ବ୍ରହ୍ମପୁର: ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖ। ଏହି ଦିନ ବ୍ରିଟିସ୍ ସରକାର ବିରୋଧରେ ଲଢ଼େଇ କରୁଥିବା ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ସେ ଦିନଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୯କୁ ଲକ୍ଷ୍ମଣ ନାୟକଙ୍କ ସହିଦ୍ ଦିବସ ଭାବେ ପାଳନ କରାଯାଉଛି। ଦେଶ ସ୍ବାଧୀନତା ପରେ ଶେଷଥର ପାଇଁ ୧୯୯୪ ଜୁଲାଇ ୧୬ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ଲକ୍ଷ୍ମଣ ନାଏକଙ୍କୁ ଫାଶୀ ଦିଆଯାଇଥିଲା। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଓଡ଼ିଶାର ଏକମାତ୍ର ଫାଶୀଖୁଣ୍ଟ ଥିବା ଯୋଗୁଁ ଲକ୍ଷ୍ମଣଙ୍କୁ ଏଠାରେ ଫାଶୀ ଦିଆ ଯାଇଥିଲା। ଏହା ପରଠାରୁ ମଣ୍ଡଳ କାରାଗାରରେ ଆଉ କୌଣସି ଅଭିଯୁକ୍ତକୁ ଫାଶୀଖୁଣ୍ଟରେ ଝୁଲାଯାଇ ନାହିଁ।
ବ୍ରିଟିସ୍ ଶାସନ ଅମଳରେ ୧୮୬୩ରେ ସ୍ଥାପିତ ହୋଇଥିଲା ବ୍ରହ୍ମପୁର ମଣ୍ଡଳ କାରାଗାର। ବ୍ରିଟିସ୍ ଶାସନ ବିରୋଧରେ ସ୍ବରୋତ୍ତୋଳନ କରୁଥିବା ଲୋକଙ୍କୁ ଏଠାରେ ବନ୍ଦୀ ଭାବେ ରଖା ଯାଉଥିଲା। ୧୬୩ବର୍ଷ ପୁରୁଣା ଏହି ମଣ୍ଡଳ କାରାଗାରରେ ରହିଛି ରାଜ୍ୟର ଏକମାତ୍ର ଫାଶୀଖୁଣ୍ଟ। ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କୁ ଏଠାରେ ଫାଶୀ ଦିଆଯାଇଥିଲା। ଏହାପରେ ୧୯୯୪ରେ ଅନ୍ୟଜଣେ ଲକ୍ଷ୍ମଣକୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ସେ ୧୯୯୦ ଫେବ୍ରୁଆରି ମାସରେ ଜନୈକା ନାବାଳିକାଙ୍କ ସହିତ ଦୁଷ୍କର୍ମ କରି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିଲା। ଏହି ନୃଶଂସ ହତ୍ୟାକାଣ୍ଡ ପାଇଁ ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ଉପର କୋର୍ଟରେ ମଧ୍ୟ ଏହି ଦଣ୍ଡାଦେଶ କାଏମ ରହିବାରୁ ତାଙ୍କୁ ୧୯୯୪ ଜୁଲାଇ ମାସରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଲକ୍ଷ୍ମଣଙ୍କୁ ଫାଶୀ ଦେବା ପାଇଁ ମହାରାଷ୍ଟ୍ରର ଏକ ଜେଲ୍ରୁ ଦୁଇଜଣ ଘାତକ ବ୍ରହ୍ମପୁର ଆସିଥିଲେ। ଏଥିପାଇଁ ସେମାନେ ପ୍ରାୟ ୧୫ଦିନ ପୂର୍ବରୁ ଫାଶୀଖୁଣ୍ଟରେ ବାଲିବସ୍ତା ବାନ୍ଧି ଅଭ୍ୟାସ କରିଥିଲେ।
ସୌଜନ୍ୟ ସମ୍ବାଦ
