ଦେଶ ବିଦେଶ

World Bank ED: ନୀଳକଣ୍ଠ ମିଶ୍ର ବିଶ୍ବବ୍ୟାଙ୍କର ନୂଆ ଇଡି

ନୂଆଦିଲ୍ଲୀ: ଆକ୍ସିସ୍‌ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ରଙ୍କୁ କେନ୍ଦ୍ର ସରକାର ବିଶ୍ବବ୍ୟାଙ୍କରେ ଭାରତରନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଏହି ପଦରେ କାର୍ଯ୍ୟ କରୁଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ପରମେଶ୍ବର ଆୟାରଙ୍କ ସ୍ଥାନରେ ସେ କାର୍ଯ୍ୟ କରି‌ବେ। ସେ ୱାସିଂଟନସ୍ଥିତ ବିଶ୍ବବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟରୁ କାମ କରିବେ। ନିଯୁକ୍ତି ସମ୍ପର୍କିତକ୍ୟାବିନେଟ୍‌ କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁର କରିଛି।

କ୍ୟାବିନେଟ୍‌ କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁର କରିଛି

ଆକ୍ସିସ୍‌ ବ୍ୟାଙ୍କ ସହ ଯୋଡ଼ି ହେବା ପୂର୍ବରୁ ଶ୍ରୀ ମିଶ୍ର କ୍ରେଡିଟ୍‌ ସୁଇସ୍‌ର ଦୁଇ ଦଶନ୍ଧି କାମ କରିଥିଲେ। ସେ ପରିଚାଳନା ନିର୍ଦ୍ଦେଶକ ପଦ ପର୍ଯ୍ୟନ୍ତ ପଦୋନ୍ନତୀ ପାଇଥିଲେ। ଆର୍ଥିକ ବଜାର, ସରକାରୀ ନୀତି ଓ ନିବେଶ ରଣନୀତି ଉପରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିବା ଶ୍ରୀ ମିଶ୍ର ମୁଖ୍ୟତଃ ଅର୍ଥନୈତିକ ଗବେଷଣା, ବଜାର ବିଶ୍ଳେଷଣ ଓ ନୀତି ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ବେସରକାରୀ ସଂସ୍ଥା ବ୍ୟତୀତ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅସ୍ଥାୟୀ ସଦସ୍ୟ, ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ର ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେ ପଞ୍ଚଦଶ ଅର୍ଥ କମିସନ, ଷୋଡ଼ଶ ଅର୍ଥ କମିସନ, ଭାରତୀୟ ସେମିକଣ୍ଡକ୍ଟର ମିସନ, ଜିଏସଟିର ରେଭିନ୍ୟୁ ନିଉଟ୍ରାଲ ରେଟ କମିଟି ଏବଂ ବଜେଟ ପରିଚାଳନା ସମୀକ୍ଷା କମିଟିରେ ମଧ୍ୟ କାମ କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button