ଜିଲ୍ଲା

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳ୍ପ ସମ୍ମିଳନୀରେ ଯୋଗଦେବା ପାଇଁ ଦୁବାଇ ଗସ୍ତରେ ଯିବେ। ଓଡ଼ିଶାରେ ରପ୍ତାନିଭିତ୍ତିକ ଶିଳ୍ପର ଅଭିବୃଦ୍ଧି ତଥା ବିଶ୍ୱସ୍ତରୀୟ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସେପ୍ଟେମ୍ବର ୯ ରୁ ୧୧ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆବୁଧାବି ଏବଂ ଦୁବାଇରେ ହେବାକୁ ଥିବା ତିନିଦିନିଆ କାର୍ଯ୍ୟକ୍ରମରେ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ଏବଂ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି।
ଆବୁଧାବିଠାରେ ପ୍ରତିନିଧି ଦଳ ୟୁଏଇର ପ୍ରମୁଖ ନିବେଶକାରୀ ସଂସ୍ଥା, ଫଣ୍ଡ୍ ହାଉସ୍ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକ ସହ ଓଡ଼ିଶାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦୁବାଇରେ ଏକାଧିକ ଶିଳ୍ପପତି, ଭିତ୍ତିଭୂମି ବିକାଶକାରୀ ଏବଂ ଲଜିଷ୍ଟିକ୍ସ କମ୍ପାନୀ ସହ ସେକ୍ଟରାଲ୍ ରାଉଣ୍ଡଟେବୁଲ୍ (ବିଭାଗୀୟ ଆଲୋଚନା ଚକ୍ର) ଓ ୱାନ୍-ଟୁ-ୱାନ୍ ମିଟିଂ ଅନୁଷ୍ଠିତ ହେବ । ଏହାବ୍ୟତୀତ ୟୁଏଇରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ପ୍ରତିନିଧି ଦଳ ଆଲୋଚନା କରିବେ, ଯାହାଦ୍ୱାରା ଅନ୍ତର୍ଜାତୀୟ ବ୍ୟବସାୟିକ ସମ୍ପର୍କକୁ ଆହୁରି ମଜଭୁତ କରାଯାଇପାରିବ। ଓଡ଼ିଶାରେ ଥିବା ପ୍ରାକୃତିକ ସମ୍ପଦ ଏବଂ ବନ୍ଦରଗୁଡ଼ିକର ସୁବିଧାକୁ ବିନିଯୋଗ କରି ରପ୍ତାନି ବୃଦ୍ଧି ଉପରେ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଗସ୍ତ ସମୟରେ ଧାତୁ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ, ଖାଦ୍ୟ ଓ ସାମୁଦ୍ରିକ ଖାଦ୍ୟ (ସି-ଫୁଡ୍) ରପ୍ତାନି, ବନ୍ଦର ଭିତ୍ତିକ ଶିଳ୍ପ ପାର୍କ, ଲଜିଷ୍ଟିକ୍ସ ପାର୍କ, ଜାହାଜ ନିର୍ମାଣ (ସିପ୍-ବିଲ୍ଡିଂ) ପାର୍କ, ରେୟାର୍ ଆର୍ଥ (ବିରଳ ମୃତ୍ତିକା) କରିଡର, ସ୍ଲରୀ ପାଇପଲାଇନ୍ ଭିତ୍ତିଭୂମି ଏବଂ କେମିକାଲ୍ ତଥା ପେଟ୍ରୋକେମିକାଲ୍ ପାର୍କ କ୍ଷେତ୍ରରେ ବିନିଯୋଗ ପାଇଁ ଆଲୋଚନା କରାଯିବ ବୋଲି ଜଣାପଡିଛି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button