ରାଜ୍ୟ

ଅକ୍ଟୋବରରେ ଏପ୍ରିଲ ତାତି; ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ନଈ ତୁଠରେ କାଶତଣ୍ଡୀ ହସୁଛି। ରାତିରେ ମନ୍ଦ ମଳୟ ପାର୍ବଣର ଆଭାସ ଦେଉଛି। କିନ୍ତୁ, ଦିନରେ ଟାଣ ଖରା ଜାଳିପୋଡ଼ି ଦେଉଛି। ଛାତ, ପାଣିଟାଙ୍କି ସବୁ ତାତି ପାଚି ଯାଉଛି। ଅକ୍ଟୋବରରେ ଏପ୍ରିଲ ପରି ଖରା ଅନୁଭୂତ ହେଉଛି। ଖାଲି ସେତିକି ନୁହେଁ, ଖରା ପୂର୍ବର ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତକାଲି ପୁରୀ, ଭୁବନେଶ୍ବର ଏବଂ ପାରାଦ୍ବୀପରେ ତାତି ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ଚାନ୍ଦବାଲିରେ ସବୁଠୁ ଅଧିକ ୩୬.୭ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଢେଙ୍କାନାଳରେ ୩୬.୩ ଡିଗ୍ରୀ ରହିଛି। ପୁରୀ, ନୟାଗଡ଼ ଏବଂ ପାରାଳାଖେମୁଣ୍ଡିରେ ପାରଦ ୩୬ ଡିଗ୍ରୀ ଛୁଇଁଛି। ପୁଳାପୁଳା ଲଘୁଚାପ ଜନିତ ବର୍ଷା​‌ ପରେ ବି ଦିନ ତାତିରୁ ଆଶ୍ବସ୍ତି ମିଳୁନି। ଗତ କିଛି ଦିନ ହେବ ରାଜ୍ୟ ସାରା ଏଭଳି ସ୍ଥିତି ଲାଗି ରହିଛି। ତେବେ ବୁଧବାର ଠାରୁ ରାଜ୍ୟରେ ସର୍ବାଧିକ ତାପମାତ୍ରା କିଛି ମାତ୍ରାରେ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଝାଡ଼ଖଣ୍ଡ, ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପରେ ଏକ ନିମ୍ନଚାପରେଖା ସକ୍ରିୟ ରହିଛି। ଏଥିସହ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ଣ୍ଣିଂ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ଗଭୀର ଅବପାତ ପରେ ରାଜ୍ୟରେ ପାଗ ଶୁଖିଲା ରହିଛି। ପାଣିପାଗ ନିୟାମକର କୌଣସି ପ୍ରଭାବ ନାହିଁ। ରାଜ୍ୟକୁ ମଧ୍ୟ ଥଣ୍ଡା ପବନ ପ୍ରବେଶ କରୁନାହିଁ। ତେଣୁ, ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ସର୍ବାଧିକ ତାପମାତ୍ରା କମିପାରେ।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button