କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୯ା୮: ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିବା କିମ୍ବା ସେମାନଙ୍କୁ ଅମାନବୀୟ ଢଙ୍ଗରେ ଚିତ୍ରଣ କରିବା ଭଳି ବିଷୟବସ୍ତୁ ଅନ୍ଲାଇନରେ ପୋଷ୍ଟ କରିବାରୁ ପୋଲିସ ସଂଗଠନକୁ ରୋକିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହାର ଶୁଣାଣି କରି କେନ୍ଦ୍ର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜବାବ ମାଗିଛନ୍ତି। ଆବେଦନକାରୀ ହେମେନ୍ଦ୍ର ପଟେଲଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ରଖିଥିବା ଯୁକ୍ତିକୁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଭି. ମୋହନଙ୍କ ଖଣ୍ଡପୀଠ ଗ୍ରହଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକୁ ନୋଟିସ ଜାରି କରିଛନ୍ତି। ଅଭିଯୁକ୍ତ ବ୍ୟକ୍ତିଙ୍କ ମୁହଁ କିମ୍ବା ପରିଚୟ ପ୍ରଘଟ କରୁଥିବା କିମ୍ବା ସେମାନଙ୍କୁ ଅମାନବୀୟ ଢଙ୍ଗରେ ଚିତ୍ରଣ କରୁଥିବା ପୋଲିସ ସୋସିଆଲ ମିଡିଆ ହ୍ୟାଣ୍ଡଲ୍ ପୋଷ୍ଟଗୁଡ଼ିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେବାକୁ ପିଆଇଏଲ୍ରେ ନିବେଦନ କରାଯାଇଥିଲା। ରାଜ୍ୟଗୁଡ଼ିକର ପୋଲିସ ସଂଗଠନ ଦ୍ୱାରା ବ୍ୟବହୃତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେବା ଲାଗି କୁହାଯାଇଥିଲା।
ସୌଜନ୍ୟ ଧରିତ୍ରୀ




