ଆଜି ଆନ୍ତର୍ଜାତିକ କିନ୍ନର ଦୃଶ୍ୟମାନତା ଦିବସ। ସମାଜରେ ତୃତୀୟଲିଙ୍ଗୀ ବା କିନ୍ନରମାନଙ୍କ ସଫଳତାକୁ ଉତ୍ଥାପନ କରିବା, ସେମାନେ ସମ୍ମୁଖୀନ ହେଉଥିବା ଭେଦଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସମାଜ ପ୍ରତି ସେମାନଙ୍କ ଅବଦାନକୁ ସ୍ବୀକୃତି ଦେବା ହେଉଛି ଏହି ଦିବସ ପାଳନର ଉଦ୍ଦେଶ୍ୟ।ଆମେରିକାର ପ୍ରମୁଖ କିନ୍ନର କର୍ମୀ ରାଚେଲ୍ କ୍ରାଣ୍ଡାଲ୍ଙ୍କ ଉଦ୍ୟମ କ୍ରମେ ୨୦୦୯ ମସିହାରୁ ମାର୍ଚ୍ଚ ୩୧ ତାରିଖକୁ କିନ୍ନରଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ସମାଜରେ ସଂସ୍କାର ଆଣି କିନ୍ନର ସମ୍ପ୍ରଦାୟକୁ କିପରି ସଶକ୍ତ କରାଯାଇପାରିବ ସେ ବାବଦରେ ମଧ୍ୟ ସମସ୍ତେ ବିଚାର କରିବା ପାଇଁ ଏହା ଉତ୍ପ୍ରେରିତ କରୁଛି
ସୂଚନାଯୋଗ୍ୟ, ସମଗ୍ର ପୃଥିବୀରେ କିନ୍ନରମାନେ ନାନା ସାମାଜିକ ଭେଦଭାବର ଶିକାର ହୋଇ ଆସୁଛନ୍ତି। କାର୍ଯ୍ୟସ୍ଥଳ ହେଉ, ଶିକ୍ଷାନୁଷ୍ଠାନ ବା ନିଜ ପରିବାର ହେଉ, ସେମାନଙ୍କୁ ଅନ୍ୟମାନେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ସମାଜରେ ଭିନ୍ନ ହୋଇ ଜନ୍ମହେବାର ଅଭିଶାପ ହେତୁ ସେମାନଙ୍କୁ ଭୀଷଣ ଅସମାନତା ଓ ନିର୍ଯାତନା ଭୋଗିବାକୁ ପଡୁଛି। ତେଣୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ କିନ୍ନରମାନେ ଏପରି ଭେଦଭାବର ଅବିଶ୍ବସନୀୟ ବୋଝ ବୋହି ଚାଲିଥିବା ବେଳେ ସେ ସଂପର୍କରେ ଜନସତେତନା ସୃଷ୍ଟି କରି ସେମାନଙ୍କ ମନରେ ଆଶାର କିରଣ ଆଣିବା ଖୁବ୍ ଗୁରୁତ୍ବପୂର୍ଣ୍ଣ। ସେମାନଙ୍କୁ ନ୍ୟାଯ୍ୟ ଅଧିକାର ପ୍ରଦାନ ନିମନ୍ତେ ଅଧିକ ଆଇନଗତ ପ୍ରାବଧାନ ଆଣିପାରିଲେ ସେମାନେ ସମାଜରେ ସ୍ବାଭିମାନର ସହିତ ବଞ୍ଚିପାରିବେ।
ସୌଜନ୍ୟ ସମ୍ବାଦ
