ରାଜ୍ୟ

Zila Parishad: ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମାହୁତି ଉଦ୍ୟମ: ବିଡିଓଙ୍କ ମନମୁଖି କାମକୁ ବିରୋଧ

ଖୋର୍ଦ୍ଧା: ଜନପ୍ରତିନିଧି ଓ ସରକାରୀ ବାବୁଙ୍କ ମଧ୍ୟରେ ଚାଲିଥିବା ବିବାଦ ଆଜି ସବୁ ସୀମା ପାର କରିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବିଡିଓ ସୁମନ ସୁଧା କୁଣ୍ଡୁଙ୍କ ମନମାନିକୁ ବିରୋଧ କରି ଆଜି ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ ୨୭ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଛୋଟରାୟ ନିଜ ଦେହରେ ପେଟ୍ରୋଲ୍ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ପେଟ୍ରୋଲ୍ ଢାଳି ନିଆଁ ସଂଯୋଗ କରିବାକୁ ଉଦ୍ୟମ ବେଳେ ପାଖରେ ଥିବା ଦୁଇ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ବରାଳ ଓ ବିଜୟ ଜେନା ତାଙ୍କୁ ଅଟକାଇଛନ୍ତି। ଖୋଦ୍‌ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ତିନି ବିଧାୟକଙ୍କ ଉପସ୍ଥିତିରେ ଜଣେ ଜନପ୍ରତିନିଧିଙ୍କ ଆତ୍ମାହୁତି ଉଦ୍ୟମ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଠିଆ କରିଛି।

ବିଡିଓଙ୍କ ମନମୁଖି କାମକୁ ବିରୋଧ
ଚାଲିଥିଲା ଜିଲ୍ଲା ପରିଷଦ ବୈଠକ
ଉପସ୍ଥିତ ଥିଲେ ବିଧାୟକ ଓ ଜିଲ୍ଲାପାଳ

ବୋଲଗଡ଼ ବିଡିଓ ଶ୍ରୀମତୀ କୁଣ୍ଡୁଙ୍କ ବିରୋଧରେ ଜନପ୍ରତିନିଧିଙ୍କ କୁହୁଳିଥିବା ଅସନ୍ତୋଷ ଆଜିର ନୁହେଁ। ବିଡିଓ ମନମୁଖି କାମ ଚଳାଇଥିବା ଅଭିଯୋଗ କରି କିଛି ଜନପ୍ରତିନିଧି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ବୋଲଗଡ଼ରେ ପ୍ରତିବାଦ ସଭା, ଶୋଭାଯାତ୍ରାଠୁ ଆରମ୍ଭ କରି ସପ୍ତାହେରୁ ଅଧିକ ଦିନ ଧରି ଧାରଣା ବି ଦିଆଯାଇଛି। ମଝିରେ ବିଡିଓଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ମାତ୍ର କେଇଟା ଦିନ ଭିତରେ ସେ ପୁଣି ବୋଲଗଡ଼କୁ ଫେରିଥିଲେ। ତଥାପି ତାଙ୍କ ବ୍ୟବହାରରେ ସୁଧାର ଆସିନାହିଁ ବୋଲି ଜନପ୍ରତିନିଧିମାନେ ଅଭିଯୋଗ ଆଣିଛନ୍ତି। ଆଜି ଜିଲ୍ଲା ପରିଷଦର ସାଧାରଣ ବୈଠକ ଆରମ୍ଭରୁ ବିଡିଓଙ୍କ ମନମାନି ପ୍ରସଙ୍ଗ ନେଇ ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଦୀପ ସାହୁ ବର୍ଷିଥିଲେ। ପଛକୁ ପଛ ଅନ୍ୟ ବିଧାୟକମାନେ ନିଜ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ।

ବିଧାୟକଙ୍କ ପରେ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ସେମାନଙ୍କର ପ୍ରସଙ୍ଗ ରଖିବାକୁ କୁହାଯାଇଥିଲା। ପ୍ରଥମ ଜିଲ୍ଲା ପରିଷଦ ସଦସ୍ୟ ଭାବେ ଶ୍ରୀ ଛୋଟରାୟ ବିଡିଓଙ୍କ ଉପରେ ବର୍ଷିଥିଲେ। ସବୁ ପ୍ରକାର ପ୍ରତିବାଦ ସତ୍ତ୍ବେ ବିଡିଓଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା କୁହାଯାଉଛି। ଏହି ଘଟଣା ପରେ ବିଡିଓଙ୍କର ବଦଳି ଦାବି ଜୋର୍‌ ଧରିଛି। ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଛନ୍ତି, ବିଡିଓଙ୍କ ବଦଳି ମୋ ହାତର କଥା ନୁହେଁ। ତେବେ ଜନପ୍ରତିନିଧିମାନେ ଉଠାଇଥିବା ସମସ୍ୟାର ଆପୋସ ସମାଧାନ ପାଇଁ ଆମେ ଚେଷ୍ଟା କରୁଛୁ। ସେଥିପାଇଁ ଏକ ବୈଠକ ଡକାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button