What is Common Merganser: କମନ୍ ମର୍ଗାନସର୍ କ’ଣ? ଓଡ଼ିଶାରେ ଅଛନ୍ତି କେତେ ପ୍ରକାର ପ୍ରଜାତି?
ସୁବର୍ଣ୍ଣପୁର ଜିଲ୍ଲାକୁ ଓଡ଼ିଶା ତଥା ଭାରତରେ ଏକ ବିଶେଷ ପରିଚୟ ଦେଇଛି କମନ୍ ମର୍ଗାନସର୍ (Common Merganser) ପକ୍ଷୀ। ଯଦିଓ କମନ ମର୍ଗାନସର୍ ହଂସ ଓ ବତକ ପରିବାର ଅନ୍ତର୍ଭୁକ୍ତ, କିନ୍ତୁ ଏହା ଅନ୍ୟ ହଂସ ଓ ବତକମାନଙ୍କ ତୁଳନାରେ ଦେଖିବାକୁ ବହୁତ ଭିନ୍ନ। ଆଲେଖ୍ୟ: ଜ୍ୟୋତିରାଦିତ୍ୟ ପିନାକୀ ପଣ୍ଡା।

ସୁବର୍ଣ୍ଣପୁର ଜିଲ୍ଲାକୁ ଓଡ଼ିଶା ତଥା ଭାରତରେ ଏକ ବିଶେଷ ପରିଚୟ ଦେଇଛି କମନ୍ ମର୍ଗାନସର୍ (Common Merganser) ପକ୍ଷୀ। ଏହି ପକ୍ଷୀ ମୋର ୱାଇଲ୍ଡଲାଇଫ୍ ଫଟୋଗ୍ରାଫିକୁ ମଧ୍ୟ ବହୁତ ପ୍ରେରଣା ଦେଇଛି । ୨୦୧୯ ମସିହାରେ ସୋନପୁରର ମହାନଦୀରେ ମୁଁ ପ୍ରଥମେ କମନ୍ ମର୍ଗାନସର୍ ଦେଖିଥିଲି ଏବଂ ତାହାର ଫଟୋ ଉଠାଇଥିଲି । ଫଟୋ ନେବା ବେଳେ, ମୁଁ ଏହାର ନାମ କମନ ମର୍ଗାନସର୍ ବୋଲି ଜାଣିନଥିଲି । ପରେ ବିଭିନ୍ନ ପକ୍ଷୀ ବିଶେଷଜ୍ଞଙ୍କ ପରାମର୍ଶ ଓ ଗୁଗୁଲ୍ ମାଧ୍ୟମରେ ଏହାର ନାମ ଜାଣିଲି ।
ଯଦିଓ କମନ ମର୍ଗାନସର୍ ହଂସ ଓ ବତକ ପରିବାର ଅନ୍ତର୍ଭୁକ୍ତ, କିନ୍ତୁ ଏହା ଅନ୍ୟ ହଂସ ଓ ବତକମାନଙ୍କ ତୁଳନାରେ ଦେଖିବାକୁ ବହୁତ ଭିନ୍ନ। ଏହି କାରଣରୁ ମୋର ଏହି ପକ୍ଷୀ ବିଷୟରେ ଅଧିକ ଜାଣିବାକୁ ଆଗ୍ରହ ବଢ଼ିଲା। ବିଭିନ୍ନ ଉପାଦେୟ ଉତ୍ସରୁ ମୁଁ ଜାଣିଲି ଯେ କମନ ମର୍ଗାନସର୍ ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାରେ ଦେଖିବାକୁ ମିଳନ୍ତି। ଭାରତରେ ସେମାନେ କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ଶୀତକାଳୀନ ପ୍ରବାସରେ ଆସନ୍ତି, ସେମଧ୍ୟରୁ ମହାନଦୀ ଅନ୍ୟତମ। ମହାନଦୀରେ ବିଭିନ୍ନ ଅଞ୍ଚଳରେ ଏହି ପକ୍ଷୀ ଦେଖାଯାଉଥିଲେ ମଧ୍ୟ ସୋନପୁରର ମହାନଦୀରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। କମନ୍ ମର୍ଗାନସର୍ ଅଣ୍ଡିରାପକ୍ଷୀମାନଙ୍କର ମୁଣ୍ଡ ଗାଢ଼ ସବୁଜ ରଙ୍ଗର ଏବଂ ଶରୀର ପ୍ରାୟ ଧଳା ଥାଏ, ତଳ ଭାଗରେ ହାଲୁକା ପୀଚ୍ ରଙ୍ଗର ଛାୟା ଦେଖାଯାଏ। ମାଈ ଏବଂ କିଶୋର ଅଣ୍ଡିରାମାନଙ୍କର ମୁଣ୍ଡ ଧୂସର-ଭୂରା ରଙ୍ଗର ଏବଂ ଶରୀର ଧୂସର, ଯାହା ବହୁତ ସୁନ୍ଦର ଲାଗେ।
କମନ ମର୍ଗାନସର୍ ବିଶେଷତଃ ସ୍ରୋତଥିବା ପାଣିକୁ ପସନ୍ଦ କରେ, ଯେଉଁଠାରେ ସେ ମାଛ ଧରି ଖାଏ । ପ୍ରତିବର୍ଷ ଜିଲ୍ଲାର ଏବଂ ଜିଲ୍ଲା ବାହାରୁ ଅନେକ ପକ୍ଷୀପ୍ରେମୀ ଏହାକୁ ଦେଖିବା ପାଇଁ ଆସନ୍ତି। କମନ୍ ମର୍ଗାନସର୍ ସୋନପୁରର ମହାନଦୀରେ ନଭେମ୍ବରରୁ ଫେବ୍ରୁଆରି ୧୫ ମଧ୍ୟରେ ଦେଖାଯାଏ। ତା’ପରେ ସେମାନେ ନିଜ ଘରକୁ ଫେରିଯାନ୍ତି । ସୂଚନା ଅନୁସାରେ, କମନ୍ ମର୍ଗାନସର୍ ଏହି ସମୟ ଅବଧି ମଧ୍ୟରେ କେବଳ ଖାଦ୍ୟ ଅନ୍ୱେଷଣ ପାଇଁ ସୋନପୁର ଆସନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୩୦୩ ପ୍ରଜାତିର ପକ୍ଷୀ ଗଣନା ହୋଇସାରିଛନ୍ତି । ଜିଲ୍ଲାକୁ ପ୍ରତ୍ୟେକ ଋତୁରେ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀ ଆସନ୍ତି, କିଛି ମାସ ରହି ପୁଣି ନିଜ ନିଜ ଜାଗାକୁ ଫେରି ଯାଆନ୍ତି । ମୁଁ ସବୁବେଳେ ପକ୍ଷୀମାନଙ୍କ ଭ୍ରମଣ କାହାଣୀ ମୋର କ୍ୟାମେରାରେ କଏଦ କରିବା ପାଇଁ ଭଲପାଏ । ସେଥିମଧ୍ୟରୁ କେତେକ ପକ୍ଷୀ ଅନ୍ୟ ରାଜ୍ୟରୁ ଆସି ଏଠି ବସା ବାନ୍ଧି ଛୁଆ ଜନ୍ମ କରିଥାନ୍ତି ଏବଂ ଆଉ କେତେକ ବଂଚିବା ପାଇଁ ଆମ ଏଠାକୁ ଆସିଥାନ୍ତି । ଏଣୁ ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବା ଆମର ଦାୟିତ୍ବ।
ସୌଜନ୍ୟ Prameya News7




