ବିଶେଷ

ଇଏ ହେଉଛନ୍ତି କେବିସିର ପ୍ରଥମ କୋଟିପତି: ଆଜି ସେ କେଉଁଠି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

୨୦୦୦ ମସିହାରେ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ 'କୌନ ବନେଗା କରୋଡପତି' (KBC) ର ପ୍ରଥମ ସିଜିନ ଆରମ୍ଭ ହୋଇଥାଏ। ଏହି ପ୍ରଥମ ସିଜନରୁ ହିଁ ବର୍ଷବର୍ଦ୍ଧନ ନୱାଥେ ନାମକ ଜଣେ ବ୍ୟକ୍ତି ଯେତେବେଳେ କୋଟିଏ ଟଙ୍କା ଜିତି ଶୋରେ ଇତିହାସ ରଚିଲେ ସେତେବେଳେ ସାରା ଦେଶରେ ତାଙ୍କରି ନାଁ ଖୁବ୍ ଚର୍ଚ୍ଚାରେ ରହିଥିଲା। ହେଲେ ଏବେ ସେ କେଉଁଠି ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ନୂଆଦିଲ୍ଲୀ: ୨୦୦୦ ମସିହାରେ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ (KBC) ର ପ୍ରଥମ ସିଜିନ ଆରମ୍ଭ ହୋଇଥାଏ। ଏହି ପ୍ରଥମ ସିଜନରୁ ହିଁ ବର୍ଷବର୍ଦ୍ଧନ ନୱାଥେ ନାମକ ଜଣେ ବ୍ୟକ୍ତି ଯେତେବେଳେ କୋଟିଏ ଟଙ୍କା ଜିତି ଶୋରେ ଇତିହାସ ରଚିଲେ ସେତେବେଳେ ସାରା ଦେଶରେ ତାଙ୍କରି ନାଁ ଖୁବ୍ ଚର୍ଚ୍ଚାରେ ରହିଥିଲା। ସେ ଘରେ ଘରେ ଏକ ସେଲିବ୍ରେଟି ହୋଇଯାଇଥିଲେ। ହେଲେ ଆଜି ଏକଥାକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଯାଇଛି। କେବିସିର ସେ କୋଟିପତି ହର୍ଷବର୍ଦ୍ଧନ ଆଜି କେବଳ ‘କୋଟିପତି’ ପରିଚୟରେ ସୀମିତ ନାହାଁନ୍ତି, ସେ ଆଜି କର୍ପୋରେଟ୍ ଜଗତରେ ଏକ ପ୍ରଭାବଶାଳୀ ନେତୃତ୍ୱ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ତାଙ୍କର ଏହି ଦୁଇ ଦଶନ୍ଧୀର ଯାତ୍ରା ଖୁବ୍ ରୋଚକ।

କେବିସିରୁ କର୍ପୋରେଟ୍ ଲିଡର ଯାତ୍ରା

କେବିସି ଜିତିବା ପରେ ହର୍ଷବର୍ଦ୍ଧନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା। ଏନେଇ ସେ କହିଛନ୍ତି ଯେ ‘ଶୋ’ ପରେ ପ୍ରଥମ କିଛି ମାସ ସେ ଜଣେ ରକ୍ ଷ୍ଟାର୍ ଭଳି ଜୀବନ ଜିଇଁଥିଲେ। ପରିଚୟ, ପ୍ରତିଷ୍ଠା ସାଂଗକୁ ଏକ ବଲିଉଡ ସେଲିବ୍ରେଟି ଭଳି ତାଙ୍କୁ ଖୁବ୍ ଲୋକପ୍ରିୟତା ମିଳିଥିଲା। ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଥିଲା ଏବଂ ଅଟୋଗ୍ରାଫ୍ ପାଇଁ ଲୋକେ ଅପେକ୍ଷା କରୁଥିଲେ। ସ୍ଥିତି ଏପରି ଥିଲା ଯେ, ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ୍ ସୁରକ୍ଷା ମଧ୍ୟ ନେବାକୁ ପଡ଼ିଥିଲା। ତେବେ ଏହି ପ୍ରସିଦ୍ଧିକୁ ସେ ନିଜର ଦୁର୍ବଳତା ହେବାକୁ ଦେଇନଥିଲେ। ବରଂ ଏହାକୁ ସମ୍ବଳ କରି ସେ ନିଜର କ୍ୟାରିୟର ଗଢ଼ିବାରେ ଧ୍ୟାନ ଦେଇଥିଲେ। ଆଜି ସେ କର୍ପୋରେଟ୍ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ।

ଜେଏସଡବ୍ଲ୍ୟୁ (JSW) ଫାଉଣ୍ଡେସନର ନେତୃତ୍ୱ

ବର୍ତ୍ତମାନ ହର୍ଷବର୍ଦ୍ଧନ ଜେଏସଡବ୍ଲ୍ୟୁ ଗ୍ରୁପ୍ ସହିତ ଜଡ଼ିତ ଅଛନ୍ତି। ଡିସେମ୍ବର ୨୦୨୫ରେ, ତାଙ୍କୁ ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ନିଯୁକ୍ତ କରାଯାଇଛି। ସିଇଓ ହେବା ପୂର୍ବରୁ ସେ ମେ ୨୦୨୩ରୁ ସଂସ୍ଥାର ଚିଫ୍ ଅପରେଟିଂ ଅଫିସର (COO) ଭାବେ କାର୍ଯ୍ୟରତ ଥିଲେ। ସାମାଜିକ ଦାୟିତ୍ୱବୋଧ ଏବଂ କର୍ପୋରେଟ୍ ସୁଶାସନକୁ ଏକାଠି ନେଇ କିପରି ଚାଲିବାକୁ ହୁଏ ବର୍ଷବର୍ଦ୍ଧନଙ୍କର ଏହି ଯାତ୍ରା ସୂଚାଇ ଦେଉଛି। ଏହା ପୂର୍ବରୁ ହର୍ଷବର୍ଦ୍ଧନ ନାଟୱେଷ୍ଟ ଗ୍ରୁପରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହ ୱେଲସ୍ପନ୍ ଗ୍ରୁପ୍ର ସାମାଜିକ ବିକାଶ ପ୍ରକଳ୍ପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୨୦୨୪ରେ ସ୍ୱତନ୍ତ୍ର ଏପିସୋଡ୍ରେ KBC ଫେରିବା ସମୟରେ ହର୍ଷବର୍ଦ୍ଧନ କହିଥିଲେ ଯେ, ସଫଳତା ପାଇଁ ଜୀବନର ଲକ୍ଷ୍ୟ ସ୍ପଷ୍ଟ ହେବା ନିହାତି ଜରୁରୀ। ସେ ପ୍ରମାଣ କରିଛନ୍ତି ଯେ ପ୍ରସିଦ୍ଧି କ୍ଷଣସ୍ଥାୟୀ ହୋଇପାରେ, କିନ୍ତୁ କଠିନ ପରିଶ୍ରମ ଏବଂ ସ୍ପଷ୍ଟ ଦୃଷ୍ଟିକୋଣ ହିଁ ଜଣକୁ ଦୀର୍ଘସ୍ଥାୟୀ ସଫଳତା ଦେଇଥାଏ। ହର୍ଷବର୍ଦ୍ଧନଙ୍କ ଏହି ଯାତ୍ରା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଶିକ୍ଷା। କେବଳ ଭାଗ୍ୟ ବଳରେ ନୁହେଁ, ବରଂ ନିଜର ଦକ୍ଷତା ବଳରେ ମଧ୍ୟ ଜୀବନରେ ଶୀର୍ଷରେ ପହଞ୍ଚି ହୁଏ ବୋଲି ହର୍ଷବର୍ଦ୍ଧନ ପ୍ରମାଣିତ କରିଛନ୍ତି।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button