଇଥିବାବେଳେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମଧ୍ୟ ଆସନ୍ତାକାଲି ପ୍ରଚାର ଶେଷ ହେବ। ତେବେ ସୋମବାର ଦୁଇ ରାଜ୍ୟରେ ସମସ୍ତ ପ୍ରମୁଖ ଦଳ ସେମାନଙ୍କ ପ୍ରଚାରକୁ ତୀବ୍ର କରିଛନ୍ତି। ବିଜେପି ଓ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଥିବାବେଳେ ତାମିଲନାଡ଼ୁରେ ଡିଏମ୍‌କେ -କଂଗ୍ରେସ ମେଣ୍ଟ ବିରୋଧରେ ଏଆଇଡିଏମ୍‌କେ ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ଲଢ଼ୁଛି।

ପଶ୍ଚିମବଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ପ୍ରଚାର କରିଥିଲେ। ଅନ୍ୟପକ୍ଷରେ ତାମିଲନାଡ଼ୁରେ ରାହୁଲ ଗାନ୍ଧୀ, ଉଦୟନିଧି ଷ୍ଟାଲିନ, କେ ଆନ୍ନାମଲାଇ, କାର୍ତ୍ତି ଚିଦାମ୍ବରମ୍‌ ପ୍ରମୁଖ ପ୍ରଚାର କରିଥିଲେ। ତେଲୁଗୁ ଦେଶମ୍ ପାର୍ଟି ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ଏନ୍‌ଡିଏ ମେଣ୍ଟ ପାଇଁ କୋଏମ୍ବାଟୁରରେ ପ୍ରଚାର କରିଥିଲେ। ମହିଳା ସଂରକ୍ଷଣ ବିଲ୍‌କୁ ବିଜେପି ପ୍ରଚାରରେ ପ୍ରମୁଖ ପ୍ରସଙ୍ଗ କରିଥିବାବେଳେ ବିରୋଧୀ ଦଳମାନେ ମଧ୍ୟ କଡ଼ା ଜବାବ ଦେଇଛନ୍ତି।

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ଚାରିଟି ବିଶାଳ ରାଲି କରିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ପ୍ରଚାର ପାଇଁ ତାଙ୍କ ସରକାରୀ କାର୍ଯ୍ୟକୁ ଦୀର୍ଘଦିନ ହେଲା ଅବହେଳା କରିଛନ୍ତି। କୁଚବିହାର ରାଲିରେ ଖଡ଼ଗେ ମୋଦୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି କି ବୋଲି ମମତା ବାନାର୍ଜୀଙ୍କ ପ୍ରଶ୍ନକୁ ଦୋହରାଇଛନ୍ତି। ସେହିପରି ତାମିଲନାଡ଼ୁରେ ରାହୁଲ ଗାନ୍ଧୀ ପ୍ରଚାର କରି ମୋଦୀଙ୍କୁ ତୀବ୍ର ସମାଲୋଚନା କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ