କଲମ୍ବିଆରେ ୭.୪ ତୀବ୍ରତାର ଭୂକମ୍ପ ; ୭୭ ମୃତ; ହଜାର ଆହତ

ବୋଗୋଟା, ୧୦ା୮: ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆରେ ସୋମବାର ସକାଳ ସାତଟାରେ ଶକ୍ତିଶାଳୀ ଭୂକମ୍ପ ହୋଇଛି। ୭.୪ ତୀବ୍ରତାର ଏହି ଭୂକମ୍ପ ୭୭ ଜଣଙ୍କ ଜୀବନ ନେଇଛି। ଏକ ହଜାରରୁ ଅଧିକ ଲୋକ ମଧ୍ୟ ଆହତ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଭୂକମ୍ପ ଝଟକାରେ ୨୦ରୁ ଅଧିକ କୋଠା ଭୁଶୁଡ଼ି ଯାଇଛି। ଏହାର ଅବଶେଷ ତଳେ ଅନେକ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁଯାୟୀ, ପଶ୍ଚିମ ବୋଗାଟାରୁ ୪୦୦ କିମି ଦୂରରେ ଥିବା ‘ସାନ୍ ଜୋସ ଡେଲ ପାଲମର’ରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଭୂପୃଷ୍ଠରୁ ୧୦୭ କିମି ତଳେ ଏହା ସୃଷ୍ଟି ହୋଇଥିଲା। ପଡ଼ୋଶୀ ଦେଶ ଇକ୍ବେଡର ଓ ଭେନଜୁଏଲାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସୂଚନା ଅନୁଯାୟୀ, ଭୂକମ୍ପରେ କଲମ୍ବିଆ ଥରି ଉଠିବା ପରେ ଲୋକେ ଭୟରେ ଘରୁ ବାହାରି ଆସିଥିଲେ। ଅନେକ କୋଠାକୁ ଖାଲି କରିଦିଆଯାଇଥିଲା। ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଡାକ୍ତରଖାନାରୁ ରୋଗୀଙ୍କୁ ବାହାରକୁ ଅଣା ଯାଇଥିଲା। ଭୂକମ୍ପରେ ପେରେଇରା ସହର ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ କେବଳ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ସହରର ମେୟର ମାଉରିସିଓ ସାଲାଜର ଏହି ସୂଚନା ଦେଇଛନ୍ତି। ଏବେ ସ୍ଥିତି ଗୁରୁତର ରହିଛି। ୧୨ରୁ ଅଧିକ ବଡ଼ କୋଠା ଓ ଅନେକ ଛୋଟ ଘର ଭୁଶୁଡ଼ି ପଡ଼ିଥିବା ସେ କହିଛନ୍ତି। ଭୂକମ୍ପ ଯୋଗୁଁ କଲମ୍ବିଆର ମନିଜାଲେସ ସହରର ପ୍ରସିଦ୍ଧ ଚର୍ଚ୍ଚ ‘କ୍ୟାଥେଡ୍ରାଲ ବେସଲିକା’ରେ ଫାଟ ସୃଷ୍ଟି ହୋଇଛି। ଚୋକୋ ପ୍ରଦେଶର ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। କ୍ବିଡୋ ସହରର ଅନେକ କୋଠା ତାସ ପତା ଭଳି ଭୁଶୁଡ଼ି ଯାଇଛି।
ସୂଚନାଯୋଗ୍ୟ ଯେ କଲମ୍ବିଆ ବିଶ୍ୱର ସର୍ବାଧିକ ଭୂକମ୍ପ ପ୍ରବଣ ଦେଶ ମଧ୍ୟରୁ ଅନ୍ୟତମ। ଏଠାରେ ପ୍ରତିବର୍ଷ ହଜାରରୁ ଅଧିକ ଛୋଟ, ବଡ଼ ଭୂମିକମ୍ପ ହୋଇଥାଏ। ଭୌଗୋଳିକ ଅବସ୍ଥିତି ଯୋଗୁଁ କଲମ୍ବିଆରେ ବାରମ୍ବାର ଏପରି ହୋଇଥାଏ। ଏହି ଦେଶ ‘ରିଙ୍ଗ ଅଫ ଫାୟାର’ ନାମକ ଭୂକମ୍ପ ଓ ଆଗ୍ନେୟଗିରି କ୍ଷେତ୍ରରେ ଆସୁଛି।
ଏଠାରେ ନାଜକା, କୋକୋସ୍ ଓ ଦକ୍ଷିଣ ଆମେରିକୀୟ ପ୍ଲେଟ ସମେତ ଅନେକ ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ ପରସ୍ପର ସହିତ ଧକ୍କା ହୋଇଥାନ୍ତି। ଏଥିରେ ଗୋଟିଏ ପ୍ଲେଟ୍ ଅନ୍ୟ ପ୍ଲେଟ ତଳେ ରହି ଯାଇଥାଏ। ଏଥିଯୋଗୁଁ ଭୂକମ୍ପ ଓ ଆଗ୍ନେୟଗିରି ଉଦଗୀରଣ ହୋଇଥାଏ।
ସୌଜନ୍ୟ ସମାଜ




